ବଦନାମ ଭୟରେ ବିଧାନସଭା ବନ୍ଦ କରିଦେଲେ : ବିଜେପି
୬୦ ଦିନକୁ କମାଇବା ପରେ ବି ଚଲାଇପାରୁନାହାନ୍ତି: କଂଗ୍ରେସ
ଶାଳୀନତାର ସୀମା ଟପୁଛନ୍ତି ମୁଖ୍ୟ ବିରୋଧୀ ଦଳ: ବିଜେଡି

Advertisment

ଭୁବନେଶ୍ବର : ବିଧାନସଭାର ଶୀତ ଅଧିବେଶନ ନିର୍ଧାରିତ ସମୟର ୧୭ ଦିନ ପୂର୍ବରୁ ବନ୍ଦ କରିଦିଆଯିବା ପ୍ରସଙ୍ଗ ନେଇ ରାଜନୀତି ଆରମ୍ଭ ହୋଇଛି। ଗତକାଲି କକ୍ଷତ୍ୟାଗ କରି ଚାଲିଯାଇଥିବା ବିଜେପି ଆଜି ଏହି ପ୍ରସଙ୍ଗରେ ସରକାରଙ୍କୁ େଘରିଛି। କଂଗ୍ରେସ ବି ଆଗୁଆ ବିଧାନସଭା ବନ୍ଦ ପ୍ରସଙ୍ଗରେ ସରକାରଙ୍କ ଭୂମିକାକୁ ନାପସନ୍ଦ କରିଛି।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଆଜି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। କହିଥିଲେ ଯେ ରାଜ୍ୟରେ ଅନେକ ସମସ୍ୟା ଥିବା ସତ୍ତ୍ବେ ହଠାତ୍ ବିଧାନସଭାକୁ ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟବାସୀଙ୍କୁ ସରକାର େଧାକା ଦେଇଛନ୍ତି। ଶାସକ ଦଳ ରାଜ୍ୟବାସୀଙ୍କ ସମସ୍ୟାକୁ ସାମ୍ନା କରି ନପାରି ଏଥିରୁ ଦୂରେଇ ଯିବା ଷଡଯନ୍ତ୍ରର ଏକ ଅଙ୍ଗ ବୋଲି ବିଜେପି ଅଭିଯୋଗ କରିଛି।

ଶ୍ରୀ ସେଠୀ କହିଥିଲେ, ବିଧାନସଭା ଆରମ୍ଭରୁ ବିରୋଧୀ ବିଜେପି ଜନସମସ୍ୟାକୁ ନିରନ୍ତର ଭାବେ ଗୃହରେ ଉଠାଇ ଆସୁଥିଲା। ଯାଜପୁର ପିଇଓ ସ୍ମିତାରାଣୀ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାରେ ହଲାପଟା ହେବା ଆଶଙ୍କାରେ ବିଜେଡି କଂଗ୍ରେସ ସହ ଷଡଯନ୍ତ୍ର କରି ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଆଲୋଚନା କରାଇ ଦେଇନଥିଲା। ମହିଳା ଓ ନାବାଳିକା ଦୁଷ୍କର୍ମ ମାମଲା ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସ୍ଥାନରେ ଦୋଷୀମାନଙ୍କୁ ଖସାଇ ଦିଆଯାଉଛି। ଅପରାଧୀମାନେ ଦଣ୍ଡ ପାଇବା ଦୂରର ତ କଥା ସେମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇପାରୁନାହିଁ। ରାଜ୍ୟରେ ବିଭିନ୍ନ ସ୍ଥାନରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରତିଦିନ ସାମ୍ନାକୁ ଆସୁଛି। ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ।

ବିଜେପି ଅଭିଯୋଗ କରିଥିଲା େଯ ବିଧାନସଭା ଚାଲିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ ନେଇ ଆହୁରି ଆଲୋଚନା ହୋଇଥାନ୍ତା। ରାଜ୍ୟରେ ହଜାର ହଜାର ସଂଖ୍ୟାର ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାରୁ ବଞ୍ଚିତ। ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ କଳ ମାଧ୍ୟମରେ ଘର ଯୋଗାଇ ଦିଆଯାଉଛି। ସେହିପରି ଗୃହ ଚାଲିଥିଲେ ପାନୀୟ ଜଳ ଅଭାବ, ଚାଷ ଓ ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷା ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା, ପ୍ରଶାସନିକ ସ୍ତରରେ ଦୁର୍ନୀତି, ମହିଳା ସୁରକ୍ଷା ଆଦି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥାନ୍ତା। ଏସବୁ ଶାସକ ଦଳକୁ ଅଡୁଆରେ ପକାଇବାର ଭୟ ଥିବାରୁ ବିଧାନସଭାକୁ ବନ୍ଦ କରାଗଲା ବୋଲି ବିଜେପି କହିଛି।

ଦଳ ଆହୁରି କହିଛି ଯେ ଧାନବିକ୍ରିକୁ ନେଇ ଟୋକନ ବ୍ୟବସ୍ଥା ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ କରାଯାଇଛି । ରାଜ୍ୟରେ ପିଆଜ ସମେତ ବିଭିନ୍ନ ସାମଗ୍ରୀର ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଫନି ଅର୍ଥ ରାଜ୍ୟ ସରକାର ଆତ୍ମସାତ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ଘର ନ ମିଳିବା, ଶାସକଦଳ ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟି ଏବଂ ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ୩୦୦ କୋଟିରୁ ଅଧିକ ସରକାରୀ ଜମି ହଡପ କରିବା, ଆଳୁ ମିସନରେ କୋଟି କୋଟି ଟଙ୍କା ହଡପ ହେବା, ବୁଲବୁଲ ବାତ୍ୟା କ୍ଷତିଗସ୍ତ ଲୋକଙ୍କୁ କ୍ଷତିପୂରଣ ଦେବା, ବେସରକାରୀ ମେଡିକାଲରେ ରାଜ୍ୟସରକାର ନିୟନ୍ତ୍ରଣ ନରହିବା ଆଦି ପ୍ରସଙ୍ଗ ସହ ଜିଲ୍ଲାଗୁଡିକର ସ୍ଥାନୀୟ ସମସ୍ୟା ସଂପର୍କରେ ଆଲୋଚନା ହୋଇଥାନ୍ତା।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ରାଜ୍ୟସରକାଙ୍କ ସଂସ୍କୃତି ମନ୍ତ୍ରୀ ଯେଉଁଭଳି ଦୁଇଜଣ ମହିଳାଙ୍କ ସହ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ଯିବା ପରେ ରାଜ୍ୟସରକାର ପର୍ଯ୍ୟଟନ ମନ୍ତ୍ରୀଙ୍କୁ କ୍ଲିନଚିଟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଗାମୀ ଦିନରେ ବିଜେପି ବିଧାନସଭାରେ ନ ହେଲେ ବି ରାଜରାସ୍ତାରେ ଲୋକଙ୍କ ସମସ୍ୟା ଉଠାଇ ଆନ୍ଦୋଳନ କରିବ। ଓଡିଶାବାସୀଙ୍କ ଜୀବନକୁ ପ୍ରଭାବତି କରୁଥିବା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ସରକାରଙ୍କୁ ଉତ୍ତର ମାଗିବ ବୋଲି ଶ୍ରୀ ସେଠୀ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟିକା କୁସୁମ ଟେଟେ ଏବଂ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଜି ଗଣମାଧ୍ୟମକୁ ସେ କହିଥିଲେ, ବିଧାନସଭା ଆଗୁଆ ବନ୍ଦ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ଅଧିବେଶନ କାର୍ଯ୍ୟ ଅବଧି ୧୯ଯାଏ ଥିଲା। ଗୃହରେ କୌଣସି କାର୍ଯ୍ୟ ନାହିଁ ଆଳ େଦଖାଇ ବନ୍ଦ କରିଦେବା ଉଚିତ ହୋଇନାହିଁ। ଯଦି ଆଗୁଆ ବନ୍ଦ କରିବାର ଥିଲା, ତେବେ କାହିଁକି ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି। ରାଜ୍ୟପାଳ ଓ ସରକାରଙ୍କ ଅନୁମୋଦନରେ ହିଁ ବିଜ୍ଞପ୍ତି ପ୍ରକାଶ ପାଏ। ଆଗରୁ ଅଧିବେଶନ ୯୦ ଦିନ ଚାଲୁଥିଲା। ବିଜେଡି ସରକାର ତାକୁ ୬୦ ଦିନକୁ କମାଇଦେଲେ। ସେତିକି ସମୟ ବି ଚାଲୁନି ଗୃହ। ଲୋକଙ୍କୁ ଠକିବା ପାଇଁ ଏ ବ୍ୟବସ୍ଥା।

ବିଜେଡି ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର କହିଛନ୍ତି, ବିଜେପି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ସାମ୍ବାଦିକ ସମ୍ମିଳନୀରେ ଯେଭଳି ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିଛନ୍ତି ତାହା ଜଣେ ବିଧାୟକଙ୍କ ମୁହଁରେ ଶୋଭା ପାଏନାହିଁ । ବିଧାୟକ ହିସାବରେ ନିଜର ପଦ ମର୍ଯ୍ୟାଦା ସହିତ ଗରିମା ରକ୍ଷା ଦୃଷ୍ଟିରୁ ଶ୍ରୀ ସେଠୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପ୍ରତ୍ୟାହାର କରିବା ଦରକାର।

ଡକ୍ଟର ପାତ୍ର କହିଛନ୍ତି ଯେ ଦୀର୍ଘବର୍ଷ ଧରି ଓଡିଶା ରାଜନୀତିରେ ଏଭଳି ଅଶାଳୀନ ଶବ୍ଦ ବ୍ୟବହାର ଆଦୌ ଲକ୍ଷ୍ୟ କରାଯାଇନଥିଲା କି କୌଣସି ସ୍ଥିତିରେ ଜଣେ ବିଧାୟକଙ୍କ ଠାରୁ ଏଭଳି ଆଶା କରାଯାଏ ନାହିଁ । ଶ୍ରୀ ସେଠୀ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ବିଧାନସଭାରେ ଉତ୍‍ଥାପନ ପାଇଁ ତାଙ୍କ ହାତରେ ଯଥେଷ୍ଟ ସମୟ ଥିଲା। ହେଲେ ବିଧାନସଭା ଅଧିବେଶନ କାଳରେ ତାହା ନକରି ଗୃହ ମୁଲତବୀ ପରେ ସାମ୍ବାଦିକ ସମ୍ମିଳନୀ କରିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ଧାନ ସଂଗ୍ରହ ପାଇଁ ମଣ୍ଡିରେ ଦଲାଲଙ୍କ ପ୍ରାର୍ଦୁଭାବ ହ୍ରାସ ପାଇଁ ଟୋକନ ବ୍ୟବସ୍ଥା ହୋଇଥିବା ବେଳେ ଶ୍ରୀ ସେଠୀ ଏହାକୁ ବିରୋଧ କରୁଛନ୍ତି। ଏହା ଫଳରେ ଧାନ ବିକ୍ରିରେ ବିଧାୟକ ଶ୍ରୀ ସେଠୀ ଦଲାଲ ବ୍ୟବସ୍ଥାକୁ ପ୍ରୋତ୍ସାହନ କରୁଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ସେ ଅଭିେଯାଗ କରିଛନ୍ତି।