ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଗର୍ଜିଲେ ବିରୋଧୀ

ଭୁବନେଶ୍ବର : ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ମହିଳା, ଶିଶୁ କେହି ବି ସୁରକ୍ଷିତ ନୁହନ୍ତି। କୁନ୍ଦୁଲିଠାରୁ ଆରମ୍ଭ କରି ସ୍ମିତାରାଣୀ ପର୍ଯ୍ୟନ୍ତ ମାମଲା ସୂଚାଇ ଦେଉଛି ସରକାରଙ୍କ ୫ ‘ଟି’ କେମିତି ଚାଲିଛି। ଅପରାଧ ବଢୁଛି, ଦୋଷୀ ସାବ୍ୟସ୍ତ ହାର କମୁଛି। ରାଜ୍ୟ ଶାସନ କରିବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ। ଏମିତି ଗୋଟିଏ ପରେ ଗୋଟିଏ ଅଭିଯୋଗ ଫିଙ୍ଗି ଆଜି ବିଧାନସଭାରେ ଗୃହ ବିଭାଗ ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନାରେ ବିରୋଧୀ ଦଳ ସଭ୍ୟମାନେ ଗର୍ଜନ ତର୍ଜନ କରିଥିଲେ। ଅନ୍ୟପକ୍ଷରେ ବିଜେଡି ବିଧାୟକମାନେ ଅନ୍ୟ ରାଜ୍ୟର ଅପରାଧ ପରିସଂଖ୍ୟାନ ଦେଇ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ ଯେ ବିରୋଧୀ ଦଳର ଅଭିଯୋଗରେ ଦମ୍ ନାହିଁ। ପାଖାପାଖି ୪ ଘଣ୍ଟାରୁ ଅଧିକ ସମୟ ଧରି ଶାସକ ଓ ବିରୋଧୀଙ୍କ ଅଭିଯୋଗ ପ୍ରତି ଅଭିଯୋଗକୁ ନେଇ ଗୃହରେ ସରଗରମ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ୨୦୧୯ ନିର୍ବାଚନ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରଶାସନକୁ ୩ଟି ମନ୍ତ୍ର ଦେଇଥିଲେ। ତାହା ଥିଲା ଟେକ୍ନୋଲୋଜି,ଟ୍ରାନ୍ସପରେନ୍ସି ଓ ଟିମ୍ ଵାର୍କ। ନିର୍ବାଚନ ପରେ ସେଥିରେ ଆଉ ଦୁଇଟି ‘ଟି’ ଯୋଡ଼ି ଦିଆଯାଇଛି। ସେ ଦୁଇଟି ହେଲା ଟାଇମ୍ ଓ ଟ୍ରାନ୍ସଫର୍ମେସନ୍। ଏହି ୫ ‘ଟି’ ମନ୍ତ୍ର ଜପ ବା ପାଳନ କରିବାକୁ ସେ ତାଙ୍କର ପ୍ରଶାସନିକ ସହଯୋଗୀଙ୍କୁ ନିର୍ଦେଶ ଦେଇଛନ୍ତି। ମାତ୍ର ଏହା ତାଙ୍କ ନିଜ ବିଭାଗରେ କାର୍ଯ୍ୟ କରୁଛି କି ନାହିଁ, ତାହା ସେ ଜାଣନ୍ତି ନାହିଁ।

ବିରୋଧୀ ଦଳ ନେତା କହିଥିଲେ, ପୁଲିସ ବିଭାଗ କି ଟେକ୍ନୋଲୋଜିରେ ତଦନ୍ତ କରେ କେଜାଣି, ଦୋଷୀମାନେ ନିର୍ଦୋଷରେ ଖଲାସ ହୁଅନ୍ତି। ପିପିଲି ମାମଲାରେ ନବୀନ ପଟ୍ଟନାୟକଙ୍କର ଟେକ୍ନୋଲୋଜି ମନ୍ତ୍ରର ଶକ୍ତି କେତେ ତାହା ଜଣାପଡ଼େ। କୁନ୍ଦୁଲି ଘଟଣାରେ ମଧ୍ୟ ଦୁଷ୍କର୍ମକାରୀ କିଏ ଧରାପଡ଼ିଲେ ନାହିଁ। ଓଲଟା ଦୁଷ୍କର୍ମ କରାଯାଇନଥିଲା ବୋଲି ପ୍ରମାଣିତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ବାବୁମାନେ ଏକାଠି ହୋଇଗଲେ। ୨୦୧୦ ମସିହାରୁ ୨୦୧୯ ମସିହା ଯାଏ ହତ୍ୟା, ଦୁଷ୍କର୍ମ ଆଦିର ପରିସଂଖ୍ୟାନ ରଖି ଶ୍ରୀ ନାୟକ କହିଥିଲେ, ରାଜ୍ୟ ବିକାଶ ରାସ୍ତାରେ ଅପରାଧ ପ୍ରତିବନ୍ଧକ ସାଜିଥାଏ। ଯେଉଁ ରାଜ୍ୟରେ ଲୋକେ ନିଜ, ଧନ, ଜୀବନ ଓ ମର୍ଯ୍ୟାଦାକୁ ନେଇ ଅସୁରକ୍ଷିତ ମନେ କରନ୍ତି, ସେମାନେ ରାଜ୍ୟ ବିକାଶ ପ୍ରକ୍ରିୟାରେ କିଭଳି ମନୋନିବେଶ କରିବେ। ଅପରାଧ ବଢ଼ିଲେ, ଅସ୍ଥିରତା ବଢ଼ିଥାଏ। ସ୍ମିତାରାଣୀ ମାମଲାଠାରୁ ଆରମ୍ଭ କରି କଳାହାଣ୍ଡି ସଟ୍ଟା ପର୍ଯ୍ୟନ୍ତ ବିଭିନ୍ନ ଘଟଣାରେ ପୁଲିସ ଭୂମିକା ନେଇ ସେ ପ୍ରଶ୍ନ ଉଠାଇଥିଲେ। କେଉଁ ପରିସ୍ଥିତିରେ ରାଜ୍ୟ ସରକାର ପୁଲିସ ଡିଜିଙ୍କୁ ଅପମାନିତ କରି ବିଦା କଲେ, ପୂର୍ବରୁ କିଭଳି ରାଜ୍ୟ ସରକାର ପ୍ରକାଶ ମିଶ୍ରଙ୍କୁ ବିଦା କରିଥିଲେ, ସେ ନେଇ ବି ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ ବିରୋଧୀ ଦଳ ନେତା।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଓଡ଼ିଶାରେ ବୋଧହୁଏ ଗଣତନ୍ତ୍ର ଶାସନ ଆଉ ନାହିଁ। ବିଭିନ୍ନ ଉପାୟ ଅବଲମ୍ବନ କରି ନିର୍ବାଚନ ଜିତିବା ପାଇଁ ବ୍ୟବସ୍ଥା କରାଯାଉଛି। ଏହା ଗୋଟିଏ ରାଜତନ୍ତ୍ର ଚିନ୍ତାଧାରା। ଗୃହରେ ମୁଖ୍ୟମନ୍ତ୍ରୀଙ୍କୁ ଯାହା ପଚାରିଲେ ଉତ୍ତର ମିଳେନି। ଗତ ଜୁଲାଇ ମାସରେ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରିଥିଲେ ରାଜ୍ୟରେ କେତେ ଆଇଏଏସ୍, ଆଇପିଏସ୍, ଓଏଏସ୍, ଆଇଏଫ୍‌ଏସ୍‌ଙ୍କ ବିରୋଧରେ ଦୁର୍ନୀତି ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉତ୍ତର ମିଳିଲା ତଥ୍ୟ ସଂଗ୍ରହ କରାଯାଉଛି। ଶାସକ ଦଳ ସଭ୍ୟ ସୌମ୍ୟରଂଜନ ପଟ୍ଟନାୟକ ଗତ ୧୮ ତାରିଖରେ ପୁଲିସ ଦରଜ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ କଥା ପଚାରିଥିଲେ। ଉତ୍ତର ମିଳିଲା ତଥ୍ୟ ସଂଗ୍ରହ କରାଯାଉଛି। ଏଠି ଆମେ କାହାକୁ ପଚାରିବୁ? କିଏ ଉତ୍ତର ଦେବ? ରାଜ୍ୟ ଶାସନ କରିବାର ମୁଖ୍ୟମନ୍ତ୍ରୀଙ୍କର ନୈତିକ ଅଧିକାର ଅଛି ତ?

ଶ୍ରୀ ମିଶ୍ର କହିଥିଲେ, ୨୦୧୭ ଏନ୍‌ସିଆରବି ରିପୋର୍ଟ କହୁଛି, ଅନୁସୂଚିତ ଜାତି ବର୍ଗଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହାର ୩.୨%। ଏହା କଣ ଉଦ୍‌ବେଗଜନକ ନୁହେଁ କି? ଲୋକମାନେ କଣ ଏଇଥିପାଇଁ ଭୋଟ ଦେଇ ଶାସନକୁ ଆଣିଛନ୍ତି ? ଏହି ବର୍ଗ ବିରୋଧରେ ୮୬୧୫ ମାମଲା ପଡ଼ି ରହିଛି। ୨୫୧ଟି ରେ ବିଚାର ଶେଷ ହୋଇଛି। ଏଥିରେ ରାଜ୍ୟ ସରକାର ଇତିହାସ ରଚିଛନ୍ତି। ବରିଷ୍ଠ ନାଗରିକମାନଙ୍କ ବିରୋଧ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୦%। ସବୁ ପୁଲିସ ଅଧିକାରୀ ଅଯୋଗ୍ୟ କିମ୍ବା ଦୁର୍ନୀତିଗ୍ରସ୍ତ ନୁହନ୍ତି। ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ତଦନ୍ତ କରି ଅଭିଯୁକ୍ତକୁ ଜେଲ ପଠାଇବାରେ ପୁଲିସ ଅଧିକାରୀଙ୍କ ଭୂମିକା ସାରାଦେଶରେ ରେକର୍ଡ କରିଛି। ସ୍ମିତାରାଣୀ ଘଟଣାରେ ଏତଲାରେ ଦସ୍ତଖତକୁ ନେଇ ତଦନ୍ତ ହେବା ଦରକାର। ତାଙ୍କ ସ୍ୱାମୀ ନିଜେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏଇ ଘଟଣାରେ ପୁଲିସ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି? ସତ୍ୟ ଉନ୍ମୋଚନ କରିବା ପାଇଁ ଆରମ୍ଭରୁ ସିବିଆଇ କିମ୍ୱା ଏସ୍‌ଆଇଟି ତଦନ୍ତ ଦାବି କରୁଛୁ। ତା ପୁଣି ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ। ନିକଟରେ ଜଣେ ପୁଲିସ ଡିଜିଙ୍କ ବିରୋଧରେ ସରକାର ତଦନ୍ତ କମିଟି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚାଲେଞ୍ଜ ଦେଇ ଶ୍ରୀ ମିଶ୍ର କହିଥିଲେ, ଏବେ ବି ବ୍ଲକ୍‌ରେ ପିସି କାରବାର ଚାଲିଛି। ମୁଖ୍ୟମନ୍ତ୍ରୀ ତାଙ୍କ ସହିତ ଆସନ୍ତୁ ସେ ପ୍ରମାଣ ଦେବେ। ‘୫’ ଟି ସଚିବ ଧରିବେ କି ବୋଲି ସେ ପ୍ରଶ୍ନ କରିଥିଲେ। କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଆଲୋଚନାରେ ଭାଗ ନେଇ କହିଲେ ଆଜି ୬ଟି ଜିଲ୍ଲାରେ ନକ୍ସଲ ନାହିଁ। ଏହା କେବଳ କଂଗ୍ରେସ ଯୋଗାଇଥିବା ଯୋଜନା ଯୋଗୁ ସମ୍ଭବ ହୋଇଛି। ଯାହାକୁ ବର୍ତ୍ତମାନର କେନ୍ଦ୍ରର ବିଜେପି ସରକାର କାଟି ଦେଇଛନ୍ତି।

ଗୃହ ବିଭାଗ ଆଲୋଚନାରେ ସରକାରୀ ଦଳ ପକ୍ଷରୁ ପ୍ରସାଦ ଶତପଥୀ କହିଥିଲେ, ୨୦୧୭ ଜାତୀୟ କ୍ରାଇମ ବ୍ରାଞ୍ଚ ରେକର୍ଡ ଅନୁଯାୟୀ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର କମ୍। ଉତ୍ତରପ୍ରଦେଶରେ ୫୬ ହଜାର୧୧ ମହାରାଷ୍ଟ୍ର ୩୧ ହଜାର ୯୭୯, ପଶ୍ଚିମବଙ୍ଗ ୩୦ ହଜାର ୯୯୨ , ମଧ୍ୟପ୍ରଦେଶ ୨୯ହଜାର ୬୭୮, ରାଜସ୍ଥାନ ୨୫ ହଜାର ୯୯୩, ଆସାମ ୨୩ ହଜାର ୮୨ ମହିଳା ବିରୋଧୀ ଅପରାଧ ପଞ୍ଜୀକୃତ ହୋଇଛି। ଓଡ଼ିଶାରେ ମହିଳାଙ୍କ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୪୧.୪୮%। ଶ୍ରୀ ଶତପଥୀ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଠିକ୍‌ ଅଛି। ସ୍ମିତାରାଣୀ ମୃତ୍ୟୁ ଘଟଣାରେ ରାଜନୀତି ଆଧିକ ହେବା କାରଣରୁ ତଦନ୍ତ ପ୍ରଭାବିତ ହେଉଛି। ପ୍ରଥମେ ତାଙ୍କ ବାପା ଓ ଶ୍ୱଶୁର ଆତ୍ମହତ୍ୟା କରିଥିବା ନେଇ ଏଫଆଇଆର ଦାୟର କଲେ। ପରେ ବୟାନ ବଦଳାଇ ମାମଲା ଦାୟର ହୋଇଛି। ଯାହାକି ତଦନ୍ତସାପେକ୍ଷ। ୫ ‘ଟି’ ଗୋଟିଏ ବିଭାଗ ନୁହେଁ। ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥା କରିଛନ୍ତି। ଆଜି ୫ ‘ଟି’ ସଚିବ ଗଲେ କର୍ମଚାରୀଙ୍କ ଭିତରେ କୋକୁଆଭୟ ସୃଷ୍ଟି ହେଉଛି।

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଥିଲେ, ଓଡ଼ିଶା ଆଇନ ଶୃଙ୍ଖଳା କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି। ଭଦ୍ରକ ଭଳି ସହରରେ ଗୋଟିଏ ଦିନରେ ହିନ୍ଦୁ ଓ ମୁସଲମାନ ପର୍ବ ପାଳନ କରୁଛନ୍ତି। ଆଜି ୬ଟି ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପ ନାହିଁ। ଏ ସବୁ ପୁଲିସ ଦକ୍ଷତା ଯୋଗୁ ସମ୍ଭବ ହୋଇପାରିଛି।

ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ରମେଶ ଚନ୍ଦ୍ର ବେହେରା, ଅଶ୍ବିନୀ କୁମାର ପାତ୍ର, କଂଗ୍ରେସର ସନ୍ତୋଷ ସିଂହ ସାଲୁଜା, ବିଜେପିର ସୁକାନ୍ତ କୁମାର ନାୟକ, ସନାତନ ବିଜୁଳି, ମୁକେଶ ମହାଲିଙ୍ଗ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର