ବାଚସ୍ପତିଙ୍କ ଉପରେ ରାଗିଗଲେ ବିରୋଧୀ ବିଧାୟକ

ପୂର୍ବାହ୍ଣରେ ବିଜେପି, ଅପରାହ୍ଣରେ କଂଗ୍ରେସ

ଗୃହରେ କହିବାକୁ ସୁଯୋଗ ମିଳୁ ନ ଥିବାରୁ ବିଜେପିର କକ୍ଷତ୍ୟାଗ
ଚାଷୀ ଆତ୍ମହତ୍ୟା ଘଟଣାରେ ଗୃହ କମିଟି ଗଠନ ଦାବିରେ କଂଗ୍ରେସର କକ୍ଷତ୍ୟାଗ
୭୨ ଘଣ୍ଟାରେ ରିପୋର୍ଟ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଦୁଇ ଦିନ ପରେ ବିଧାନସଭା ଶନିବାର ଦିନ ସ୍ବାଭାବିକ ହୋଇଥିଲା। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ହେବା ସହ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠିଥିଲା। କିନ୍ତୁ ଆଜି ବିରୋଧୀ ଦଳର ବିଧାୟକମାନେ ଗୃହ ପରିଚାଳନାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବାଚସ୍ପତିଙ୍କ ଉପରେ ସେମାନେ ଆରୋପ ଲଗାଇଥିଲେ। ବିଜେପିର ଅଭିଯୋଗ ଥିଲା, ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପିକୁ ଠିକ୍ ସମ୍ମାନ ମିଳୁନି ଓ ସଭ୍ୟମାନଙ୍କୁ କହିବାକୁ ସୁଯୋଗ ମିଳୁନି। କଂଗ୍ରେସର ଅଭିଯୋଗ ଥିଲା, ବଲାଙ୍ଗୀରରେ ଚାଷୀ ଆତ୍ମହତ୍ୟା ଘଟଣାରେ ଗୃହ କମିଟି ଗଠନ କରିବାକୁ ବାଚସ୍ପତି ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି।

ସକାଳେ ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲା ବେଳେ ଅପରାହ୍ନରେ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।

Facebook

ଶନିବାର ଦିନ ବିଧାନସଭା ଶୂନ୍ୟକାଳରେ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗ ଉଠାଇ କହୁଥିଲେ। ସେ କିଛି ସମୟ କହିଲା ପରେ ବାଚସ୍ପତି ତାଙ୍କୁ ଶୀଘ୍ର ସାରିବା ପାଇଁ କହିଥିଲେ। ଯେହେତୁ ଶୂନ୍ୟକାଳ ପାଇଁ ମାତ୍ର ୩୦ ମିନିଟ୍ ସମୟ ଦିଆଯାଇଛି, ତେଣୁ ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟ ଶେଷ କଲା ପରେ ପୁଣି ଅନ୍ୟମାନଙ୍କୁ କହିବା ପାଇଁ ସୁଯୋଗ ମିଳିବ ବୋଲି ବାଚସ୍ପତି କହିଥିଲେ। ଏହା ଏକ ଗୁରୁତ୍ବପୂଣ୍ଣ ପ୍ରସଙ୍ଗ ହୋଇଥିବାରୁ କହିବା ପାଇଁ ଅଧିକ ସମୟ ସୁଯୋଗ ମିଳୁ ବୋଲି ଶ୍ରୀ ମାଝୀ କହିଥିଲେ। କିନ୍ତୁ ଦୁଇ ତିନି ମିନିଟ୍ କହିଲା ପରେ ବାଚସ୍ପତି ତାଙ୍କୁ ବସିବା ପାଇଁ ପୁଣି କହିଲେ। ଶ୍ରୀ ମାଝୀ ତାହାର ପ୍ରତିବାଦ କରି କହିଲେ, ‘କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଅଧ ଘଣ୍ଟା କହିବା ପାଇଁ ଦିଆଯାଉଛି। କିନ୍ତୁ ମୁଖ୍ୟ ବିରୋଧୀ ଦଳକୁ ସୁଯୋଗ ଦିଆଯାଉନି। ମୋତେ ଆପଣ ଡିଷ୍ଟର୍ବ କରନ୍ତୁ ନାହିଁ।’ ତେବେ ବାଚସ୍ପତି ତାଙ୍କୁ ବସିବା ପାଇଁ କହି ଶାସକ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀଙ୍କୁ କହିବା ପାଇଁ ଡାକିଲେ। ଏହାର ପ୍ରତିବାଦରେ ବିଜେପି ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ବିରୋଧରେ ନାରାବାଜି କ‌ଲେ।

ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ କହିଲେ, ‘ବିଜେପି ସଭ୍ୟମାନଙ୍କୁ ଗୃହରେ ଯେପରି ବ୍ୟବହାର କରାଯାଉଛି, ସେଥିପାଇଁ ଆମେ ଦୁଃଖିତ। ଆମକୁ ଠିକ୍ ସମ୍ମାନ ମିଳୁନି। ତେଣୁ ଆମେ କକ୍ଷତ୍ୟାଗ କରୁଛୁ। ’ ବାଚସ୍ପତି ସେମାନଙ୍କୁ ବସିବା ପାଇଁ ଅନୁରୋଧ କରିଥିଲେ ବି ସେମାନେ ଶୁଣି ନ ଥିଲେ ଓ ଗୃହ ବାହାରକୁ ଚାଲିଯାଇଥିଲେ। ଏହା ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମୁଲତବୀ ରଖିଲେ। ପାଖାପାଖି ୪୫ ମିନିଟ୍ ସର୍ବଦଳୀୟ ବୈଠକ ହେଲା ପରେ ଗୃହରେ ମୁଲତବୀ ଆଲୋଚନା ଆରମ୍ଭ ହୋଇଥିଲା। କିନ୍ତୁ ବିଜେପି ସଭ୍ୟମାନେ ଆଉ ଗୃହକୁ ଫେରି ନ ଥିଲେ। ଗାନ୍ଧୀ ମୂର୍ତ୍ତି ତଳେ ଦିନତମାମ ଧାରଣାରେ ବସିଥିଲେ। ସେମାନଙ୍କୁ ବୁଝାଇ ଗୃହକୁ ଫେରାଇ ଆଣିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ବାଚସ୍ପତି ପଠାଇଥିଲେ। କିନ୍ତୁ ବିଜେପି ସଭ୍ୟମାନେ ଫେରିବାକୁ ‌ରୋକ୍‌ଠୋକ୍ ମନା କରିଦେଇଥିଲେ। ଅପରାହ୍ନରେ ସେମାନଙ୍କୁ ଆଉ ଥରେ ବୁଝାଇବାକୁ ଶ୍ରୀମତୀ ମଲ୍ଲିକ ଯାଇଥିଲେ। କିନ୍ତୁ ସେମାନେ ଶୁଣି ନ ଥିଲେ। ବାଚସ୍ପତି ପକ୍ଷପାତିତା କରୁଛନ୍ତି ବୋଲି ବିଜେପି ସଭ୍ୟମାନେ ଗଣମାଧ୍ୟମରେ ଅଭିଯୋଗ କରିଥିଲେ।

Facebook

ବିଜେପି ସଭ୍ୟମାନେ ରାଗ ଥମି ନ ଥିଲା ବେଳେ ଅପରାହ୍ନରେ ଗୃହରେ କଂଗ୍ରେସ ସଭ୍ୟମାନେ ଉତ୍‌କ୍ଷିପ୍ତ ହୋଇଥିଲେ। ପ୍ରଥମେ ବରିଷ୍ଠ ସଭ୍ୟ ସନ୍ତୋଷ ସିଂହ ସାଲୁଜା ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ରେ ଚାଷୀ ରେଚକା ବନଛୋର ମରୁଡ଼ି ପାଇଁ ଆତ୍ମହତ୍ୟା କରିଥିବା ପ୍ରସଙ୍ଗ ଉଠାଇଥିଲେ। ତେବେ ବାଚସ୍ପତି କହିଥିଲେ ଯେ ଗତକାଲି ଏହି ପ୍ରସଙ୍ଗରେ ସରକାରଙ୍କୁ ଅନୁଧ୍ୟାନ କରିବାକୁ କୁହାଯାଇଛି। ତେଣୁ ଆଉ ଏହି ପ୍ରସଙ୍ଗ ଉଠା ନ ଯାଉ। କିନ୍ତୁ ଏହାର ପ୍ରତିବାଦ କରିଥିଲେ ନରସିଂହ ମିଶ୍ର। ସେ କହିଥିଲେ ଯେ ଆପଣ ସରକାରଙ୍କୁ ରିପୋର୍ଟ ମାଗିନାହାନ୍ତି। କେବଳ ଏହାକୁ ଅନୁଧ୍ୟାନ କରିବାକୁ କହିଛନ୍ତି। ଯେହେତୁ ମରୁଡ଼ି ପାଇଁ ସେ ଆତ୍ମହତ୍ୟା କରିଛନ୍ତି, ତେଣୁ ଏହା ଏକ ସାଂଘାତିକ ପ୍ରସଙ୍ଗ। ତେଣୁ ଗୃହ କମିଟି ଦ୍ବାରା ତଦନ୍ତ ହେଲେ ପ୍ରକୃତ ତଥ୍ୟ ପଦାକୁ ଆସିବ।

ଏହାକୁ ନେଇ ବାଚସ୍ପତି ଓ ଶ୍ରୀ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ବାଚସ୍ପତି କହିଥିଲେ ଯେ ସରକାର ୭୨ ଘଣ୍ଟା ଭିତରେ ରିପୋର୍ଟ ଦେବେ। ତାହା ପରେ ଯାହା ଆଲୋଚନା କରାଯିବ। କିନ୍ତୁ ଶ୍ରୀ ମିଶ୍ର କହିଥିଲେ, ଗୃହ କମିଟି ଗଠନ କରିବାକୁ ବାଚସ୍ପତି କାହିଁକି ପଛଘୁଞ୍ଚା ଦେଉଛନ୍ତି। ବାଚସ୍ପତି କହିଥିଲେ, ସୋମବାର ଦିନ ମରୁଡ଼ି ପ୍ରସଙ୍ଗରେ ଆଲୋଚନା ହେବ। ସେହିଦିନ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା ହୋଇପାରିବ। କିନ୍ତୁ ଶ୍ରୀ ମିଶ୍ର ଏଥିରେ ରାଜି ହୋଇ ନ ଥିଲେ। ଗୃହ କମିଟି ଗଠନ ନ କଲେ ଗୃହ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ଜଣାଇ ଦେଇଥିଲେ। ବରଗଡ଼ରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହ କମିଟି ଗଠନ ହୋଇଥିଲା ବେଳେ ତାହାର ରିପୋର୍ଟ କ’ଣ ଆସିଲା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। ବାଚସ୍ପତି କିଛି ଉତ୍ତର ଦେଇ ନ ଥିଲେ। ଏହା ପରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କଲେ। କିନ୍ତୁ ବାଚସ୍ପତି ବିଭିନ୍ନ ବିଲ୍ ଉପରେ ଆଲୋଚନା ଜାରି ରଖିଲେ। ଏହାର ପ୍ରତିବାଦରେ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର