ଭୁବନେଶ୍ବର: ବଳଙ୍ଗା ଅଞ୍ଚଳରେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।। ଏହାକୁ ନେଇ ଆଜି ଏମ୍ସ ବାହାରେ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ବିଜେଡି ପକ୍ଷରୁ ବିଏମ୍ସି ମେୟର ସୁଲୋଚନା ଦାସଙ୍କ ସମେତ ବିଜେଡ଼ି ରୁଦ୍ର ମହାରଥୀ, ପ୍ରଦୀପ ମାଝୀ, ଲେଖାଶ୍ରୀ ସମାନ୍ତସିହାଂର ପ୍ରମୁଖ ପହଞ୍ଚି ସେଠାରେ ନାବାଳିକାକୁ ଭେଟିବାକୁ ଉଦ୍ୟମ କରିବା ସହିତ ନାରାବାଜି କରିଥିଲେ। କିନ୍ତୁ ଗହଳି ବଢ଼ିବାରୁ ଏମ୍ସ ପକ୍ଷରୁ ଏମ୍ସରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀମାନଙ୍କ ସୁରକ୍ଷା ତଥା ସଂକ୍ରମଣ ରୋକିବା ପାଇଁ ହସ୍ପିଟାଲ ସମ୍ମୁଖରେ ଗହଳି କିମ୍ବା କୋଳାହଳ ନ କରିବାକୁ ନୋଟିସ ଜାରି କରାଯାଇଥିଲା। ଏହାପରେ କାହାକୁ ଭିତରକୁ ଛଡ଼ା ଯାଇନଥିଲା।
ବିଜେପି ବିଧାୟକଙ୍କୁ ଛାଡ଼ିଲେ, କଂଗ୍ରେସ ବିଧାୟିକାଙ୍କୁ ଅଟକାଇଲେ
ଏହାପରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏହି ସମୟରେ ବିଜେପି ବିଧାୟକ ବାବୁ ସିଂ ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପହଞ୍ଚି ହସ୍ପିଟାଲ ଭିତରକୁ ଯାଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଜେଡି ପକ୍ଷରୁ ଏହାକୁ ବିରୋଧ କରି ନାରାବାଜି କରାଯାଇଥିଲା। ଏହାର କିଛି ସମୟ ପରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପହଞ୍ଚି ନାବାଳିକାକୁ ଭେଟିବାକୁ ଉଦ୍ୟମ କରିବା ବେଳେ ପୁଲିସ କମିସନର ତାଙ୍କୁ ଅଟାକାଇ ଥିଲେ। ଏହାକୁ ନେଇ କଂଗ୍ରେସ କର୍ମୀମାନେ ବିରୋଧ କରି ଧାରଣାରେ ବସିଥିଲେ। କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ, ସୁର ରାଉତରାୟ, ୟାସିର ନୱାଜ ପ୍ରମୁଖ ଧାରଣାରେ ବସିରହିଥିଲେ। ପରେ ପୁଲିସ ସେମାନଙ୍କୁ ବୁଝାସୁଝା କରି ଧାରଣାରୁ ଉଠାଇଥିଲା। ଏହାକୁ ନେଇ ଆଜି ଦିନ ତମାମ୍ ଏମ୍ସ ସମ୍ମୁଖରେ ହୋହଲ୍ଲା ଚାଲି ରହିଥିଲା। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏମ୍ସ ବର୍ଣ୍ଣ ୟୁନିଟ ସମ୍ମୁଖରେ ଧାରଣା ଦିଆଯାଇଥିଲା।