ରାୟଗଡ଼ା: ଜେଲ୍ ଫେରନ୍ତା ପ୍ରସୂତି ମହିଳା ସୁଲବତୀ ନାୟକ ମୃତ୍ୟୁ ଘଟଣାକୁ ନେଇ ରାୟଗଡ଼ା ରାଜନୀତି ଉଷ୍ମ ହେବାରେ ଲାଗିଛି। ଘଟଣା ପାଇଁ ବିରୋଧୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗାଁକୁ କାମ, ମା’କୁ ସମ୍ମାନର ନାରା ଦେଉଥିବା ବେଳେ ସୁଲବତୀ ଗର୍ଭବତୀ ଅବସ୍ଥାରେ ଜେଲ୍ ଯିବା, ଜାମିନରେ ଫେରିବା ପରେ ନବଜାତକକୁ ଜନ୍ମ ଦେଇ ଆଖି ବୁଜିବା କି ପ୍ରକାର ସମ୍ମାନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସରକାର କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଉଥିବାରୁ କମ୍ପାନି କଥାରେ ପୁଲିସ୍-ପ୍ରଶାସନ ପରିଚାଳିତ ହେଉଥିବା କହିଛନ୍ତି କଂଗ୍ରେସ, ବିଜେପି ଓ ବିଏସପି ପ୍ରତିନିଧି ଦଳ।
କାଶୀପୁର ବ୍ଲକ୍ ମାଇକଞ୍ଚ ପଞ୍ଚାୟତ ଅଣ୍ଡିରାକଞ୍ଚ ଗ୍ରାମରେ ୮୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। କମ୍ପାନି ପ୍ରତିଷ୍ଠା ସମୟରେ ଗ୍ରାମବାସୀ ଜମି ହରାଇଛନ୍ତି। ଗ୍ରାମ ଦେଇ କମ୍ପାନିର କନଭେୟାର ବେଲଟ୍ ଯାଇଛି। ବକ୍ସାଇଟ୍ ପରିବହନ ଯୋଗୁ ଧୂଳିଧୂଆଁରେ ଲୋକେ ଅଣନିଶ୍ବାସୀ ହୋଇ ପଡୁଛନ୍ତି। ବିସ୍ଥାପିତ ଗ୍ରାମବାସୀ କମ୍ପାନିରେ କାମ ପ୍ରଦାନ ଦାବିରେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରି ଆସୁଛନ୍ତି। କାଶୀପୁର ତହସିଲଦାର-କମ୍ପାନି କର୍ତ୍ତୃପକ୍ଷ-ଗ୍ରାମବାସୀଙ୍କ ଉପସ୍ଥିତିରେ ସମାଧାନର ରାସ୍ତା ବାହାରିଥିଲେ ମଧ୍ୟ କାମ ପ୍ରଦାନରେ ଅବହେଳାକୁ ନେଇ ଡିସେମ୍ବର ୨୬ରେ ଆନ୍ଦୋଳନକୁ ଓହ୍ଲାଇଥିଲେ ୧୩ରୁ ଉର୍ଦ୍ଧ୍ବ ମହିଳା। କମ୍ପାନି ପାଚେରୀ ସମ୍ମୁଖରେ ଆନ୍ଦୋଳନରେ ବସିବା ପରେ ଅଣ୍ଡିରାକଞ୍ଚ ପୁଲିସ୍ ଆକ୍ରୋଶମୂଳକ ଭାବେ ମହିଳାଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ ଲଗାଇ ରାତି ଅଧରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏପରିକି ଗିରଫ ସମୟରେ ଆଇନ କାନୁନର ସମସ୍ତ ଦିଗକୁ ପୁଲିସ୍ ଉଲ୍ଲଂଘନ କରିଛି।
ଗର୍ଭବତୀ ମହିଳାଙ୍କୁ କୋର୍ଟ ଚାଲାଣ ନ କରି ସ୍ବଧାର ଗୃହରେ ରଖିବାର ନିୟମ ରହିଛି। ହେଲେ ପୁଲିସ୍ ମେଡ଼ିକାଲ୍ ଯାଞ୍ଚ ନ କରି ମାଜିଷ୍ଟ୍ରେଟଙ୍କ ଅଜାଣତରେ କୋର୍ଟ ଚାଲାଣ କରିଛି। ଦୀର୍ଘ ୧୪ ଦିନ ଜେଲରେ ବିନା ସ୍ବାସ୍ଥ୍ୟସେବାରେ ଗର୍ଭବତୀ ଥିବା ସୁଲବତୀ ରହିବା ପରେ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଜାନୁଆରୀ ୧୦ ତାରିଖରେ ଜାମିନରେ ମୁକୁଳିବା ପରେ ୧୧ ତାରିଖରେ ସୁଲବତୀ ନବଜାତ ଶିଶୁପୁତ୍ରକୁ ଜନ୍ମ ଦେଇ ମୃତ୍ୟୁବରଣ କରିଥିଲେ। ସୁଲବତୀଙ୍କ ଘଟଣା ଲୋକ ଲୋଚନକୁ ଆସିଥିବା ବେଳେ ପୁଲିସ୍, ପ୍ରଶାସନ, କମ୍ପାନି କର୍ତ୍ତୃପକ୍ଷଙ୍କ ଏପରି ଅବହେଳା କାରଣରୁ କାଶୀପୁର ଅଞ୍ଚଳର ଅନେକ ସୁଲବତୀଙ୍କ ଜୀବନ ଏମିତି ଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ପ୍ରସୂତି ମୃତ୍ୟୁ ଘଟଣାକୁ ନେଇ ପ୍ରତିଦିନ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରୁଥିଲେ ମଧ୍ୟ ଏଯାବତ୍ ଶାସକ ଦଳର ଜଣେ ବି ନେତା ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖି ନାହାନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ଏଭଳି ସ୍ପର୍ଶକାତର ଘଟଣାରେ ମୃତକଙ୍କ ପରିବାର ପାଇଁ ମଧ୍ୟ ସରକାର କୌଣସି ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିନାହାନ୍ତି।
କମ୍ପାନି ମୃତକଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବା ସହ ଦୁଇ ଛୁଆଙ୍କ ପାଠପଢ଼ା, ରକ୍ଷଣାବେକ୍ଷଣ ସହ ସ୍ବାମୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଛି। କ୍ଷତିପୂରଣ ରାଶି ବହୁତ କମ୍ ହୋଇଥିବାରୁ ବିରୋଧୀ କମ୍ପାନି ନିକଟରେ ସର୍ତ୍ତ ରଖିଛନ୍ତି। କଂଗ୍ରେସ ଏହି ଘଟଣାରେ ମୃତକଙ୍କ ପରିବାରକୁ କୋଟିଏ ଟଙ୍କାର ସହାୟତା ରାଶି ଯୋଗାଇ ଦେବାକୁ ଦାବି ରଖିଛି। ନଚେତ୍ ଫେବ୍ରୁଆରୀ ୬ରେ କମ୍ପାନି ଘେରାଉ ପାଇଁ ଚେତାବନୀ ଦେଇଛି। ସେହିପରି ବିଜେପି ପ୍ରତିନିଧି ଦଳ ମୃତ ପରିବାରକୁ ୩୦ ଲକ୍ଷ କ୍ଷତିପୂରଣ ଦାବି କରିଛି। ରାଜ୍ୟ ସରକାରଙ୍କ ତଦନ୍ତ ଉପରୁ ଭରସା ତୁଟି ଯାଇଥିବାରୁ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ବିଜେପି ଦାବି କରିଛି। ବିଏସପି ପ୍ରତିନିଧି ଦଳ ମଧ୍ୟ ମୃତ ପରିବାରକୁ ଭେଟି ରାଜ୍ୟ ସରକାର ଓ କମ୍ପାନି କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି। ସେପଟେ ଜାତୀୟ ମାନବାଧିକାର କମିଶନ୍ ନିକଟରେ ଏ ନେଇ ମାମଲା ରୁଜୁ ହୋଇଥିବା ବେଳେ ୫୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଏବଂ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆବେଦନ ହୋଇଛି।