ଡାକ୍ତର, ପୁଲିସ ଓ ସାମ୍ବାଦିକଙ୍କ ପାଇଁ ବୀମା ବ୍ୟବସ୍ଥା କରାଯାଉ: ବିରୋଧୀ ଦଳ ନେତା

ଭୁବନେଶ୍ବର : କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ରୂପ ନେଲାଣି। ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ତାଲାବନ୍ଦ ସମୟରେ ଟାଣ ଖରାରେ ଘଣ୍ଟା ଘଣ୍ଟା ଧରି ପୁଲିସ୍‌ କର୍ମୀମାନେ ଡ୍ୟୁଟି କରୁଛନ୍ତି। ଖାଲି ସେତିକି ନୁହେଁ, ସାମ୍ବାଦିକ ବନ୍ଧୁମାନେ ମଧ୍ୟ ନିଜ କୋଭିଡ୍‌-୧୯ ସଂକ୍ରମଣକୁ ଖାତିର ନ କରି ପରିଶ୍ରମ କରୁଛନ୍ତି। ଏ ସମସ୍ତଙ୍କ ପାଇଁ ବୀମା ବ୍ୟବସ୍ଥା କରାଯାଉ। ଆଜି ବିଧାନସଭାରେ ବ୍ୟୟ ମଞ୍ଜୁରି ବିଲ୍‌ ଆଲୋଚନା ବେଳେ ସରକାରଙ୍କୁ ଏପରି ୩ଟି ପ୍ରସ୍ତାବ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଅନ୍ୟପଟେ, କରୋନା ମୁକାବିଲା ପାଇଁ ସରକାର ଯାହାସବୁ ଘୋଷଣା କରିଛନ୍ତି, ତାହା ଲୋକମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାର ଅନୁଧ୍ୟାନ ହେଉନାହିଁ। ଏ ନେଇ ଦଳମତ ନିର୍ବିଶେଷରେ ବିଧାୟକମାନଙ୍କୁ ସରକାର ବିଶ୍ବାସକୁ ନିଅନ୍ତୁ। ଆଉ କଣ କରାଗଲେ ମାନବାଜାତିର ବିନାଶକାରୀ ଏ ରାକ୍ଷସ କବଳରୁ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ସେଥିପାଇଁ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି।

ଆଜି ବିଧାନସଭାରେ ବିରୋଧୀ ଦଳ ନେତା ଶ୍ରୀ ନାୟକ କହିଥିଲେ ଯେ ଏବେ ଯେଉଁ ଘଡ଼ିସନ୍ଧି ମୂହୁର୍ତ୍ତ ଆସିଛି, ସେଥିରେ ସରକାର ବଜେଟ୍‌ ଓ ବ୍ୟୟମଞ୍ଜୁରି ନେଇ ଯାହା ବିଲ୍‌ ଆଣିଛନ୍ତି ତାକୁ ବିରୋଧୀ ଦଳମାନେ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛନ୍ତି। କୋଭିଡ୍‌-୧୯ ପାଇଁ ସରକାର ଅନେକ ଠିକା କର୍ମଚାରୀମାନଙ୍କୁ ଗାଁ ଗାଁରେ ପ୍ରଚାର ଓ ଜନସେବା କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଯଦି କିଛି ଅଘଟଣ ଘଟି ସେମାନଙ୍କ ଭିତରୁ କାହାର କିଛି ହୋଇଯାଏ, ତା ହେଲେ ସେମାନଙ୍କ ପରିବାର ସର୍ବସାନ୍ତ ହୋଇଯିବ। ଏଥିପାଇଁ ସେମାନଙ୍କୁ ବୀମା ସୁବିଧା ଯୋଗାଇଦେବାକୁ ସରକାର ପଦକ୍ଷେପ ନିଅନ୍ତୁ। ବାହାର ରାଜ୍ୟରେ ଏବେ ବି ଓଡ଼ିଶାର ଲକ୍ଷାଧିକ ଶ୍ରମିକ ଫସି ରହିଛନ୍ତି। ଓଡ଼ିଶାରେ ଥିବା ଦକ୍ଷ ଆଇଏଏସ୍‌ ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରି ସେସବୁ ରାଜ୍ୟକୁ ପଠାଯାଉ। ଏହି ଟିମ୍‌ ସେଠାକାର ସରକାରଙ୍କ ସହ ଆଲୋଚନା କରି ଶ୍ରମିକମାନଙ୍କ ଖାଇବା ଓ ରହିବା ପାଇଁ ବ୍ୟବସ୍ଥା କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଶ୍ରମିକମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା, ରହିବା ଓ ଖାଇବା ପାଇଁ ଅର୍ଥର ବ୍ୟବସ୍ଥା କରିଛନ୍ତି। ଏଭଳି ବିପଦ ସମୟରେ ଜନପ୍ରତିନିଧିମାନଙ୍କର ସହଯୋଗ କାହିଁକି ସରକାର ଲୋଡ଼ୁନାହାନ୍ତି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଥିଲେ। ଏହାସହିତ ସେ ଅଭିଯୋଗ କରିଥିଲେ, ସବୁଆଡ଼େ ତାଲାବନ୍ଦ ଜାରି ରହିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଅବାଧ ଖଣି ଖନନ କାର୍ଯ୍ୟ ଚାଲୁରହିଛି। ଛତିଶଗଡ଼ରୁ ଟ୍ରକ୍‌ ଆସି ସେସବୁ ଖଣିଜ ପଦାର୍ଥର ଏବେ ବି ଚୋଲାଚାଲାଣ ହେଉଛି।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥଲେ ଯେ ଏପରି ପରିସ୍ଥିତି କେବେ ବି ଆଗରୁ ଦେଖାଦେଇନଥିଲା। କିନ୍ତୁ ସରକାର ନିଜେ ବିରୋଧୀଙ୍କୁ ବିଶ୍ବାସକୁ ନେଉନାହାନ୍ତି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଡାକି ଏ ବିଷୟରେ ଆଲୋଚନା କରନ୍ତୁ। ଗତ ୧୩ ତାରିଖରେ କରୋନା ପାଇଁ ବିଧାନସଭା ମୁଲତବୀ କରିବାକୁ ଅପିଲ କରିବା ଦିନ ମୁଖ୍ୟମନ୍ତ୍ରୀ ସବୁ ବିଧାୟକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଆପଣମାନେ ନିଜ ନିଜ ନିର୍ବାଚନମଣ୍ଡଳୀକୁ ଯାଇ ଲୋକଙ୍କୁ ଏ ବିଷୟରେ ସତର୍କ ଓ ସଚେତନ କରାନ୍ତୁ। ଲୋକଙ୍କ ସୁବିଧା ଓ ଅସୁବିଧା ପଚାରି ବୁଝନ୍ତୁ। ଆବଶ୍ୟକ ସ୍ଥଳେ ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅଥଚ ତାଲାବନ୍ଦ ପରେ ଏବେ ବିଧାୟକମାନଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଉଛି। ନିଜ ଅଞ୍ଚଳରେ ବୁଲି ଲୋକଙ୍କ ଅବସ୍ଥା ଦେଖିବାକୁ ବି ବିଧାୟକମାନଙ୍କୁ ସୁଯୋଗ ଦିଆଯାଉନି। ବିଧାୟକମାନଙ୍କ ଅନୁପସ୍ଥିତିରେ ସେମାନଙ୍କ ପ୍ରତିନିଧିମାନେ ଯାଇ ଲୋକଙ୍କ କାମ କରିଥାନ୍ତି। ଡାକ୍ତରଖାନାରେ ରୋଗୀର ସମସ୍ୟା ହେଉ କି ପଞ୍ଚାୟତ ସ୍ତରରେ କାମ ସେସବୁ ବିଧାୟକମାନଙ୍କର ପ୍ରତିନିଧି ହିଁ କରିଥାନ୍ତି। କିନ୍ତୁ ବିଧାୟକଙ୍କ ପ୍ରତିନିଧିଙ୍କୁ ଡାକ୍ତର ଦେଇଥିବା ପାସ୍‌ ବି ପୁଲିସ୍‌ ଗ୍ରହଣ କରୁନି କି କୁଆଡ଼େ ଯିବାକୁ ଦେଉନାହିଁ।

ସରକାର ସମସ୍ତଙ୍କ ପାଖରେ ରାସନ୍‌ ପହଞ୍ଚାଇବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ ଅନ୍ୟପଟେ ଟ୍ରକ୍‌ ମାଲିକ କିମ୍ବା ସେମାନଙ୍କ ସଂଘ ସହିତ ସରକାର କଥା ହୋଇନାହାନ୍ତି। ଫଳରେ ରାସନ୍‌ ପହଞ୍ଚାଇବ କିଏ ସେ ନେଇ କିଛି ବି ବ୍ୟବସ୍ଥା ନାହିଁ। ଯଦି ବି କିଏ ଏସବୁ ଅସୁବିଧାକୁ ସାମନା କରି ଲୋକଙ୍କ ପାଇଁ କାମ କରିବାକୁ ଆଗେଇ ଆସୁଛି, ତାକୁ ପୁଲିସର ଦୁର୍ବ୍ୟବହାରର ଶିକାର ହେବାକୁ ପଡ଼ୁଛି। ଡାକ୍ତର, ନର୍ସ ଓ ପୁଲିସମାନଙ୍କ ଭିତରେ କେତେଜଣ ଏପରି ବଦମାସ୍‌ ପ୍ରକୃତିର ଅଛନ୍ତି, ଯେଉଁମାନେ ଦାୟିତ୍ବ ନିର୍ବାହନ କଲାବେଳେ ଉଚିତ ଓ ଅନୁଚିତର ଜ୍ଞାନ ରଖନ୍ତିନାହିଁ।

ଶ୍ରୀ ମିଶ୍ର ଆହୁରି କହିଥିଲେ, ସାମାଜିକ ଦୂରତା ଓ ପରିଷ୍କାର ପରିଚ୍ଛନତାକୁ ଧ୍ୟାନ ରଖି ଚାଷୀମାନେ ସେମାନଙ୍କ ଚାଷ କାର୍ଯ୍ୟ କରିପାରିବେ ବୋଲି ସରକାର କହିଛନ୍ତି। ତାଲାବନ୍ଦ ଯୋଗୁଁ ବଜାରରେ ସାର, ପିଡ଼ିଆ ଓ ବିହନ ମିଳୁନି। ଚାଷୀଟିଏ ଚାଷ କାମ କରିବ କେମିତି? ଏ ସମୟରେ ଚାଷ କରିବା ପାଇଁ ଶ୍ରମିକ ବି ମିଳୁନାହାନ୍ତି। ବାହାରକୁ ବାହାରିବା ବେଳକୁ ଚାଷୀଟିଏ କାହାର ଅନୁମତି ନେବ ତାହା ବି ସେ ଜାଣିପାରୁନି। ଏସବୁ ସରକାରଙ୍କ ଦୂରଦର୍ଶିତାର ଅଭାବ। ଏପରି ସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧିମାନେ ହିଁ ଏହି ସମୟରେ କାମରେ ଆସିପାରିବେ।

ତାଲାବନ୍ଦର ଅର୍ଥନୈତିକ ପ୍ରଭାବ ସମ୍ପର୍କରେ ସରକାରଙ୍କୁ ଚେତାଇ ଦେଇ ଶ୍ରୀ ମିଶ୍ର କହିଥିଲେ, ଦିନ ମଜୁରିଆ ଓ ଶ୍ରମଜୀବୀମାନଙ୍କ ପାଇଁ ସରକାର ବଡ଼ବଡ଼ ଘୋଷଣା କରିଥିବା କହୁଛନ୍ତି। ବାସ୍ତବରେ ସେମାନଙ୍କ ପାଖରେ ସେସବୁ ଯୋଜନା ପହଞ୍ଚୁଛି କି ନାହିଁ ତାକୁ ଦେଖୁଛି କିଏ? ଏସବୁଥିରେ ବଡ଼ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଛି। ଖଟିକିଆ ଗରିବ ଲୋକମାନେ ଯଦି ସରକାରଙ୍କ ଘୋଷଣା ମୁତାବକ ସାହାଯ୍ୟ ନ ପାଇଲେ ତାହେଲେ କରୋନା ଆକ୍ରାନ୍ତ ହୋଇ ଯେତିକି ଲୋକ ନ ମରିବେ, ତାଠାରୁ ଅଧିକ ଲୋକ ଅନାହାର ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିବେ।

ବିରୋଧୀଙ୍କ ପ୍ରସ୍ତାବ ଉପରେ ସରକାର ବିଚାର କରିବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ। ସରକାରୀ ଦଳ ଉପମୁଖ୍ୟସଚେତକ ରୋହିତ ପୂଜାରୀ କହିଥିଲେ ଯେ କରୋନାର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି। ବିରୋଧୀମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ଗୃହରେ ପ୍ରଶଂସା ବି କରିଛନ୍ତି। ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ଆଗକୁ ଯାହା ବି ପଦକ୍ଷେପ ନେବାକୁ ପଡ଼ିବ ସେଥିପାଇଁ ସରକାର ସବୁବେଳେ ପ୍ରସ୍ତୁତଥିବା ଶ୍ରୀ ପୂଜାରୀ କହିଥିଲେ।

ସମ୍ବନ୍ଧିତ ଖବର