ଭୁବନେଶ୍ବର: ଶିଶୁ ନିଖୋଜ ଓ ବଢୁଥିବା ଦୁଷ୍କର୍ମ ଘଟଣା ନେଇ ଗୃହରେ ହଟ୍ଟଗୋଳ କରୁଥିବା ବିରୋଧୀ ଅପରାହ୍ଣ ପରେ ଅଧିକ ସକ୍ରିୟ ହୋଇଛନ୍ତି । ଦୁଇଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ଅଡି ବସିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଧାନସଭା ଭିତରେ ବିଜେପି ସଦସ୍ୟ ଧାରଣାରେ ବସିଥିବା ବେଳେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛି କଂଗ୍ରେସ । ସକାଳ ଠାରୁ ସରକାରଙ୍କୁ ଘାଇଲା କରିଥିବା ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ଜିଦ ଧରିଛନ୍ତି ।
ସେପଟେ ଆଜି ସକାଳ ଠାରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଆଉ ନାବାଳିକା ନିଖୋଜ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ ବିରୋଧୀ । ହେଲେ ଉକ୍ତ ପ୍ରସଙ୍ଗରେ ଆଲୋଚନା ନ ହେବାରୁ ଗୃହ ଆରମ୍ଭରୁ ହୋହଲ୍ଲା, ନାରାବାଜି କରିଥିଲେ ଉଭୟ କଂଗ୍ରେସ ଓ ବିଜେପି । ହଟ୍ଟଗୋଳ ପରେ ଦିନ ୧୨.୩୦ ଯାଏଁ ଓ ପରେ ଦିନ ୩ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ।
ମାତ୍ର ଗୃହରେ ଅଚଳା ଅବସ୍ଥା ଜାରି ରହିବା ଫଳରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ହେଲେ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବିଫଳ ହୋଇଥିଲା । ଆଉ ବିରୋଧୀମାନେ ବିଧାନସଭାରେ ଧାରଣା ଦେଇଛନ୍ତି ।