ଦୁଇ ବିଧାୟକଙ୍କ ବିରୋଧରେ ମାମଲାକୁ ନିନ୍ଦା କଲେ ପ୍ରଦୀପ୍ତ
ନରସିଂହ ଦାବି କଲେ ଗୃହ କମିଟି ଗଠନ କର, ବିଧାୟକଙ୍କୁ ବିଶ୍ବାସକୁ ନିଅ

Advertisment

ଭୁବନେଶ୍ବର : କୋଭିଡ୍ କର୍ମଶାଳା ଆଳରେ ବିରୋଧୀ ଦଳ ଆଜି ରାଜ୍ୟ ସରକାରଙ୍କ ସାମ୍ନାରେ କରୋନା ପରିଚାଳନାର ତ୍ରୁଟି ବିଚ୍ୟୁତିର ପାହାଡ଼ ଠିଆ କରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି କି ବୋଲି ପ୍ରଶ୍ନ କରିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏତେ ଦିନ ପରେ ସରକାର ବିଧାୟକଙ୍କୁ ଖୋଜିଥିବା କଥା ଉଖାରି କଡ଼ା ସମାଲୋଚନା କରିଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ ସରକାର ଯେଉଁ କରୋନା ମୁକାବିଲା ଚିତ୍ର ରଖୁଛନ୍ତି, ତାହା ଆମକୁ କିଛି ଜଣାନାହିଁ। କାରଣ ତୃଣମୂଳସ୍ତରରେ ଏସବୁ କିଛି ଦେଖିବାକୁ ମିଳୁନି। ଆମକୁ କୁହାଗଲା ଘରେ ବସିବାକୁ। ସରକାର ଏବେ ପୁସ୍ତିକା କରି ସେସବୁକୁ ଦିଅନ୍ତୁ। ଅଧିକାରୀ ନୁହେଁ, ବିଧାୟକମାନଙ୍କୁ ସରକାର ବିଶ୍ବାସକୁ ନିଅନ୍ତୁ ଓ ଏକ ଗୃହ କମିଟି ଗଠନ କରାଯାଉ ବୋଲି ଶ୍ରୀ ମିଶ୍ର ଦାବି ରଖିଥିଲେ।

ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ ଯେ ପ୍ରଥମେ ଆମକୁ ଲାଗୁଥିଲା ଆମ ରାଜ୍ୟ ଅତ୍ୟନ୍ତ ଉଚ୍ଚମାନର ପରିଚାଳନା ସହ କରୋନା ମହାମାରୀକୁ ନିୟନ୍ତ୍ରଣରେ ରଖିବାରେ ବହୁମାତ୍ରାରେ ସଫଳ ହେବ। ଯେମିତି ଯେମିତି ସମୟ ଗଡ଼ି ଚାଲିଲା କୋଭିଡ଼୍ ପରିଚାଳନାରେ ଅନେକ ତ୍ରୁଟି ବିଚ୍ୟୁତି ସାମ୍ନାକୁ ଆସିଲାଣି। ଏବେ ମନରେ ଭୟ ଓ ଆଶଙ୍କା ଆସୁଛି ଯେ ଏହି ମହାମାରୀ ଆମ ରାଜ୍ୟର କିଛି ସ୍ଥାନରେ ଆମର ନିୟନ୍ତ୍ରଣ ବାହାରକୁ ଚାଲିଯାଉନି ତ?

ଏପରି ସଙ୍ଗିନ ପରିସ୍ଥିତିରେ ସରକାର, ପ୍ରଶାସନ, ଜନପ୍ରତିନିଧି, ସାମାଜିକ ସଂଗଠନ ଏବଂ ନାଗରିକ ସମାଜର ମିଳିତ ପ୍ରୟାସର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ମୁଁ ମନେକରୁଛି। ଯଦି ରାଜ୍ୟର ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ଜନସେବାକୁ ବାହାରିବା ନାହିଁ ଏବଂ ରାଜ୍ୟ ସରକାର ଓ ପ୍ରଶାସନ ସମାଜର ସବୁ ବର୍ଗକୁ ଏକାଠି କରି କରୋନା ମୁକାବିଲାକୁ ଏକ ଜନଆନ୍ଦୋଳନର ରୂପ ଦେବା ପାଇଁ ପ୍ରୟାସ କରିବେ ନାହିଁ, ତେବେ ଇତିହାସ ଆମକୁ କେବେ କ୍ଷମା ଦେବ ନାହିଁ।

publive-image Telangana Today

ବିରୋଧୀ ଦଳ ନେତା କହିଥିଲେ, କେବଳ ଜୁଲାଇ ମାସରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଟପିଲାଣି। ଜୁଲାଇ ମାସରେ କରୋନାରେ ୧୩୪ ଜଣଙ୍କର ଜୀବନ ଗଲାଣି। ଏପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ୮୬ ପହଞ୍ଚିଲାଣି। ଗଞ୍ଜାମ ଜିଲ୍ଲା ଉପରେ ରାଜ୍ୟ ସରକାରଙ୍କର ସର୍ବାଧିକ ଫୋକସ ରହିଛି। ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମକୁ ଅଧିକ ଆର୍ଥିକ ପ୍ୟାକେଜ୍, ଡ଼ାକ୍ତର ଓ ପ୍ରଶାସନିକ ଅଧିକାରୀଙ୍କୁ ସାମିଲ କରାଯାଇ ପରିଚାଳନାକୁ ଉତ୍ତମ କରାଯିବା ଉଦ୍ୟମ କରିଥିଲେ ମଧ୍ୟ ଫଳପ୍ରଦ ହେଲାଭଳି ଦେଖାଯାଉନାହିଁ। ଜଣେ ପୁଲିସ ଏଏସଆଇଙ୍କ ମରଶରୀରକୁ କେହି ନ ଛୁଇଁବା, ଗଞ୍ଜାମ ଜିଲ୍ଲାରେ ଆମ୍ବୁଲାନ୍ସ ଆସି ଜଣେ କୋଭିଡ୍ ଯୋଦ୍ଧା ଓ ଜଣେ ସାଧାରଣ ବ୍ୟକ୍ତିଙ୍କୁ ନନେଇ ଫେରିଯିବାରୁ ଦୁଇ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣାର ସେ ଉଦାହରଣ ଦେଇଥିଲେ।

ସେହିପରି ପଶ୍ଚିମ ଓଡ଼ିଶାରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ୩୦ଟି ବେଡ୍ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଉଥିଲା ବେଳେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇନଥିବାରୁ ଜନ ଅସନ୍ତୋଷ ଦେଖାଦେଉଛି। ବୁର୍ଲା ମେଡିକାଲ କଲେଜକୁ କରୋନା ପରୀକ୍ଷା କରିବାକୁ ଆସୁଥିବା ଲୋକଙ୍କ ସ୍ୱାବ୍‌କୁ ଭୁବନେଶ୍ୱରକୁ ପଠାଇ ଦିଆଯାଉଥିବା କାରଣରୁ ରିପୋର୍ଟ ଆସିବାରେ ବିଳମ୍ବ ପରିଲକ୍ଷିତ ହେଉଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଲୋକଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବାକୁ ଯାଉଥିବା ସମୟରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସରେ ଘଟିଥିବା ଅଭାବନୀୟ ଘଟଣା ସଂପର୍କରେ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକଙ୍କୁ ପୁଲିସ ପ୍ରଶାସନ ଦୁର୍ବ୍ୟବହାର କରିଛନ୍ତି ଏବଂ ଓଲଟା ସଙ୍ଗିନ ଦଫା ସହିତ ମିଥ୍ୟା ମାମଲା କରି ଦୁଇ ବିଧାୟକଙ୍କୁ ଅପମାନିତ କରିଛି। ଏହି ଘଟଣାକୁ ସେ ନିନ୍ଦା କରିବା ସହିତ ଲୋକ ପ୍ରତିନିଧିଙ୍କ ପ୍ରତି ଏଭଳି ଆଚରଣ ବଡ ଚିନ୍ତାଜନକ ବିଷୟ ବୋଲି କହିଥିଲେ। ଏଥିସହିତ କେନ୍ଦ୍ର ସରକାର କୋଭିଡ୍ ସମୟରେ କଣ କଣ କରିଛନ୍ତି, ସେ ନେଇ ମଧ୍ୟ ସେ ସୂଚାଇଥିଲେ। ରାଜଧାନୀ ଭୁବନେଶ୍ୱର ଆଦି ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କର ପରାମର୍ଶ ନେବା ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ।

publive-image Update Odisha

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ଚାରିମାସ ପରେ ଆଜି ତାଙ୍କର ଯାହା ଉପଲବ୍ଧି ହେଉଛି, ସରକାର ଯେଉଁ ଚିତ୍ର ରଖୁଛନ୍ତି, ତାହା କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ। ପ୍ରକୃତରେ ସରକାର ଯାହା କହୁଛନ୍ତି, ତାହା ଗ୍ରାଉଣ୍ଡ ଜିରୋକୁ ଗଲେ ଦେଖାଯାଉନାହିଁ। ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରି କହିଥିଲେ, ଗତ ଅଧିବେଶନରେ କୋଭିଡ୍‌ ପରିଚାଳନା କ୍ଷେତ୍ରରେ ସମସ୍ତ ପ୍ରକାର ନିସର୍ତ୍ତ ସମର୍ଥନ ଦିଆଯାଇଥିଲା। କିନ୍ତୁ ଦେଖାଯାଉଛି, ସରକାର କେଉଁ ପ୍ରକାର କୋଭିଡ୍ ପରିଚାଳନା କରିଛନ୍ତି କେଜାଣି, ଆଜି ଲୋକଙ୍କ ଭିତରେ ହାହାକାର ମଚିଯାଇଛି। ଭୂତାଣୁ ସଂକ୍ରମଣ କମିବା ଜାଗାରେ ହୁତ ହୁତ ହୋଇ ବଢ଼ିଚାଲିଛି। ଲୋକଙ୍କୁ କେବଳ ଚିକିତ୍ସା ପ୍ରଦାନ କଲେ ହେବ ନାହିଁ, ବରଂ ଲୋକଙ୍କୁ ଜୀବନ ସହିତ ଜୀବିକା ବି ଦରକାର। ଲୋକେ କାମଧନ୍ଦା ନ ପାଇଁ ଅର୍ଥଶୂନ୍ୟ େହାଇଯାଇଛନ୍ତି। ଏମାନଙ୍କୁ ଆର୍ଥିକସ୍ତରରେ ସ୍ବାବଲମ୍ବୀ କରିବା ପାଇଁ ଯୋଜନା ତିଆରି ହେଉଛି ସତ, କିନ୍ତୁ କ୍ଷେତ୍ର ପରିଦର୍ଶନ ସମୟରେ ଯୋଜନାର କାଣିଚାଏ ଲାଭ କେହି ପାଇନାହାନ୍ତି। ଡାକ୍ତର ନାହାନ୍ତି, ପାରା ମେଡ଼ିକାଲ ଷ୍ଟାଫ୍ ବି। ଓଲଟା ଏହି ଅଞ୍ଚଳରୁ ଗଞ୍ଜାମ ଜିଲ୍ଲାକୁ ଡେପୁଟେସନରେ ନିଆଯାଇଛି।

ଶ୍ରୀ ମିଶ୍ର ଏହି ଅବସରରେ ଗୃହ କମିଟି ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କମିଟି ସରକାରୀ ଯୋଜନା ଓ ଜିଲ୍ଲା ପ୍ରଶାସନ ଦ୍ବାରା ଠିକ୍ ଭାବେ ହିସାବ ପରିଚାଳନା ହେଉଛି କି ନାହିଁ, ତାହା ତଦାରଖ କରିବେ। ଯେହେତୁ ୪ମାସ ହେଲା ସଂକ୍ରମଣ କମୁନି, ତେଣୁ କେଉଁଠି ନା କେଉଁଠି ତ୍ରୁଟି ରହିଛି। ଗୃହ କମିଟି ଏହି ତ୍ରୁଟି କାଢ଼ିବ।