ବିଧାନସଭାରେ ମନ୍ତ୍ରୀଙ୍କ ବିବୃତିକୁ ପ୍ରତ୍ୟାଖ୍ୟାନ କଲେ ବିରୋଧୀ

ଧାନ କିଣାରେ ଦୁର୍ନୀତି ଅଭିଯୋଗ ଆଣିଲେ ନରସିଂହ

ଭୁବନେଶ୍ବର : ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ ବିଧାନସଭାରେ ଦେଇଥିବା ବିବୃତିକୁ ବିରୋଧୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଜି ବିବୃତି ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ମନ୍ତ୍ରୀଙ୍କ ବିବୃତି କୌଣସି ସ୍ପଷ୍ଟତା ରଖୁନାହିଁ। ଖରିଫ ଧାନ ସଂଗ୍ରହ ପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖକୁ ଧାର୍ଯ୍ୟ କରାଯାଇଛି। କିନ୍ତୁ ମନ୍ତ୍ରୀ ବିବୃତିରେ ସ୍ପଷ୍ଟ କରିନାହାନ୍ତି କେବେ ସୁଦ୍ଧା ଭୂତ ଚାଷୀଙ୍କ ବିଷୟରେ ଅନୁସନ୍ଧାନ ସମ୍ପୂର୍ଣ୍ଣ ହେବ। ଏହାର ଅର୍ଥ ସରକାର ଜାଣିଶୁଣି ସମୟ ଗଡ଼ାଇଦେବା ପାଇଁ ଉଦ୍ୟମ କରିବାକୁ ଚାହୁଁଛନ୍ତି। ଯଦି ସରକାର ବାସ୍ତବରେ ଚାଷୀଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତାହେଲେ କାହିଁକି ଖରିଫ ଧାନ ସଂଗ୍ରହ ଅବଧିକୁ ବୃଦ୍ଧି କରୁନାହାନ୍ତି?

ଚାଷୀଙ୍କ ଧାନ କିଣାରେ କିପରି ହଜାର ହଜାର କୋଟି ଟଙ୍କାର କିକ୍‌ ବ୍ୟାକ୍‌ ହେଉଛି ସେ ନେଇ ଉଦାହରଣ ଦେଇ କଂଗ୍ରେସ ବିଧାୟକ ଦଳ ନେତା ଦର୍ଶାଇଥିଲେ, ଗୋଟିଏ କ୍ବିଣ୍ଟାଲ ଧାନର ଏମ୍‌ଏସ୍‌ପି ଯଦି ୧୮୬୮ ଟଙ୍କା ହୁଏ, ତାହେଲେ ଆଇନସିଦ୍ଧ ଭାବେ ପ୍ୟାକସ୍‌ ପ୍ରତି କ୍ବିଣ୍ଟାଲ ପିଛା ୨ ପ୍ରତିଶତ କମିସନ ପାଉଛି। ସେହିପରି ଚାଷୀଙ୍କଠାରୁ କଟନି ଛଟନି ବାବଦରେ ହାରାହାରି ୮ କିଲୋ ଧାନ କାଟି ଦିଆଯାଉଛି। ଅର୍ଥାତ୍‌ ଗୋଟିଏ କ୍ବିଣ୍ଟାଲରେ ଆଇନ ସିଦ୍ଧ ଓ ବେଆଇନ ଭାବେ ସରକାର ପାଉଛନ୍ତି ୧୦ କିଲୋ ଧାନ। ୧୦ କିଲୋ ଧାନର ମୂଲ୍ୟ ହେଲା ୧୮୬ ଟଙ୍କା ୮୦ ପଇସା। ସେହିପରି ଅଣଜଳସେଚିତ ଜମିରୁ ଏକର ପିଛା ୧୩ କ୍ବିଣ୍ଟାଲ କିଣାଯାଉଛି। ଜଳସେଚିତ ଜମିରୁ ଏକର ପିଛା ୧୯ କ୍ବିଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ସରକାର ଧାର୍ଯ୍ୟ କରିଛନ୍ତି। ଏବେ ମନ୍ତ୍ରୀ କହୁଛନ୍ତି ପ୍ରାୟ ୬୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି। ଏହାର ଅର୍ଥ ଧାନ କିଣାରେ କେତେ ହଜାର କୋଟି ଟଙ୍କାର ଦୁର୍ନୀତି ହେଉଛି। ଏହାକୁ ଜନସାଧାରଣ ବିଚାର କରନ୍ତୁ। ମନ୍ତ୍ରୀଙ୍କ ବିବୃତି ଗ୍ରହଣୀୟ ନୁହେଁ। ସର୍ବଦଳୀୟ ବୈଠକ ଡାକି ଚାଷୀଙ୍କ ସମସ୍ତ ଧାନ କିଣିବାକୁ ରାସ୍ତା ବାହାର କରିବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ବିରୋଧୀ ଦଳ ନେତା ଶ୍ରୀ ନାଏକ ମଧ୍ୟ ସମାନ ଦାବି କରି କହିଥିଲେ, ଯଦି ସରକାର ଧାନ କିଣିବାକୁ ଅକ୍ଷମ ତାହେଲେ ଏ ଗୃହରେ ସ୍ପଷ୍ଟ କରି କହିଦିଅନ୍ତୁ। ତାହେଲେ ଜନପ୍ରତିନିଧିମାନେ ଯାଇ ସରକାରଙ୍କ ଅପାରଗତା ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଦେବେ। ବାଚସ୍ପତି ବିରୋଧୀ କିଛି ନ ଶୁଣି ଗୃହ କାର୍ଯ୍ୟ ଜାରି ରଖିବାରୁ ବିରୋଧୀ ସଦସ୍ୟମାନେ ଗୃହରେ ହୋହଲ୍ଲା ଜାରି ରଖିଥିଲେ।

ପୁନର୍ଗଠନ ହେବ ବୈଷୟିକ ଶିକ୍ଷାନୁଷ୍ଠାନର ଫି ନିର୍ଦ୍ଧାରଣ କମିଟି
ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରହିବେ ଅଧ୍ୟକ୍ଷ
ସଂଶୋଧିତ ବିଲ୍‌ ବିଧାନସଭାରେ ପାରିତ
ଭୁବନେଶ୍ବର : ରାଜ୍ୟରେ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଫି’ ନିର୍ଦ୍ଧାରଣ କମିଟିର ଅଧ୍ୟକ୍ଷ ବିପିୟୁଟିର କୁଳପତି ରହିବେ ନାହିଁ। ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ବାରା ମନୋନୀତ ହୋଇଥିବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କମିଟିର ଅଧ୍ୟକ୍ଷ ହେବେ। ଏଥି ପାଇଁ ଓଡ଼ିଶା ବୃତ୍ତିଗତ ଶିକ୍ଷାନୁଷ୍ଠାନ(ନାମଲେଖା ଓ ଫି ଧାର୍ଯ୍ୟ) ଅଧିନିୟମ,୨୦୦୭(ଓପିଇଆଇ)ରେ ସଂଶୋଧନ ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି।

ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଥିଲେ ଯେ ଓପିଇଆଇରେ ବ୍ୟବସ୍ଥା ଅନୁଯାୟୀ ଗଠିତ ଫି’ ନିର୍ଦ୍ଧାରଣ କମିଟି(ଏଫ୍‌ଏସ୍‌ସି) ରାଜ୍ୟର ସମସ୍ତ ବୈଷୟିକ/ବୃତ୍ତିଗତ ଶିକ୍ଷାନୁଷ୍ଠାନର ଫି’ ନିର୍ଦ୍ଧାରଣ କରେ। ଏହି ବ୍ୟବସ୍ଥାରେ ବିପିୟୁଟି କୁଳପତି କମିଟିର ଅଧ୍ୟକ୍ଷ ରହିବେ। ବିପିୟୁଟି ଏକ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ଭାବେ ଫି ନିର୍ଦ୍ଧାରଣ କମିଟିର ନିଷ୍ପତ୍ତିଗୁଡ଼ିକୁ କାର୍ଯ୍ୟକାରୀ କରୁଥିବାରୁ ଏହାର କୁଳପତି ଏଫ୍‌ଏସ୍‌ସିର ଅଧ୍ୟକ୍ଷ ରହିବା ସମୀଚିନ ମନେ କରାଯାଉ ନାହିଁ। ଏଣୁ ବିପିୟୁଟି କୁଳପତିଙ୍କ ସ୍ଥାନରେ ଓଡ଼ିଶା ହାଇକୋର୍ଟର ଏକ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି କରିବାକୁ ପ୍ରସ୍ତାବ ଦିଆଯାଇଛି।

ଧାନ କିଣା ପ୍ରସଙ୍ଗକୁ ନେଇ ବିଧାନସଭାରେ ହୋହଲ୍ଲା ଚାଲିଥିବାରୁ ଏହି ବିଲ୍‌ ଉପରେ ଅଧିକ ଆଲୋଚନା ହୋଇ ନ ଥିଲା। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସଂଶୋଧନ ପ୍ରସ୍ତାବ ଦେଇଥିଲେ। ଶାସକ ଦଳ ସଭ୍ୟ କିଶୋର ମହାନ୍ତି ଆଲୋଚନାରେ ଭାଗ ନେଇଥିଲେ। ହୋହଲ୍ଲା ଭିତରେ ବିଲ୍‌ଟି ବିଧାନସଭାରେ ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର