ଧାନ କିଣାରେ ଅବ୍ୟବସ୍ଥା ନେଇ ଗର୍ଜିଲେ ବିରୋଧୀ, ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର କର

ଚାଷୀଙ୍କୁ ଭୟଭୀତ କରୁଛନ୍ତି ବିରୋଧୀ: ଶାସକ ଦଳ

ଭୁବନେଶ୍ବର: ଚାଷୀଙ୍କୁ ବହୁତ ଶୋଷଣ କଲଣି। କେତେବେଳେ ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ତ କେତେବେଳେ ମିଲ୍‌ ମାଲିକଙ୍କ ମାଧ୍ୟମରେ। ପୁଣି ସ୍ବୟଂ ସହାୟକ ଗୋଷ୍ଠୀ ବି ଶୋଷଣ କରିବାରୁ ବାଦ୍ ପଡ଼ୁ ନାହାନ୍ତି। ଏଥର ରାଜ୍ୟସ୍ତରରୁ ଟୋକନ୍ ବ୍ୟବସ୍ଥା କରି ଚାଷୀଙ୍କୁ ତଳିତଳାନ୍ତ କରିଦେଲଣି। ସରକାରଙ୍କ ଭୁଲ୍‌ ନିଷ୍ପତ୍ତି ପାଇଁ ପଶ୍ଚିମ ଓଡ଼ିଶା ଏବେ ଜଳୁଛି। ସରକାର ତୁରନ୍ତ ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର କରନ୍ତୁ। ଆଉ ବିଳମ୍ବ ନ କରି ତୁରନ୍ତ ଧାନ କିଣା ଆରମ୍ଭ କରନ୍ତୁ।

ଆଜି ବିଧାନସଭାରେ ବିଜେପି ପକ୍ଷରୁ ଆଗତ ‘ରାଜ୍ୟରେ ଧାନ କିଣାରେ ସରକାର ବିଫଳ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଏମିତି ଗର୍ଜନ କରିଛନ୍ତି ବିଜେପି ଓ କଂଗ୍ରେସ ସଭ୍ୟମାନେ। ଆଲୋଚନା ଆରମ୍ଭ କରି ବିଜେପି ସଭ୍ୟ ଜୟନାରାୟଣ ମିଶ୍ର କହିଲେ ଯେ ଯଦି ସବୁ ଠିକ୍ ଚାଲିଛି ବୋଲି ମନ୍ତ୍ରୀ କହୁଛନ୍ତି ତେବେ ଆଜି ମୋ ଘର ସମେତ ନାଉରୀ ନାୟକ, ରୋହିତ ପୂଜାରୀଙ୍କ ଘର ସାମ୍ନାରେ ଚାଷୀମାନେ କାହିଁକି ଧାନ ଗଦା କରିଛନ୍ତି? ଏହି ସମସ୍ୟା ବ୍ୟାପକ ଓ ଉତ୍କଟ ଆକାର ଧାରଣ କଲାଣି। ସେଥିପାଇଁ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏ ଯାଏ ଚାଷୀଙ୍କ ପାଖରେ ଟୋକନ୍ ପହଞ୍ଚିନି। ତିନି ଦିନ ହେଲା ଧାନ କେଉଁଠି ଓ କେମିତି ବିକିବେ ଜାଣିପାରୁ ନାହାନ୍ତି। ଜିଲ୍ଲା ସ୍ତରରେ ଧାନ ସଂଗ୍ରହ କମିଟିର କିଛି ଭୂମିକା ରହୁନି। ସରକାର ତୁରନ୍ତ ‌େଟାକନ୍ ବ୍ୟବସ୍ଥା ପ୍ରତ୍ୟାହାର କରନ୍ତୁ ଓ ଜିଲ୍ଲା କମିଟିକୁ ଧାନ କିଣା ପାଇଁ ଅଧିକାର ଦିଅନ୍ତୁ। ଧାନ କିଣା ସମୟରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ କ୍ଷେତ୍ରକୁ ପଠାନ୍ତୁ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ଧାନ କିଣା ଆରମ୍ଭ କରିବାକୁ ୧୫ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ୧୮ ଯାଏ ଟୋକନ୍ ମିଳିନି। ଯଦି ଆଜି ଟୋକନ୍ ମିଳିବ, ତେବେ ଚାଷୀ ଧାନ କେବେ ବିକିବେ? ଧାନ କିଣାରେ ବିଳମ୍ବ ହେଉଥିବାରୁ ଚାଷୀମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଲେଣି। ଯୋଗାଣ ମନ୍ତ୍ରୀ ଯେତେବେଳେ ବିଧାୟକ ଥିଲେ ସେତେବେଳେ ଧାନ ଉତ୍ପାଦନ ଖର୍ଚ୍ଚ କ୍ବିଣ୍ଟାଲ ପ୍ରତି

୨୩୪୪ ଟଙ୍କା ବୋଲି ହିସାବ କରି କହିଥିଲେ। ଏବେ ତାହା ୨୪୦୦ ଟଙ୍କା ଟପିଗଲାଣି। ଏବେ ମନ୍ତ୍ରୀ କ’ଣ କରିବେ? ସେ ଯେଉଁ ହିସାବ ଦେଇଥିଲେ, ସେହି ହିସାବରେ ଧାନ କିଣାଯାଉଛି ତ? ମନ୍ତ୍ରୀ ଛେପ ଢୋକିବେ ନା ସତ କହିବେ? ସେତେବେଳେ ଏମ୍‌ଏସ୍‌ପି ବୃଦ୍ଧି ପାଇଁ ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ଗୃହୀତ ‌େହାଇଥିଲା। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବ ବୋଲି ସ୍ଥିର ହୋଇଥିଲା। ପ୍ରଧାନମନ୍ତ୍ରୀ ସମୟ ଦେବା ତ ଦୂରର କଥା, ଚିଠିର ଉତ୍ତର ବି ଦେଲେନି। କିନ୍ତୁ ରାଜ୍ୟ ସରକାର ଚୁପ୍ ହୋଇ ବସିଲେ। ସରକାର ଏତେ ଦକ୍ଷ ଯେ ଧାନ କିଣା‌ ପ୍ରସଙ୍ଗରେ ପଶ୍ଚିମ ଓଡ଼ିଶା ଏବେ ଜଳୁଛି। ଧାନ କିଣାରେ ଏଫ୍‌ଏକ୍ୟୁ ଗାଇଡ୍‌ଲାଇନ୍ ରହିଛି। ଯେ‌େହତୁ ଏଫ୍‌ଏକ୍ୟୁ ମାନ ପରୀକ୍ଷା ପାଇଁ ମେସିନ୍ କେଉଁଠି ନାହିଁ, ତେଣୁ ଏହି ଗାଇଡ୍‌ଲାଇନ୍ ରହିଛି କାହିଁକି ? ବିଭିନ୍ନ ଆଳରେ ଚାଷୀଙ୍କୁ ‌େଶାଷଣ କରାଯାଉଛି। ସରକାରୀ କର୍ମଚାରୀ, ମିଲ୍‌ ମାଲିକ, ଏସ୍‌ଏଚ୍‌ଜି ବିଭିନ୍ନ ଉପାୟରେ ଶୋଷଣ କରୁଛନ୍ତି। ସରକାର ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନିଅନ୍ତୁ।

ବିଜେପି ସଭ୍ୟ ନାଉରୀ ନାୟକ କହିଲେ ଯେ ମନ୍ତ୍ରୀ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ବର୍ତ୍ତମାନ ସୁଦ୍ଧା ଧାନ କିଣା ଆରମ୍ଭ ହୋଇନି। ୧୫ ଦିନ ପୂର୍ବରୁ ଚାଷୀଙ୍କ ପାଖକୁ ମେସେଜ୍ ଯିବା କଥା। କିନ୍ତୁ ତାହା ଯାଇପାରିନି। ଏପରିକି ଏମିତି ଚାଷୀ ଅଛନ୍ତି, ଯେଉଁମାନଙ୍କ ପାଖରେ ମୋବାଇଲ୍‌ ନାହିଁ। ତିନି ଦିନ ହେଲା ମେସେଜ୍ ଆସୁନି କି ଧାନ ବିକ୍ରି ହୋଇପାରୁନି। ସରକାର ବିଜୁ ଯୁବ ବାହିନୀ ପାଇଁ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। କିନ୍ତୁ ଚାଷୀଙ୍କ କଥା ଚିନ୍ତା କରୁ ନାହାନ୍ତି। ସେହିପରି କେଉଁ ଆଧାରରେ ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ଅନୁମତି ଦିଆଯାଉଛି, ତାହା ବୁଝାପଡ଼ୁନି। ଏସ୍‌ଏଚ୍‌ଜିଙ୍କୁ ଦାୟିତ୍ବ ଦିଆଯାଇ ପ‌େରାକ୍ଷରେ ବ୍ୟବସାୟୀଙ୍କୁ ହିଁ ପରିଚାଳନା କରିବାକୁ ସୁଯୋଗ ଦିଆଯାଉଛି। ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ କହିଲେ ଯେ ସରକାର ଅନ୍‌ଲାଇନ୍ ଓ ଡିଜିଟାଲ୍‌ କଥା କହୁଛନ୍ତି। କିନ୍ତୁ ଭିତ୍ତିଭୂମି ବିକାଶ କଲା ପରେ ହିଁ ଏହି ପନ୍ଥା ଅବଲମ୍ବନ କରିବା ଆବଶ୍ୟକ। ମଣ୍ଡିରେ ଏଫ୍‌ଏକ୍ୟୁ ମାନ ପରୀକ୍ଷା କରିବା ପାଇଁ ମେସିନ୍ ନାହିଁ। ଯେଉଁଠି ଅଛି, ତାହା ଚାଲୁ ନାହିଁ ବୋଲି କୁହାଯାଉଛି। କିନ୍ତୁ କଟ୍‌ନି ଛଟ୍‌ନି କରି ଚାଷୀଙ୍କୁ ଶୋଷଣ କରାଯାଉଛି। ତେଣୁ ମେସିନ୍ ନ ଆସିବା ପର୍ଯ୍ୟନ୍ତ ଏଫ୍‌ଏକ୍ୟୁ ମାନର କିଛି ଗୁରୁତ୍ବ ନାହିଁ। ସରକାର କିଛି ମଣ୍ଡିକୁ ‘ମଡେଲ୍‌ ମଣ୍ଡି’ ଭାବେ ଗଢ଼ନ୍ତୁ। ସେହିପରି ଧାନ କିଣାର ସ୍ଲାବ୍ ୧୩ କ୍ବିଣ୍ଟାଲ୍‌ ଓ ୧୯ କ୍ବିଣ୍ଟାଲକୁ ଉଠାଇ ଦେବା ସହ ଅନ୍‌ଲାଇନ୍ ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର କରିନିଅନ୍ତୁ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ ଯେ ଧାନ କିଣା ବିଭ୍ରାଟର ମୁଖ୍ୟ କାରଣ ହେଲା ଟୋକନ୍ ବ୍ୟବସ୍ଥା। ଯୋଗାଣ ବିଭାଗ ଜିଦଖୋର ମନୋବୃତ୍ତି ଛାଡ଼ି ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର କରନ୍ତୁ। ଭୁବନେଶ୍ବରରେ ଏସି ଚାମ୍ବର୍‌ରେ ବସି ଟୋକନ୍ ବ୍ୟବସ୍ଥା ପରିଚାଳନା କଲେ ହେବ ନାହିଁ। ଏ ସରକାର ସବୁ ବର୍ଷ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ସ୍ବାର୍ଥକୁ ଅଣଦେଖା କରୁଛି। ପ୍ରତି ବର୍ଷ ଧାନ କିଣାରେ ସମସ୍ୟା ହେଉଥିଲେ ବି ତାହାର ସମୀକ୍ଷା କରାଯାଇ ସମାଧାନର ବାଟ ବାହାର କରାଯାଉନି। ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନ କିଣିବା ପାଇଁ ଦାୟିତ୍ବ ଦିଆଯାଉଛି। କିନ୍ତୁ ଶାସକ ଦଳ ନିର୍ବାଚନରେ ଲାଞ୍ଚ ଦେଇ ଓ କାଳିଆ ନାଁରେ ଲାଞ୍ଚ ଦେଇ ସେମାନଙ୍କୁ ନଷ୍ଟ କରିଦେଲାଣି। ଆଉ ସେମାନେ ସ୍ବଚ୍ଛ ଉପାୟରେ ଧାନ କିଣିବେ କେମିତି ?

ଶାସକ ଦଳ ପକ୍ଷରୁ ‌ଯୁକ୍ତି ଉପସ୍ଥାପନ କରି ଶାରଦା ନାୟକ କହିଲେ ଯେ ଧାନ କିଣାରେ ସର୍ବାଧିକ ସ୍ବଚ୍ଛତା ଅବଲମ୍ବନ କରିବାକୁ ଟୋକନ୍ ବ୍ୟବସ୍ଥା କରାଯାଉଛି। ତେଣୁ ବିରୋଧୀମାନେ କେବଳ ଅଭିଯୋଗ କଲେ ହେବ ନାହିଁ। ପରିବର୍ତ୍ତନର ଆବଶ୍ୟକତାକୁ ସ୍ବୀକାର କରନ୍ତୁ। ଧାନ କିଣାରେ କୃଷକ ସଂଗଠନକୁ ସାମିଲ କରାଯିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। କିଶୋର ମହାନ୍ତି କହିଲେ ଯେ ଧାନ କିଣା ନେଇ ବିରୋଧୀଙ୍କ ପକ୍ଷରୁ ବାରମ୍ବାର ଏମିତି ମୁଲତବୀ ପ୍ରସ୍ତାବ ଆସୁଛି। କିନ୍ତୁ ସରକାର ଧାନ କିଣାକୁ ସ୍ବଚ୍ଛ କରିବା ପାଇଁ ସମସ୍ତ ପଦ‌େକ୍ଷପ ନେଇଛନ୍ତି। ମାର୍ଚ୍ଚ ପର୍ଯ୍ୟନ୍ତ ଧାନ କିଣା ଚାଲିବ। ସମସ୍ତଙ୍କ ଠାରୁ ଧାନ କିଣାଯିବ। ତେଣୁ ଏମିତି କଥା କହି ଚାଷୀମାନଙ୍କୁ ଭୟଭୀତ କରା ନ ଯାଉ। ବିରୋଧୀଙ୍କ ଅଭିଯୋଗ ଦ୍ବାରା ଚାଷୀଙ୍କ ସ୍ବାର୍ଥ ସାଧନ ହେବନି। ବରଂ ସେମାନେ ଭୟଭୀତ ହୋଇ ଦଲାଲଙ୍କୁ କମ୍ ଦର‌େର ବିକିବାକୁ ବାଧ୍ୟ ହେବେ। ଟୋକନ୍ ବ୍ୟବସ୍ଥା ନିଶ୍ଚିତ ଭାବେ ଧାନ କିଣାରେ ସ୍ବଚ୍ଛତା ଆଣିବ। ଧ୍ରୁବ ସାହୁ କହିଲେ ଯେ ‌କ୍ୟାସ୍‌ଲେସ୍ କଥା କହୁଛନ୍ତି। ତେଣୁ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରିବାର କିଛି ଯୁକ୍ତି ନାର୍ହି। ଏହା ଧାନ କିଣାରେ ସ୍ବଚ୍ଛତା ଆଣିବ। କିଶୋର ଚନ୍ଦ୍ର ନାୟକ କହିଥିଲେ ଯେ ‌େଟାକନ୍ ବ୍ୟବସ୍ଥା ଠିକ୍ ଅଛି। ଏହାକୁ ଆଉ ଟିକେ ବ୍ୟବସ୍ଥିତ ଢଙ୍ଗରେ କରିବାର ଆବଶ୍ୟକତା ରହିଛି। ଠିକ୍ ସମୟରେ ଟୋକନ୍ ପହଞ୍ଚିଗଲେ କିଛି ସମସ୍ୟା ହେବ ନାହିଁ। ତେବେ ଯେଉଁ ଜାଗାରେ ମୋବାଇଲ୍‌ ଲାଗୁନି, ସେଥି ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉ।

ସମ୍ବନ୍ଧିତ ଖବର