କୋଭିଡ୍ ସାମଗ୍ରୀ କେଳେଙ୍କାରୀ ନେଇ ଶାସକ-ବିରୋଧୀ ମୁହାଁମୁହିଁ

ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ ହେଉ: ବିରୋଧୀ, ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତିନି ନବୀନ: ବିଜେଡି

ଭୁବନେଶ୍ବର : କରୋନାକୁ ପ୍ରତିହତ କରିବାକୁ ଆଗୁଆ ଲକ୍‌ ଡାଉନ୍‌ ଘୋଷଣା କରି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ଆଗରେ ରହିଲେ। ସଟ୍‌ ଡାଉନ୍‌ ଓ କର୍ଫ୍ୟୁ ଭଳି କଟକଣା ଜାରି କରି କରୋନାକୁ ନିଯନ୍ତ୍ରଣ କରିବାରେ ସଫଳ ବୋଲି କେନ୍ଦ୍ରୀୟ ଟିମ୍‌ର ପ୍ରଶଂସା ସାଉଁଟିଛନ୍ତି। କିନ୍ତୁ ରାଜ୍ୟ ଔଷଧ ନିଗମକୁ ନେଇ ବଢୁଥିବା କୋଭିଡ୍ ସାମଗ୍ରୀ କେଳେଙ୍କାରୀ ଏବେ ସରକାରଙ୍କ ପ୍ରତିଛବିକୁ ମଳିନ କରିଥିବା ନେଇ ଅଭିଯୋଗ ହୋଇଛି। ଆଜି ଏହି ପ୍ରସଙ୍ଗରେ ବିରୋଧୀ ଗର୍ଜିଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି ଯେ ଏହି ଦୁର୍ନୀତିରେ ତଳୁ ଉପର ପର୍ଯ୍ୟନ୍ତ ଅନେକ ଅଧିକାରୀ ସାମିଲ ଅଛନ୍ତି। କେବଳ ଆଇଏଏସ୍‌ ହେମନ୍ତ ଶର୍ମାଙ୍କୁ ସରକାର ପ୍ରୋକ୍ୟୋର୍‌ମେଣ୍ଟ୍‌ କମିଟିରୁ କାଢ଼ିଦେଲେ ହେବନି। ଯଦି ସତ୍‌ସାହାସ ଅଛି, ତାହେଲେ ୨୪ ଘଣ୍ଟା ଭିତରେ ଏକ ସ୍ବାଧୀନ ସଂସ୍ଥା ଦ୍ବାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ବିରୋଧୀଙ୍କୁ ଜବାବ ଦେଇ ବିଜେଡି କହିଛି ଯେ କୌଣସି ବି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ କେବେ ବି ଦୁର୍ନୀତିକୁ ପ୍ରଶୟ ଦେଇନାହାନ୍ତି। ବିରୋଧୀ ଏହି ମହାମାରୀ ସମୟରେ ରାଜନୀତି କରିବା ଉଚିତ୍‌ ନୁହେଁ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ କରୋନା ପାଇଁ ସାରା ଦେଶ ସଂଗ୍ରାମ ଜାରି ରଖିଛି। କେନ୍ଦ୍ର ସରକାର ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି। ଗରିବଙ୍କ ରାସନଠାରୁ ଆରମ୍ଭ କରି ପ୍ରବାସୀ ଶ୍ରମିକଙ୍କୁ ଆଣିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। କୋଭିଡ୍‌ ମହାମାରୀ ମୁକାବିଲା କରିବା ପାଇଁ ବିପର୍ଯ୍ୟୟ ସହାୟତା ପାଣ୍ଠି ମଧ୍ୟ ଯୋଗାଇ ଦେଇଛନ୍ତି। ଏତେସବୁ ପରେ ବି ଚିକିତ୍ସା ପାଇଁ କିଣାଯାଉଥିବା ମେଡିକାଲ୍‌ ସାମଗ୍ରୀ କିଣାରୁ କିପରି ଫାଇଦା ମିଳିବ ସେଥିପାଇଁ ସବୁ ବ୍ୟବସ୍ଥା କରିଦେଲେ। କେବଳ ଜଣେ ଦୁଇଜଣ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ବରୁ କାଢ଼ିଦେଲେ ଦୁର୍ନୀତି ହଟିଯିବ ବୋଲି ଯଦି ସରକାର ଭାବୁଥାନ୍ତି, ତାହେଲେ ଏହା ହାସ୍ୟାସ୍ପଦ। ରାଜ୍ୟକୁ ଫେରୁଥିବା ସମସ୍ତ ପ୍ରବାସୀ ଶ୍ରମିକମାନଙ୍କ କୋଭିଡ୍‌ ଟେଷ୍ଟିଂ ହେଉନଥିବା ନେଇ ମଧ୍ୟ ଶ୍ରୀ ହରିଚନ୍ଦନ ପ୍ରଶ୍ନ ଉଠାଇଛନ୍ତି।

Odisha News Times

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ମେଡିକାଲ୍‌ ସାମଗ୍ରୀ କିଣାରେ ରାଜ୍ୟ ଔଷଧ ନିଗମ କେଳେଙ୍କାରୀ ନେଇ ପ୍ରଥମରୁ ହିଁ କଂଗ୍ରେସ ସ୍ବର ଉଠାଇଆସିଛି। ଦୁର୍ନୀତି ଧରାପଡ଼ିବା ପରେ ଏବେ ଆଇଏଏସ୍‌ମାନଙ୍କୁ ଦାୟିତ୍ବ ମୁକ୍ତ କରିଦେଇ ସରକାର କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ଏବେ କଣ କରୋନା ରୋଗ ରାଜ୍ୟରୁ ପଳାଇଲାଣି ନା ସବୁ ଆକ୍ରାନ୍ତ ଭଲ ହୋଇଗଲେଣି। ଏବେ ବି ପ୍ରତିଦିନ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଟେଷ୍ଟିଂ କିଟ୍‌ କିଣା ଚାଲିଛି ଅଥଚ ରୋଗୀଙ୍କ ନମୁନା ପରୀକ୍ଷା ବଢ଼ୁନି। ଖୋଦ ମୁଖ୍ୟମନ୍ତ୍ରୀ ଦୈନିକ ୧୫ ହଜାର ଟେଷ୍ଟିଂ କରିବାକୁ ଘୋଷଣା କଲେ ବି ତାଙ୍କ କଥା କାମ ଦେଉନି। ଏହି ଦୁର୍ନୀତିର ଚେର କେତେ ଲମ୍ବା ତାର ତଦନ୍ତ କରିବାକୁ ଶ୍ରୀ ରାଉତରାୟ ଦାବି କରିଛନ୍ତି।

ତେବେ ବିରୋଧୀଙ୍କୁ ଜବାବ ରଖି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ଦୁର୍ନୀତିକୁ ପ୍ରଶୟ ଦେଇନାହାନ୍ତି। ମେଡିକାଲ ସାମଗ୍ରୀ କିଣାରେ ହେରଫେର ହୋଇଥିବା ନେଇ ତାଙ୍କ କାନରେ ପଡ଼ିବା ପରେ ତୁରନ୍ତ ସେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ। ଅତୀତରେ ସେ କାହାକୁ ବି ଛାଡ଼ିନାହାନ୍ତି କି ଏବେ ମଧ୍ୟ ଛାଡ଼ିବେ ନାହିଁ। ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ସସ୍ମିତ୍‌ ପାତ୍ର କହିଛନ୍ତି ଯେ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶକୁ ୮୦ ଲକ୍ଷରୁ ପ୍ରାୟ ୧ କୋଟି ପ୍ରବାସୀ ଶ୍ରମିକ ଫେରିଛନ୍ତି। ଏସବୁ ଶ୍ରମିକମାନଙ୍କର ଶତପ୍ରତିଶତ କୋଭିଡ୍‌ ଟେଷ୍ଟ ହୋଇଛି କି ନାହିଁ ରାଜ୍ୟ ବିଜେପିର ନେତା ଓ ମୁଖପାତ୍ର ସେଠାକାର ମୁଖ୍ୟମନ୍ତ୍ରୀମାନଙ୍କୁ ପଚାରି ପାରିବେ କି? ଏଭଳି ସତ୍‌ସାହାସ ଅନ୍ତତଃପକ୍ଷେ ବିଜେପିର ରାଜ୍ୟ ନେତାଙ୍କ ପାଖରେ ନଥିବ। ତାହେଲେ କାହିଁକି ଦଳୀୟ ନେତାମାନଙ୍କର ଏପରି ଦୋମୁହାଁ ନୀତି। ସାରା ଦେଶରେ ଏବେସୁଦ୍ଧା ମାତ୍ର ୩୦ରୁ ୪୦ ଲକ୍ଷ ଟେଷ୍ଟ୍‌ ହୋଇଥିବା ବେଳେ ବିଜେପି ଶାସିତ ରାଜ୍ୟମାନେ ୧ କୋଟି ପ୍ରବାସୀ ଶ୍ରମିକମାନଙ୍କର କରୋନା ଟେଷ୍ଟ୍‌ କରିବାର କ୍ଷମତା ରଖିଛନ୍ତି କି ବୋଲି ବିଜେଡି ମୁଖପାତ୍ର ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ବିଜେପି ଭୁଲିଯିବା ଉଚିତ୍‌ ନୁହେଁ ଯେ ଖୋଦ କେନ୍ଦ୍ର ସରକାର ଓ ଆଇସିଏମ୍‌ଆର୍‌ଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, କେବଳ କରୋନା ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିଙ୍କର କୋଭିଡ୍‌ ଟେଷ୍ଟ୍‌ କରାଯିବ। ଏହା ମଧ୍ୟ ବୈଜ୍ଞାନିକ ଦୃଷ୍ଟି କୋଣରୁ ଯୁକ୍ତିଯୁକ୍ତ। ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ରହିଛି ଓ ଟେଷ୍ଟିଂ ଆଇସିଏମ୍‌ଆର୍‌ ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯାଉଛି। ବିଜେପି ଦଳ ବିଜ୍ଞାନକୁ ବିଶ୍ବାସ କରିବା ଦରକାର। ଏପରି ମହାମାରୀ ସମୟରେ ଶସ୍ତା ରାଜନୀତି କରିବା ଉଚିତ୍‌ ନୁହଁ ବୋଲି ବିଜେ଼ଡି କହିଛି।

ସମ୍ବନ୍ଧିତ ଖବର