କରୋନା ପାଇଁ ସର୍ବଦଳୀୟ ବୈଠକ ଡାକନ୍ତୁ ସରକାର: ବିରୋଧୀ ଦଳ ନେତା

ରାଜ୍ୟ ଓ କେନ୍ଦ୍ର ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲନ୍ତୁ: ନରସିଂହ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ: ବିଜେଡି

ଭୁବନେଶ୍ବର : ମହାମାରୀ କରୋନା ସମ୍ପର୍କରେ ଏବେ ବି ଗାଁ ଗହଳିର ଲୋକମାନେ ସଚେତନ ନୁହନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାମାଜିକ ଦୂରତା ରକ୍ଷା ବିଷୟରେ ଲୋକମାନେ ବୁଝିପାରିନାହାନ୍ତି। ସଚେତନତା ପାଇଁ କେବଳ ପ୍ରଶାସନିକ କଳ ଯଥେଷ୍ଟ ନୁହେଁ। ଏଥିରେ ଜନପ୍ରତିନିଧିମାନଙ୍କ ସହଯୋଗ ଆବଶ୍ୟକ। ଏପରି ଗୁରୁତ୍ବପୂର୍ଣ୍ଣ ପରିସ୍ଥିତିରେ ସରକାର ବିରୋଧୀଙ୍କୁ ବିଶ୍ବାସକୁ ନେଇ ସର୍ବଦଳୀୟ ବୈଠକ ଡାକନ୍ତୁ। କରୋନା ସ୍ଥିତିକୁ ମିଳିମିଶି ମୁକାବିଲା କରିବା ଦରକାର। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଆଜି ସରକାରଙ୍କୁ ଏପରି ଆହ୍ବାନ ଦେଇଛନ୍ତି। ସେହିପରି ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତଙ୍କୁ ସାଙ୍ଗରେ ନେଇ ସ୍ଥିତିର ସାମନା କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ପରାମର୍ଶ ଦେଇଛନ୍ତି।

କରୋନା ଯୋଗୁଁ ବିଧାନସଭା ବଜେଟ୍‌ ଅଧିବେଶନକୁ କାଣ୍ଟଛାଣ୍ଟ୍‌ କରାଯାଇଛି। ଆସନ୍ତାକାଲି ସ୍ବଳ୍ପ ସମୟ ପାଇଁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭାରେ ଯଦି ସୁଯୋଗ ମିଳେ, ତାହେଲେ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରାଯିବ ବୋଲି ଉଭୟ ନେତା କହିଛନ୍ତି। ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, କରୋନା ସ୍ଥିତିର ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ସମସ୍ତଙ୍କ ସହ ଆଲୋଚନା ପାଇଁ ବାଚସ୍ପତି ଯଦି ରୁଲିଂ ଦିଅନ୍ତି, ତାହେଲେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।

ଶ୍ରୀ ନାଏକ କହିଥିଲେ ଯେ ରାଜ୍ୟରେ ବହୁ ଅପହଞ୍ଚ ଅଞ୍ଚଳ ଅଛି ଯେଉଁଠି କି କରୋନା ବିଷୟରେ ସେଠାକାର ଲୋକମାନେ କିଛି ବି ଜାଣିନାହାନ୍ତି। ସେମାନଙ୍କୁ ତାଙ୍କ ଭାଷାରେ ବୁଝାଇବାକୁ ପଡ଼ିବ। ଏପରିକି ଅନେକ ଗ୍ରାମାଞ୍ଚଳରେ ମଧ୍ୟ ସଚେତନତା ଅଭାବରୁ ଲୋକମାନେ ପ୍ରତିହତ କରିବା ପାଇଁ ଥିବା ନିୟମଗୁଡ଼ିକ ଅନୁପାଳନ କରିପାରୁନାହାନ୍ତି। ସେଥିପାଇଁ ନିର୍ବାଚିତ ଜନପ୍ରତିନିଧିମାନେ ଏହି ସମୟରେ ଏକାଠି ହୋଇ ସରକାରଙ୍କୁ ସହଯୋଗ କରିବାର ସମୟ ଆସିଛି। ପ୍ରାୟ ୧୫ ଦିନ ତଳୁ ସେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ବି କିଛି ଉତ୍ତର ପାଇନଥିବା ସେ କହିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ କରୋନା ମହାମାରୀ ସମଗ୍ର ମାନବଜାତିର ଶତ୍ରୁ। ଏହି ଶତ୍ରୁକୁ ରୋକିବା ପାଇଁ ସାରା ବିଶ୍ବର ଲୋକେ ଏକଜୁଟ୍‌ ହୋଇଛନ୍ତି। ଏପରି ପରିସ୍ଥିତିରେ ରାଜ୍ୟ ହୁଅନ୍ତୁ କି କେନ୍ଦ୍ର ସରକାର ସମସ୍ତଙ୍କୁ ଏକାଠି ନେଇ ଯୋଜନାବଦ୍ଧ ଭାବେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏ ନେଇ ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ ଯୋଗେ ଆଗରୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏ ଯାଏ ତାଙ୍କୁ କିଛି ବି ଉତ୍ତର ମିଳିନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର