ସମସ୍ୟା ଓଗାଳିଲେ ବିଧାୟକ

ରାଜ୍ୟକୁ ଟାର୍ଗେଟ କଲେ ବିରୋଧୀ, କେନ୍ଦ୍ରକୁ ସମାଲୋଚନା କଲେ ଶାସକ

ଭୁବନେଶ୍ୱର: ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କାରେ ଜେଲ୍‌ ନିର୍ମାଣ ହୋଇଛି। ବନ୍ୟଜନ୍ତୁଙ୍କୁ ଖାଦ୍ୟ ଦିଆଯାଉଛି। ଗାଁକୁ ରାସ୍ତା ନାହିଁ। ପଟ୍ଟା ଦେଇଛନ୍ତି ଜମି ନାହିଁ। ଏମିତି ଅଭିଯୋଗ ଆଣି ଆଜି ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିଛି। ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ଅବହେଳିତ ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିଧାୟକମାନେ ରାଜ୍ୟ ସରକାରଙ୍କ ଦୋଷତ୍ରୁଟିର ଲମ୍ବା ତାଲିକା ରଖିଥିଲେ। ଅନ୍ୟପଟରେ ସରକାରୀ ଦଳର ବିଧାୟକମାନେ ସରକାରଙ୍କ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ରଖି ବିରୋଧୀ ଦଳର ଦାବି ଯୁକ୍ତିଯୁକ୍ତ ନୁହେଁ ବୋଲି ଦର୍ଶାଇଥିଲେ। ଆଉ ଶେଷରେ ବିଭାଗୀୟ ମନ୍ତ୍ରୀ ରମେଶ ମାଝୀ କହିଥିଲେ, ସରକାର ଅବହେଳା କରୁନାହାନ୍ତି ବରଂ ଏହି ବର୍ଗର ବିକାଶ ପାଇଁ ସର୍ବଦା ଜାଗ୍ରତ ଅଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ, ଭୁଜବଳ ମାଝୀ ଏବଂ ଚନ୍ଦ୍ର ଶେଖର ମାଝୀ କହିଥିଲେ, ଅନୁସୂଚିତ ଜାତି ଓ ଜନଜାତି ଅଞ୍ଚଳରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏପରିକି ବିଭାଗୀୟ ମନ୍ତ୍ରୀ ନିଜେ ମଧ୍ୟ ଅସହାୟ ହୋଇପଡିଛନ୍ତି କାରଣ, ତାଙ୍କ ଅଞ୍ଚଳରେ ସବୁଠାରୁ ବେଶୀ ରାସ୍ତା ଅଛି, ଯେଉଁଠାରେ ଯିବାଆସିବା କରିବା ଅସମ୍ଭବ। ବିଧାୟକମାନେ କହିଥିଲେ, ଶିକ୍ଷକ ଅଭାବ ଏବେ ସଙ୍ଗିନ୍‌ ରୂପ ନେଲାଣି। ହଷ୍ଟେଲ ନାହିଁ ବୋଲି ଆଦର୍ଶ ସ୍କୁଲରୁ ପିଲା ଛାଡି ଚାଲି ଯାଉଛନ୍ତି। ଏକଲବ୍ୟ ବିଦ୍ୟାଳୟ ସ୍ଥିତି ଆହୁରି ଗମ୍ଭୀର। ପେସା ଆଇନ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କ ଆଗ୍ରହ ନାହିଁ। ସରକାର ଆଦିବାସୀ ବିକାଶ ପରିଷଦ ଗଠନ କରିଛନ୍ତି, ଏଥିରେ କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କେହି ନାହାନ୍ତି। ଦଳର ଲୋକମାନଙ୍କୁ ଥଇଥାନ କରାଯାଇଛି। ଏହା କଣ ସରକାରୀ ପଇସାରେ ହୋଇଛି ନା ଦଳୀୟ ପାଣ୍ଠି ବୋଲି ବିଧାୟକମାନେ ପ୍ରଶ୍ନ କରିଥିଲେ।

ଏହି ଅବସରରେ କୋରାପୁଟ ଜିଲ୍ଲାର ସ୍ୱାର୍ଥ ସୁରକ୍ଷା ଦାବିରେ ଶ୍ରୀ ବାହିନୀପତି ଓ ବିଧାୟକ ଚନ୍ଦ୍ରଶେଖର ମାଝୀ ଗୃହ ମଝିରେ କିଛି ମିନିଟ୍‌ ପାଇଁ ଧାରଣା ଦେଇଥିଲେ। ହେଲେ ଉପବାଚସ୍ପତିଙ୍କ ହସ୍ତକ୍ଷେପ ପରେ ସେମାନେ ଉଠିଥିଲେ। ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଓ ରବି ନାରାୟଣ ନାଏକ କହିଥିଲେ, ରାଜ୍ୟ ସରକାର ଜମି ପଟ୍ଟା ଦେଇଛନ୍ତି, ଅଥଚ ଜମି କେଉଁଠି ଦେଖାଉନାହାନ୍ତି। ସେହିପରି କେନ୍ଦୁପତ୍ର ତୋଳା ସଂସ୍ଥାରେ ଘରୋଇ କଂପାନିକୁ ଭର୍ତି କରିବାକୁ ଉଦ୍ୟମ ଚାଲିଛି। ଏହାଦ୍ୱାରା ୧୨ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ଦୁର୍ଦଶା ବଢିଯିବ। ଗରିବଙ୍କ ବିରୋଧରେ ସରକାର ଷଡ଼୍‍ଯନ୍ତ୍ର କରୁଛନ୍ତି ବୋଲି ବିଜେପି ବିଧାୟକମାନେ ଅଭିଯୋଗ କରିଥିଲେ। କେବଳ ସେତିକି ନୁହେଁ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମନଇଚ୍ଛା ମଦଭାଟି ଖୋଲାଯିବା ନେଇ ମଧ୍ୟ ଆପତ୍ତି ଉଠାଇଥିଲେ ସଭ୍ୟମାନେ। ସରକାରୀ ଦଳ ପକ୍ଷରୁ ବିଧାୟକ ମହେଶ ସାହୁ, ପଦ୍ମନାଭ ବେହେରା, ସୁଦାମ ମାରାଣ୍ଡି ଓ ମାନସ ମାଡକାମୀ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସରକାର ଆଦିବାସୀ ବିରୋଧୀ ବୋଲି ଅଭିଯୋଗ ଆଣିଥିଲେ। କହିଥିଲେ, ପଣ୍ଡିତ ରଘୁନାଥ ମୁର୍ମୁ, ଲକ୍ଷ୍ମଣ ନାୟକ, ସନ୍ଥ ଭୀମଭୋଇ ପ୍ରମୁଖଙ୍କ ନାମରେ ଓଡ଼ିଶା ସରକାର ମେଡିକାଲ କଲେଜ କରିଛନ୍ତି। ଏହି ବର୍ଗର ମୁଣ୍ଡ ଉଚ୍ଚା କରିବା ଲାଗି ୪୦୮୮ ଆବାସିକ ବିଦ୍ୟାଳୟ ଖୋଲାଯାଇଛି, ଯେଉଁଥିରେ ସାଢେ ପାଞ୍ଚ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ହେଲେ କେନ୍ଦ୍ର ସରକାର ଛାତ୍ରବୃତ୍ତି ଦେଉନାହାନ୍ତି। ଏବେ କେନ୍ଦ୍ରର ଅଂଶଧନକୁ କାଟି ୧୦ ପ୍ରତିଶତ କରିଦେବା କାରଣରୁ ରାଜ୍ୟ ସରକାରଙ୍କ ଉପରେ ଅଧିକ ଆର୍ଥିକ ଚାପ ପଡିଛି। ସମନ୍ଵିତ କାର୍ଯ୍ୟାନ୍ଵୟନ ଯୋଜନା, ପଛୁଆ ଅଞ୍ଚଳ ବିକାଶ ପାଣ୍ଠି ଆଦି ବନ୍ଦ କରାଯିବା ଦ୍ୱାରା ବିକାଶ ଢେର୍‌ ପ୍ରଭାବିତ ହେଉଛି। ଅନ୍ୟପକ୍ଷରେ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ କହିଥିଲେ, ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିର ୧୭ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରାକ୍‌ ମାଟ୍ରିକ୍‌ ବୃତ୍ତି ଓ ୪ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍‌ ପରବର୍ତୀ ଛାତ୍ରବୃତ୍ତି ଦେଉଛନ୍ତି। ମାଟ୍ରିକ୍‌ ପରବର୍ତୀ ଉଚ୍ଚଶିକ୍ଷା ପାଇଁ ମଧ୍ୟ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି। ଆକାଂକ୍ଷା ଯୋଜନା ସଂପର୍କରେ ମନ୍ତ୍ରୀ ସୂଚାଇଥିଲେ। ଜଙ୍ଗଲ ଅଧିକାର ଆଇନ ବବେର ରାଜ୍ୟ ସରକାର ୪ଲକ୍ଷ ୨୦ ହଜାର ବ୍ୟକ୍ତିଙ୍କୁ ଜମି ପଟ୍ଟା ଦେଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର