ବିଧାନସଭାରେ ୨୦୧୯ ବ୍ୟୟ ମଞ୍ଜୁରି ବିଲ ଆଲୋଚନା ଆଳରେ ଦୋଷ ଦୁର୍ବଳତା କାଢ଼ିଲେ

ଏବେ ଅଧିକ ଅନୁଦାନ ମିଳୁଛି ବୋଲି କହିଲେ ପ୍ରଦୀପ୍ତ, ବିଜେଡି-ବିଜେପିକୁ ତେରଛା ବାଣ ମାରିଲେ ନରସିଂହ, ବିଧାୟକ ହାତପାଣ୍ଠି ୫ କୋଟି କରିବାକୁ ଦାବି ଉଠିଲା

ଭୁବନେଶ୍ବର : ବିଧାନସଭାରେ ୨୦୧୯ ବ୍ୟୟ ମଞ୍ଜୁରି ବିଲ ଆଲୋଚନା ଆଳରେ ବିରୋଧୀ ଦଳ ନେତା ପ୍ରଦାପ୍ତ ନାୟକ ରାଜ୍ୟ ସରକାରଙ୍କ ବିରୋଧରେ ପୁଳା ପୁଳା ଅଭିେଯାଗ ଆଣିଲେ। କହିଲେ, କେନ୍ଦ୍ରୀୟ ଅନୁଦାନ କମୁଛି ବୋଲି ରାଜ୍ୟ ସରକାର ବାରମ୍ବାର କରୁଛନ୍ତି। କିନ୍ତୁ ଉପା ସରକାର ତୁଳନାରେ ଏନ୍‌ଡିଏ ସରକାରରେ ତିନି ଗୁଣ ଅଧିକ ଅନୁଦାନ ମିଳୁଛି। ରାଜ୍ୟ ସରକାରଙ୍କ ନିଜସ୍ବ ଆୟ ୪୫,୫୦୦ କୋଟି ଟଙ୍କା ହୋଇଥିଲା ବେଳେ କେବଳ ଦରମା, ପେନ୍‌ସନ୍ ବାବଦକୁ ଯାଉଛି ୫୭,୩୧୦ କୋଟି ଟଙ୍କା। ୮ଟି ଯୋଜନାରେ କେନ୍ଦ୍ର ଟଙ୍କା କାଟିଦେଲା ବୋଲି ରାଜ୍ୟ ସରକାର ପ୍ରଚାର କରୁଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହା ମଧ୍ୟରେ ୮୦ଟି ନୂଆ ଯୋଜନା କରି ସବୁ ବର୍ଗର ଲୋକଙ୍କୁ ଉପକୃତ କରାଇଛନ୍ତି। ଓଡ଼ିଶା ଏହି ଯୋଜନାରୁ ଲାଭ ପାଇଛି। କିନ୍ତୁ କେନ୍ଦ୍ରୀୟ ଅର୍ଥକୁ ଲୋକଙ୍କୁ ଦେଇ ନବୀନ ବାବୁ ନାଁ କମାଉଛନ୍ତି।

ଏପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ରାଜ୍ୟ ସରକାର ଓ େକନ୍ଦ୍ରକୁ ମନଇଚ୍ଛା ସମାେଲାଚନା କରିଥିଲେ। କହିଥିଲେ, ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। କେନ୍ଦ୍ର ସରକାରଙ୍କ ସହ ସାଲିସ କରି ସରକାର ଚଳାଉଛନ୍ତି। ମୁଖ୍ୟମନ୍ତ୍ରୀ ୫ ଥର ଶାସନ ଦାୟିତ୍ବ ନେଇଥିଲେ ବି ୧୩ ହଜାର ୫୦୦ ଗାଁକୁ ରାସ୍ତା ନାହିଁ। ବିଜେପି ସହିତ ହାତ ମିଳାଇଥିବାରୁ ଚିଟ୍‌ଫଣ୍ଡରେ ସଂଶ୍ଲିଷ୍ଟ ଶାସକ ଦଳ ନେତାମାନଙ୍କ ପ୍ରତି ସିବିଆଇ ଚୁପ ରହିବା ନେଇ ଉପହାର ପାଇଛନ୍ତି।

ବ୍ୟୟମଞ୍ଜୁରି ବିଲ୍‌ ଉପରେ ଆଜି ଏଭଳି ଢଙ୍ଗରେ ବିଧାନସଭାରେ ସରଗରମ ଆଲୋଚନା େହାଇଥିଲା। ଆଲୋଚନା ଆରମ୍ଭ କରି ବିେରାଧୀ ଦଳ ନେତା କହିଥିଲେ, ରାଜ୍ୟ ସରରକାର ଠିକାଦାରଙ୍କୁ ସୁହାଇଲା ପରି କାମ କରୁଛନ୍ତି। ପିସି କାରବାର ତ ବଢ଼ିଚାଲିଛି। ପଞ୍ଚାୟତରେ ଠିକା ଭିତ୍ତିରେ ଇଞ୍ଜିନିୟର ନିଯୁକ୍ତି ଦିଆଯାଉଛି। ସେମାନଙ୍କର ଦାୟିତ୍ବବୋଧ କିଛି ରହୁନି। ପିଇବା ପାଣି ଯୋଗାଣ ଠିକ୍ ହେଉ ନାହିଁ। ନିର୍ବାଚନ ଆଗରୁ ସରକାର ଉନ୍ନତି ଯୋଜନା କାର୍ଯ୍ୟକାରୀ କଲେ। କେବଳ କର୍ମୀଙ୍କୁ କାମ ଦେଇ ମିଥ୍ୟା ବିଲ୍‌ କରି ଟଙ୍କା ଦେବା ଥିଲା ଏହାର ଏକମାତ୍ର ଉଦ୍ଦେଶ୍ୟ। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ନବୀନ ବାବୁ ଯାହା ଇଚ୍ଛା କରିଚାଲିଲେ। ରାଜ୍ୟରେ ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ ରହିଛି। ଗୋଟିଏ ‌କ୍ଲାସ୍ ଚାଲିଥିଲା ବେଳେ ଅନ୍ୟ ଚାରିଟି ଶ୍ରେଣୀର ପିଲା କ’ଣ କରୁଥିବେ, ତାହା ଜଣାପଡ଼ୁନି। ବହୁ ଯୋଗ୍ୟ ପ୍ରାର୍ଥୀ ଥାଇ ବି ସରକାର ଶିକ୍ଷକ ନିଯୁକ୍ତି ଦେଉ ନାହାନ୍ତି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଭାବେ ସୁବ୍ରତ ବାଗ୍‌ଚୀଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଟଙ୍କାଟିଏ ଦରମା ନିଅନ୍ତି। କିନ୍ତୁ ଢେଙ୍କାନାଳ ଗଲେ ବି ତାଙ୍କର ହେଲିକପ୍ଟର ଦରକାର ହୁଏ େବାଲି ସମାେଲାଚନା କରିଥିଲେ ଶ୍ରୀ ନାୟକ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଆଜି ଗଣତନ୍ତ୍ର ବିପଦରେ ପଡ଼ିଛି। କୌଣସି ଦଳର ନାଁ ନନେଇ ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ବାଧୀନତା ପାଇଥିଲା। ଦେଶସାରା ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇଥିବାବେଳେ ଗୋଟିଏ ଦଳ କଳା ପତାକା ଉଡ଼ାଇଥିଲା। ଦୀର୍ଘ ୫୨ ବର୍ଷ ଧରି ସେହି ଦଳ ଏପରି ସ୍ବାଧୀନତା ଦିବସରେ କଳା ପତାକା ଉତ୍ତୋଳନ କରିଆସିଥିଲା। ରାଜ୍ୟରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ବିଜୁ ଜନତା ଦଳ ଗଠନ ହୋଇଛି। ବିଜୁ ବାବୁ ଜଣେ ଧର୍ମନିରପେକ୍ଷ ନେତା ଭାବେ ସାରା ବିଶ୍ବରେ ପରିଚିତ। ଏଭଳି ଜଣେ ମହାନ ପୁରୁଷଙ୍କ ନାଁରେ ତିଆରି ହୋଇଥିବା ଦଳ ଆଜି ବିଜେପି ଭଳି ଦଳ ସହିତ ହାତ ମିଳାଇଛି। ପରିସ୍ଥିତି ଏପରି ହେଲା ଶେଷରେ ଗୋଟିଏ ରାଜ୍ୟସଭା ଆସନ ମଧ୍ୟ ଟେକିଦେବାକୁ ବି ଏ ଦଳ ପଛାଇଲାନି। ସୂଚନା ଆଇନ ୟୁପିଏ ସରକାରର ଅବଦାନ। ଏହି ଆଇନଯୋଗୁଁ ପ୍ରଶାସନର ଅସଲ ରୂପ ଲୋକଲୋଚନକୁ ଆସିପାରୁଛି। ବିଜେଡି-ବିଜେପି ମଧୁଚନ୍ଦ୍ରିକା ନେଇ ଶ୍ରୀ ମିଶ୍ର ଉଦାହରଣ ଦେଇ କହିଥିଲେ ସଂସଦରେ ସୂଚନା ଆଇନ ସଂଶୋଧନ ନେଇ ବିଜେଡିର ଦୋମୁହାଁ ନୀତି ଧରାପଡ଼ିଛି। ପ୍ରଥମେ ଆଲୋଚନାରେ ବିଜେଡି ସାଂସଦମାନେ ବିରୋଧ କରିଥିଲେ। କିନ୍ତୁ ପରେ କେନ୍ଦ୍ର ସରକାର ଆଣିଥିବା ସଂଶୋଧନକୁ ସମର୍ଥନ କରିଥିଲେ। ତିନି ତଲାକ ବିଲରେ ଖୋଦ ଏନଡିଏ ଅଂଶୀଦାର ଦଳ ବିରୋଧ କରିଥିବାବେଳେ ବିଲ ସପକ୍ଷରେ ବିଜେଡି ଭୋଟ ଦେଇଛି। ଆଜି ବିଜେଡି ଭୋଟ ନଦେଇଥିଲେ ସେହି ବିଲ ରାଜ୍ୟସଭାରେ ପାରିତ ହୋଇପାରିନଥାନ୍ତା।

ରାଜ୍ୟ ରାଜସ୍ବ ବୃଦ୍ଧି ନେଇ ଶ୍ରୀ ମିଶ୍ର କହିଥିଲେ, କୋଇଲା ରୟାଲଟି କେନ୍ଦ୍ର ବୃଦ୍ଧି କରୁନି ବୋଲି ମୁଖ୍ୟମନ୍ତ୍ରୀ ବହୁବାର କେବଳ ଚିଠି ଲେଖିଛନ୍ତି। କିନ୍ତୁ କୋଇଲାରୁ କିପରି ନିଜେ ରାଜ୍ୟ ଅଧିକ ଅର୍ଥ ପାଇପାରିବ ସେ ଦିଗରେ ଚିନ୍ତା କରୁନାହାନ୍ତି। ଶ୍ରୀ ମିଶ୍ର କହିଥିଲେ କେନ୍ଦ୍ରଉପରେ ଚାପ ପକାଇ ଅଧିକାଂଶ ରାଜ୍ୟ ନିଜେ କୋଇଲା ଉତ୍ପାଦନ ଓ ବିକ୍ରି କରି କୋଟି କୋଟି ଟଙ୍କା ରାଜସ୍ବ ପାଉଛନ୍ତି। ତେଲେଙ୍ଗାନା ରାଜ୍ୟ ସରକାରଙ୍କ ଉଦାହରଣ ଦେଇ ସେ କହିଥିଲେ, କୋଇଲାସମ୍ପଦରୁ ଅଧିକ ରାଜସ୍ବ ପାଇଁ ସେଠାକାର ସରକାର କେନ୍ଦ୍ର ସରକାରଙ୍କ ସହ ଯୌଥ ଉଦ୍ୟୋଗ କରିଛନ୍ତି। ଯେଉଁଥିରେ ତେଲେଙ୍ଗାନା ସରକାରଙ୍କ ୫୧% ଅଂଶଧନ ଥିବାବେଳେ କେନ୍ଦ୍ର ସରକାରଙ୍କ ୪୯% ରହିଛି। ଫଳରେ ତେଲେଙ୍ଗାନା ସରକାର ବାର୍ଷିକ ୫ ହଜାର କୋଟି ଟଙ୍କା ପାଉଛନ୍ତି। ଓଡ଼ିଶା ସରକାର ଏପରି ଖଣି ନିଗମ କିମ୍ବା ସ୍ବତନ୍ତ୍ର ଭାବେ କେନ୍ଦ୍ର ସରକାର ଯୌଥ ଉଦ୍ୟୋଗ କରି କୋଇଲା ଲିଜ ନେଲେ ଅଧିକ ରାଜସ୍ବ ମିଳିବ।

ଖଣି ଦୁର୍ନୀତି ନେଇ ଶ୍ରୀ ମିଶ୍ର ଅଭିଯୋଗ କରି କହିଥିଲେ ଖଣି ଦୁର୍ନୀତିରେ ନେଇ କେତେଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ନେଇ ଗୃହ ବିଭାଗ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ ବି କିଛି ଉତ୍ତର ମିଳିଲାନି। ପ୍ରତି ୫ବର୍ଷ ପରେ ପୌର ନିର୍ବାଚନ କରିବା ସାମ୍ବିଧାନିକ ବ୍ୟବସ୍ଥା ରହିଛି। କିନ୍ତୁ ୫ ବର୍ଷ ବିତିଯାଇଥିଲେ ବି ଏ ସରକାର ପୌର ନିର୍ବାଚନ କରିନାହାନ୍ତି। ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥାର ଖୋଲାଖୋଲି ଉଲଂଘନ କରିଛନ୍ତି ସରକାର। ସରକାରଙ୍କୁ ପ୍ରସ୍ତାବ ଦେଇ ଶ୍ରୀ ମିଶ୍ର କହିଥିଲେ, ବିଧାୟକ ହାତପାଣ୍ଠିକୁ ୫ କୋଟି କରିବା ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିକୁ ୧ ହଜାର କୋଟିକୁ ବୃଦ୍ଧି କରାଯାଉ। ସେହିପରି ବୃଦ୍ଧବୃଦ୍ଧାଙ୍କ ପେନସନ ରାଶି ୫୦୦ଟଙ୍କାରୁ ୧ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସେ ପ୍ରସ୍ତାବ ରଖିଥିଲେ।

ଆଲୋଚନାରେ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା ଭାଗ ନେଇ ଅଭିଯୋଗ କରିଥିଲେ, ଚିଟଫଣ୍ଡ ଦୁର୍ନୀତିରେ ସଂଶ୍ଲିଷ୍ଟ ଥିବା ଶାସକଦଳର ବିଧାୟକ ଓ ନେତାମାଙ୍କୁ ସୁରକ୍ଷା ଦେବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ସରକାର ବୁଝାମଣା କରିଛନ୍ତି। ସେହିପରି କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ଭୁବନେଶ୍ବରର ପ୍ରତିଷ୍ଠାତା ହରେକୃଷ୍ଣ ମହାତାବଙ୍କ ନାଁରେ ୫ ହଜାର ଲୋକ ବସିବାଭଳି ଏକ ଅଡିଟୋରିଅମ କରିବାକୁ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି କହିଥିଲେ ୫ଥର ବିଜେଡି ଶାସନକୁ ଆସିବା ପରେ ବି ରାଜ୍ୟର ୧୩ ହଜାର ୫୦୦ ଗ୍ରାମକୁ ରାସ୍ତା ନାହଁ।

ବିଜେଡି ସଦସ୍ୟ ଅମର ପ୍ରସାଦ ଶତପଥୀ ଓ ଦେବୀ ପ୍ରସାଦ ମିଶ୍ର କେନ୍ଦ୍ର ସରକାରଙ୍କ ଅବହେଳା ନେଇ ଗୃହରେ ଆଲୋଚନା କରିବା ସହ ରାଜ୍ୟକୁ ସ୍ବତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ଦେବାକୁ ଦାବି କରିଥିଲେ। ଆଲୋଚନାରେ ଅନ୍ୟ ବିଧାୟକମାନଙ୍କ ଭିତରେ ପ୍ରଫୁଲ୍ଲ ସାମଲ, ପ୍ରୀତି ରଞ୍ଜନ ଘଡ଼େଇ, ନିତ୍ୟାନନ୍ଦ ଗଣ୍ଡ, ଦେବେଶ ଆଚାର୍ଯ୍ୟ, ଅଶ୍ବିନୀ କୁମାର ପାତ୍ର, ପ୍ରଦିବ ଦିଶାରୀ, କିଶୋର ଚନ୍ଦ୍ର ନାୟକ, ଆଦିତ୍ୟ ମାଢ଼ୀ, ରାଜେନ୍ଦ୍ର କୁମାର ସାହୁ, ଅନନ୍ତ ଦାସ ଓ ସନାତନ ବିଜୁଳି ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର