ଘରୋଇ ହସ୍ପିଟାଲ ଲୋକଙ୍କୁ ଲୁଟୁଛନ୍ତି: ବିରୋଧୀ

ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆଇନ ଆସୁ, ନିଦାନ ଯୋଜନାକୁ ବ୍ଲକ୍‌ସ୍ତରରେ ଲାଗୁ କରାଯାଉ, ୨/୩ ବର୍ଷ ପରେ ବର୍ଷକୁ ୧୫୦୦ ଡାକ୍ତର ବାହାରିବେ: ମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗର ଖର୍ଚ୍ଚ ଦାବି ଗୃହୀତ

ଭୁବନେଶ୍ବର : ରାଜ୍ୟରେ ଥିବା ଘରୋଇ ହସ୍ପିଟାଲମାନଙ୍କ ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁନି। ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ରୋଗୀଟି ବାଧ୍ୟ ହୋଇ ଘରୋଇ ମେଡିକାଲକୁ ଆସି ତଳିତଳାନ୍ତ ହେଉଛି। ନବନିର୍ମିତ ବଲାଙ୍ଗୀର ମେଡିକାଲ କଲେଜ କୋଠାରୁ ପାଣି ଗଳୁଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ଼କୁ ଅଧିକାଂଶ ଘରୋଇ ହସ୍ପିଟାଲ ଗ୍ରହଣ କରୁନାହାନ୍ତି। ଆଜି ବିଧାନସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ଏପରି ଅଭିଯୋଗ କରିଛନ୍ତି। ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ଆଉ ୨/୩ ବର୍ଷ ପରେ ରାଜ୍ୟରେ ବର୍ଷକୁ ୧୫୦୦ ଡାକ୍ତର ବାହାରିବେ। ଡାକ୍ତର ଅଭାବ ପୂରଣ ହେବ। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ଼ ପାଇଁ ଅନୁବନ୍ଧିତ ହୋଇଥିବା ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ଚିକିତ୍ସାରେ କୌଣସି ହଇରାଣ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସବୁ ସଦସ୍ୟମାନଙ୍କୁ ସରକାରୀ ନିର୍ଦ୍ଦେଶନାମାର ନକଲ ଯୋଗାଇ ଦିଆଯିବ।

ଗୁରୁବାର ସ୍ବାସ୍ଥ୍ୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ, ରାଜ୍ୟରେ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଘୋର ଅଭାବ ରହିଛି। ଏହାର ସୁଯୋଗ ନେଇ ରାଜ୍ୟରେ ଥିବା ବଡ଼ ବଡ଼ କର୍ପୋରେଟ ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ଲୁଟି ଚାଲିଛନ୍ତି। ଅଥଚ ସରକାରଙ୍କ ସେମାନଙ୍କ ଉପରେ କଟକଣା ନାହିଁ। ଚିକିତ୍ସାଧୀନ ଅବସ୍ଥାରେ ରୋଗୀର ମୃତ୍ୟୁ ହେଲେ ମେଡିସିନ ଓ ଚିକିତ୍ସା ନାଁରେ ବିଭିନ୍ନ ପ୍ରକାର ବିଲ୍‌ କରି ତାର ଶବକୁ ହସ୍ତାନ୍ତର କରୁନାହାନ୍ତି। ଭୁବନେଶ୍ବରରେ ଥିବା ଆମ୍ରି, ଆପୋଲୋ ଓ କଳିଙ୍ଗ ହସ୍ପିଟାଲ ଏହାର ଜ୍ବଳନ୍ତ ଉଦାହରଣ ବୋଲି ଶ୍ରୀ ସେଠୀ ଗୃହରେ କହିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ଘରୋଇ ହସ୍ପିଟାଲ ଗ୍ରହଣ କରୁନାହାନ୍ତି। ଫଳରେ ସାଧାରଣ ଲୋକଟି ଅତ୍ୟାଚାରିତ ହେଉଛି। କେବଳ ପରୀକ୍ଷାନିରୀକ୍ଷା ନାଁରେ ହଜାର ହଜାର ଟଙ୍କା ଲୁଟି ଚାଲିଛନ୍ତି। ସ୍ବାସ୍ଥ୍ୟ ସୂଚକାଙ୍କରେ ଓଡ଼ିଶା ୨୧ଟି ରାଜ୍ୟ ମଧ୍ୟରେ ୧୮ରୁ ୧୯ତମ ସ୍ଥାନରେ ରହିଛି।

ବିଜେଡି ସଭ୍ୟ ପ୍ରତାପ ଦେବ ଆଲୋଚନାରେ ଭାଗ ନେଇ ସରକାରଙ୍କୁ କେତୋଟି ପ୍ରସ୍ତାବ ଦେଇଥିଲେ। ଶ୍ରୀ ଦେବ କହିଥିଲେ, ନିଦାନ ଯୋଜନା କେବଳ ଜିଲ୍ଲାସ୍ତରରେ ସୀମିତ ନରଖି ବ୍ଲକ୍‌ସ୍ତରକୁ ସଂପ୍ରସାରଣ କରାଯାଉ। ସ୍ବାସ୍ଥ୍ୟସେବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସାଧାରଣ ଲୋକଟିଏ ସଚେତନ ନୁହେଁ, ଏହାର ବ୍ୟାପକ ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି। ପ୍ରତି ପଞ୍ଚାୟତରେ ସ୍ବାସ୍ଥ୍ୟ ଫ୍ରଣ୍ଟ୍ କରିବା ସହ ଫାର୍ମାସିଷ୍ଟ, ଏଏନଏମ୍ ଓ ଆଶାକର୍ମୀ ନିଯୁକ୍ତ କରାଯାଉ। ଘରୋଇ ହସ୍ପିଟାଲକୁ ନିୟନ୍ତ୍ରଣ କରିବାକୁ ସ୍ବତନ୍ତ୍ର ଆଇନ ଆଣିବାକୁ ଶ୍ରୀ ଦେବ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।

କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ କହିଥିଲେ, କ୍ୟାପିଟାଲ ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ ବି ଏ ଯାଏଁ ହୋଇନାହିଁ। ସେହିପରି ଘରୋଇ ଉଦ୍ୟମରେ ପରିଚାଳିତ ଭୁବନେଶ୍ବର ପୋଖରୀପୁଟରେ ଥିବା ଆୟୁର୍ବେଦ କଲେଜକୁ ସରକାର ନିଜ ହାତକୁ ନେବାକୁ ଶ୍ରୀ ରାଉତରାୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସେହିପରି କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି କହିିଥିଲେ କୋରାପୁଟ ମେଡିକାଲରେ ଏମ୍‌ଆର୍‌ଆଇ ବ୍ୟବସ୍ଥା ଆଜି ଯାଏ ହୋଇପାରିଲାନି। ସୁଦୂର କୋରାପୁଟରୁ କର୍କଟ ରୋଗୀ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚକିତ୍ସା କେନ୍ଦ୍ରକୁ ଆସୁଥିଲେ ବି ସେଠାରେ ଆବଶ୍ୟକ ବେଡ୍‌ ଓ କର୍ମଚାରୀ ଅଭାବରୁ ଚିକିତ୍ସା ସୁବିଧା ପାଇପାରୁନାହାନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ନୂଆ ହୋଇ ଚାଲୁ ହୋଇଥିବା ବଲାଙ୍ଗୀର ମେଡିକାଲ କଲେଜର ଛାତରୁ ପାଣି ଗଳୁଛି। ନିମ୍ନମାନର କାମ ଯୋଗୁଁ କଲେଜ କାନ୍ଥ ଫାଟିଗଲାଣି। ସ୍ବାସ୍ଥ୍ୟମନ୍ତ୍ରୀ ଏହାର ତଦନ୍ତ କରନ୍ତୁ। ସନ୍ଥ ଭୀମଭୋଇଙ୍କ ନାମରେ ବଲାଙ୍ଗୀର ମେଡିକାଲ କଲେଜର ନାମକରଣ କରିବାକୁ ସରକାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଏ ଗୃହରେ ପ୍ରତିଶ୍ରୁତି ରଖିଥିଲେ ବି ଏ ଯାଏଁ ମେଡିକାଲ କଲେଜର ନାମ ପୂର୍ବରୁ ‘ସନ୍ଥ’ ଶବ୍ଦ ଯୋଡ଼ାଯାଇନି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ସବୁ ଘରୋଇ ମେଡିକାଲ ଗ୍ରହଣ କରୁନାହାନ୍ତି ବୋଲି ଦର୍ଶାଇ ଶ୍ରୀ ମିଶ୍ର କହିଥିଲେ, ଯଦି ସରକାର ଅନୁବନ୍ଧିତ ମେଡିକାଲଗୁଡ଼ିକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ଼ ଗ୍ରହଣ କରିବାକୁ ଆଗରୁ ନିର୍ଦ୍ଦେଶ ଦେଇଛନ୍ତି କିମ୍ବା ଦେବାର ବାକି ଅଛି, ତା ହେଲେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସବୁ ସଦସ୍ୟଙ୍କୁ ଏହାର ନକଲ ସ୍ବାସ୍ଥ୍ୟମନ୍ତ୍ରୀ ଯୋଗାଇ ଦିଅନ୍ତୁ।

ଆଲୋଚନା ଶେଷରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଉତ୍ତର ରଖି କହିଥିଲେ, ବଲାଙ୍ଗୀର ମେଡିକାଲ କଲେଜ କୋଠାର ସ୍ଥିତାବସ୍ଥା ନେଇ ଖୁବଶୀଘ୍ର ରିପୋର୍ଟ ମାଗିବେ। ମୁଖ୍ୟମନ୍ତ୍ରୀଙ୍କ ସମୟରେ ନୂଆକରି ୭ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ସହ ଆଉ ୬ଟି ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଦୁଇ କିମ୍ବା ତିନି ବର୍ଷ ପରେ ଘରୋଇ ମେଡିକାଲ କଲେଜରୁ ବର୍ଷକୁ ୪୦୦ ଓ ସରକାରୀ ମେଡିକାଲ କଲେଜରୁ ୧୧୦୦ ଡାକ୍ତର ଉତ୍ତୀର୍ଣ୍ଣ ହେ‌େବ। ଫଳରେ ଆଉ ଡାକ୍ତର ଅଭାବ ସମସ୍ୟ ରହିବ ନାହିଁ। ଏହାସହିତ ରାଜ୍ୟକୁ ଆଉ ୨ ହଜାର ଡାକ୍ତର, ୧୫ ହଜାର ପାରାମେଡିକାଲ ଷ୍ଟାଫ୍ ଓ କର୍ମଚାରୀ ନିଯୁକ୍ତି କରିବାକୁ ସରକାରଙ୍କ ପ୍ରସ୍ତାବ ରହିଛି। ଖୁବଶୀଘ୍ର ବିଧାନସଭା ସଦସ୍ୟମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ଼ ସମ୍ବନ୍ଧରେ ସରକାରୀ ନିର୍ଦ୍ଦେଶନାମା ନକଲ ଯୋଗାଇ ଦିଆଯିବ। ରାଜ୍ୟରେ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ଏ ନେଇ ସ୍ବାସ୍ଥ୍ୟନୀତି ୨୦୨୫ ବିକାଶ କରାଯାଉଛି ବୋଲି ଶ୍ରୀ ଦାସ କହିଥିଲେ। ଏଥି ସହ ଗୃହରେ ସ୍ବାସ୍ଥ୍ୟ ବିଭାଗର ୬ ହଜାର ୮୦୨ କୋଟି ୧୨ ଲକ୍ଷ ୩ ହଜାର ଟଙ୍କାର ଖର୍ଚ୍ଚଦାବି ଅନୁମୋଦନ ଲାଭ କରିଛି।

ଆଲୋଚନାରେ ଅନ୍ୟ ବିଧାୟକମାନଙ୍କ ଭିତରେ ଅମର ପ୍ରସାଦ ଶତପଥୀ, ପ୍ରମୋଦ ମଲ୍ଲିକ, ସଞ୍ଜୀବ କୁମାର ମଲ୍ଲିକ, ମଦନ ମୋହନ ଦତ୍ତ, ଅନନ୍ତ ନାରାୟଣ ଜେନା, ମନୋହର ରାନ୍ଧାରୀ, ଚକ୍ରମଣି କହଁର, ବୁଧାନ ମୁର୍ମୁ, ଶାରଦା ପ୍ରସନ୍ନ ନାୟକ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର