ଟିଏମ୍‌ସି ହିସାବ ମାଗିବା ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ବର : ଟିଏମ୍‌ସି ହିସାବ ମାଗିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। କେଉଁ ପାଣ୍ଠିରୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ବାବଦରେ ଅର୍ଥ ଦିଆଯାଉଛି ଏ ନେଇ ସରକାର କେବେ ବି ସ୍ପଷ୍ଟ କରିନାହାନ୍ତି। ଏହାସହିତ ପଞ୍ଚାୟତକୁ ଏ ପର୍ଯ୍ୟନ୍ତ ଟଙ୍କାଟିଏ ବି ଦେଇନାହାନ୍ତି। ଏଭଳି ସ୍ଥିତିରେ କାହାକୁ ଓ କିପରି ହିସାବ ମାଗିବେ ବୋଲି କଂଗ୍ରେସ ଓ ବିଜେପି ପ୍ରଶ୍ନ ଉଠାଇଛନ୍ତି। ତେବେ ବିରୋଧୀଙ୍କୁ ଜବାବ ଦେଇ ବିଜେଡି କହିଛି, ଜରୁରୀ ପରିସ୍ଥିତିରେ ଗଚ୍ଛିତ ଟଙ୍କାରୁ ଖର୍ଚ୍ଚ କରାଯାଏ। ମହାମାରୀ ମୁକାବିଲା ପାଇଁ ଟିଏମ୍‌ସି ଖର୍ଚ୍ଚ ବାବଦରେ ପଞ୍ଚାୟତ ପାଣ୍ଠିରୁ ଖର୍ଚ୍ଚ କରିବାକୁ କୁହାଯାଇଥିଲା। ଏଥିରେ କିଛି ଅସଂଗତି ହୋଇନାହିଁ।

twitter.com

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରିଥିଲେ, ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍‌ରେ ରଖିବା ପାଇଁ ସରକାର ବ୍ୟବସ୍ଥା କଲେ। ଟିଏମ୍‌ସି ବାବଦରେ ଏସ୍‌ଡିଆର୍‌ଏଫ୍‌ ପାଣ୍ଠିରୁ ଖର୍ଚ୍ଚ ହେବ ବୋଲି କହିଥିଲେ। କିନ୍ତୁ ପରେ ଏହି ପାଣ୍ଠିରୁ ଟଙ୍କା ଦେଲେନି। ଟିଏମ୍‌ସି ଭିତ୍ତିଭୂମି ନିର୍ମାଣରେ ଅନେକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଆରମ୍ଭରୁ ଏହିସବୁ କେନ୍ଦ୍ରଗୁଡ଼ିକର ଖର୍ଚ୍ଚ ତଦାରଖ ଦାୟିତ୍ବ କାହା ଉପରେ ନ୍ୟସ୍ତ କରାଯାଇଥିଲା ଓ କେଉଁ ବଜେଟ୍‌ରୁ ଜିଲ୍ଲାଵାରୀ କେତେ ଖର୍ଚ୍ଚ ହୋଇଛି ତାର ହିସାବ ରାଜ୍ୟ ସରକାର ଦେବା ଦରକାର। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ସରପଞ୍ଚମାନଙ୍କୁ ଟଙ୍କା ଦେବା କଥା କହି ସରକାର ଦେଇନାହାଁନ୍ତି। ପଞ୍ଚାୟତ ପାଣ୍ଠିରେ ଥିବା ଟଙ୍କା ଖର୍ଚ୍ଚ କରାଯିବାରୁ ପଞ୍ଚାୟତର ଉନ୍ନତିକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଟଙ୍କା ନ ଦେଇ ବର୍ତ୍ତମାନ ରାଜ୍ୟ ସରକାର କେମିତି ହିସାବ ମାଗୁଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଥିଲେ।

ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ବିଜେଡି ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଟିଏମ୍‌ସି କେନ୍ଦ୍ର ବାବଦ ଖର୍ଚ୍ଚ ପଂଚାୟତ ପାଣ୍ଠିରୁ କରାଯିବ ବୋଲି କୁହାଯାଇଥିଲା। ଦୈନଦିନ ଖର୍ଚ୍ଚ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪୮ କୋଟି ବି ଦିଆଯାଇଥିଲା। ପଞ୍ଚାୟତରେ ଜନ ପ୍ରତିନିଧିମାନେ ଅଛନ୍ତି। ବିରୋଧୀଙ୍କ ପାଖରେ ଯଦି କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି, ତାହେଲେ ଆଣନ୍ତୁ। ସରକାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରଗୁଡ଼ିକ ପରିଚାଳନା ହେଉଛି। ଏଥିରେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ।

ସମ୍ବନ୍ଧିତ ଖବର