ବିଧାନସଭା‌ରେ ବିରୋଧୀ ଦଳ ନେତାଙ୍କ ଅଭିଯୋଗ : ପାଟକୁରାରେ ବିଜେଡି ଆଚରଣ ବିଧି ଉଲ୍ଲଂଘନ କରୁଛି

ଭୁବନେଶ୍ବର : ପାଟକୁରା ନିର୍ବାଚନରେ ଶାସକ ବିଜେଡି ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ। ଅପରାହ୍ନରେ ବିଜେପିର ଏକ ପ୍ରତିନିଧିଦଳ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ପାଟକୁରାରେ ବିଜେଡି କିପରି ବେଆଇନ୍ କାର୍ଯ୍ୟ କରୁଛି, ତାହାର ତାଲିକା ଦେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

ବିଧାନସଭାରେ ଶ୍ରୀ ନାୟକ କହିଲେ, ପାଟକୁରାରେ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ବାର୍ଦ୍ଧକ୍ୟ ଭତ୍ତା ପ୍ରତି ମାସ ୧୫ ତାରିଖରେ ମିଳିବା କଥ‌ା। କିନ୍ତୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ବାର୍ଦ୍ଧକ୍ୟ ଭତ୍ତା ବଣ୍ଟାଯାଉଛି। ଏହି ଭତ୍ତା ଯିଏ ଆଜି ବାଣ୍ଟୁଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବିଜୁବାବୁଙ୍କ ଆଦର୍ଶରେ ନବୀନ ବାବୁ ଓ ତାଙ୍କ ଦଳ ଚାଲୁଛି ବୋଲି କହୁଛନ୍ତି। ବିଜୁବାବୁ କେବେ କୌଣସି ଉପନିର୍ବାଚନରେ ପ୍ରଚାରକୁ ଯିବା ‌େଦଖାଯାଇନି। କିନ୍ତୁ ନବୀନବାବୁ ପ୍ରଚାର କରିବାକୁ ପାଟକୁରା ଯାଇଛନ୍ତି। ଏମାନେ କେତେ ବିଜୁ ଆଦର୍ଶରେ ଅନୁପ୍ରାଣିତ, ତାହା ସ୍ପଷ୍ଟ ହୋଇଛି।

ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧିଦଳ ସିଇଓଙ୍କ ନିକଟରେ ଅଭିଯୋଗ କରିଥିଲେ, ପାଟକୁରାରେ ସ୍ଥାନୀୟ ପ୍ରଶାସନ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ୧୫ ତାରିଖରେ ନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ସମୟରେ ଦେବାକୁ ଚକ୍ରାନ୍ତ କରିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସମୟରେ ଲୋକଙ୍କୁ ଡାକି ଭତ୍ତା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଶୋଭାଯାତ୍ରା ବେଳେ ଠିଆ ହେବା ପାଇଁ ନି‌େର୍ଦ୍ଦଶ ଦିଆଯାଉଛି। ପାଟକୁରାରେ ବିଡିଓ, ସିଡିପିଓ ଓ ତହସିଲ୍‌ଦାର ଖୋଲାଖୋଲି ଭାବେ ବିଜେଡିର ନିର୍ବାଚନ ସଭା ଆୟୋଜନ କରି ବିଜେଡିକୁ ଭୋଟ୍‌ ଦେବାକୁ ଲୋକଙ୍କୁ କହୁଛନ୍ତି। ବିଜେଡି ପ୍ରାର୍ଥୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଆଶାକର୍ମୀଙ୍କ ଦ୍ବାରା ଟଙ୍କା ବାଣ୍ଟୁଛନ୍ତି। ନିର୍ବାଚନୀ ବ୍ୟବସ୍ଥାରେ ଥିବା ଅଧିକାରୀମାନେ ବିଜେପି ସଭା ଓ ରୋଡ୍‌ ସୋ’କୁ ବାଧା ସୃଷ୍ଟି କରୁଛନ୍ତି। ବିଜେଡି ପ୍ରାର୍ଥୀ ନିଜେ ଟଙ୍କା ବାଣ୍ଟୁଥିବା ଭିଡିଓ ‌ଗଣମାଧ୍ୟମରେ ଭାଇରାଲ୍‌ ହେଲା ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଏପରିକି ବିଜେଡି ପ୍ରଶାସନ ଓ ପୁଲିସ ବଳକୁ ଲଗାଇ ବୁଥ୍‌ ରିଗିଙ୍ଗ୍ କରିବାର ଚକ୍ରାନ୍ତ କରିଛି। ତେଣୁ ପାଟକୁରାରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରାଇବାକୁ ପଦ‌େକ୍ଷପ ନେବା ପାଇଁ ବିଜେପି ନେତାମା‌େନ ଦାବି କରିଥିଲେ। ଏହି ପ୍ରତିନିଧିଦଳରେ ବିଧାୟକ ବିଷ୍ଣୁ ସେଠୀ ଓ ମଦନ ମୋହନ ଦତ୍ତ, ସାଧାରଣ ସମ୍ପାଦକ ଅନନ୍ତ ନାୟକ, ସୁଦର୍ଶନ ନାୟକ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ଓ ଠାକୁର ରଣଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର