ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କଥା କୁହାଇଛନ୍ତି ସରକାର : ସବୁ କେନ୍ଦ୍ର ଦେଉଛି, ସ୍ୱୀକାର କର: ବିରୋଧୀ ଦଳ ନେତା

ଭୁବନେଶ୍ବର : ରାସ୍ତାଘାଟ, ଆବାସ ଯୋଜନା, ସ୍ବାସ୍ଥ୍ୟ ସେବା ପାଇଁ ସହାୟତା, ଟଙ୍କିକିଆ ଚାଉଳ ସବୁ ଯୋଜନା ପାଇଁ କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି, କିନ୍ତୁ ରାଜ୍ୟ ସରକାର ନିଜେ କରୁଥିବା କହି ଲୋକଙ୍କ ଆଗରେ ବାହାସ୍ପୋଟ ମାରୁଛନ୍ତି। ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଏପରି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ଅନୁସୂଚିତ ଜାତି ବର୍ଗଙ୍କୁ ଚାକିରି କ୍ଷେତ୍ରରେ ୧୬% ସଂରକ୍ଷଣ ମିଳୁଥିବାବେଳେ ଶିକ୍ଷା କ୍ଷେତ୍ରରେ କେବଳ ୧୦% ସଂରକ୍ଷଣ ମିଳୁଛି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି କି ସବୁ ଗାଁକୁ ପାନୀୟ ଜଳ ସୁବିଧା ମିଳିପାରିନି। ତଥାପି ରାଜ୍ୟ ସରକାର ରାଜ୍ୟପାଳଙ୍କ ମୁହଁରେ ସରକାର ଅସତ୍ୟ କୁହାଇ ବିକାଶର ଗୋଲାପି ଚିତ୍ର ଆଙ୍କିଛନ୍ତି ବୋଲି ଆଲୋଚନା ବେଳେ ଶ୍ରୀ ନାଏକ ମାଳ ମାଳ ଅଭିଯୋଗ କରିଥିଲେ।

ଶ୍ରୀ ନାଏକ ଅଭିଯୋଗ କରି କହିଥିଲେ, ରାଜ୍ୟରେ ଥିବା ପଛୁଆ ବର୍ଗଙ୍କ ପାଇଁ ସରକାର ଦୀର୍ଘ ୨୦ ବର୍ଷ ଭିତରେ କିଛି ବି କରିଲେନାହିଁ। ଏ ରାଜ୍ୟରେ ସମୁଦାୟ ଜନସଂଖ୍ୟାର ୫୨% ପଛୁଆ ବର୍ଗର ଲୋକ ଅଛନ୍ତି। ବିଜେଡି ଓ କଂଗ୍ରେସ ପଛୁଆ ବର୍ଗଙ୍କୁ ଅବହେଳିତ କରି ରଖିବାକୁ ସଦାବେଳେ ଉଦ୍ୟମ କରିଆସିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ଅର୍ଥ ଦେଉଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ଲଗାଇ ବିଜୁ ବାବୁଙ୍କ ଫଟୋ ଲଗାଇ ନିଜେ ଅର୍ଥ ଦେଉଥିବା ନେଇ ଆତ୍ମ ପ୍ରଚାର କରୁଛନ୍ତି। ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ କଥାକୁ ନକଲ କରି ସେହି ସମୟ ଭିତରେ ସମସ୍ତଙ୍କୁ ପକ୍କାଘର ଦିଆଯିବ ବୋଲି ନବୀନ ବାବୁଙ୍କ ସରକାର ଘୋଷଣା କରିଛନ୍ତି। ପିଏମ୍‌ ଆବାସ ଯୋଜନାରେ କେନ୍ଦ୍ର ରାଜ୍ୟକୁ ଦେଇଥିବା ଅର୍ଥର ହିସାବ ଦେଇ ଶ୍ରୀ ନାଏକ କହିଥିଲେ, ରାଜ୍ୟପାଳଙ୍କ ଅଭିଭାଷଣରେ ୨୩ ଲକ୍ଷ ବାସଗୃହ ନିର୍ମାଣ ହୋଇଥିବା ନେଇ ଯାହା ଉଲ୍ଲେଖ କରାଯାଇଛି ସେଥିରୁ ୧୯ ଲକ୍ଷ ବାସଗୃହ କେନ୍ଦ୍ର ଅର୍ଥରେ ତିଆରି ହୋଇଛି। ଗତ ୩ ବର୍ଷ ଧରି ରାଜ୍ୟ ସରକାର ନିଜ ବଜେଟ୍‌ରେ ଆବାସ ଯୋଜନା ବାବଦରେ ଟଙ୍କାଟିଏ ବି ବ୍ୟୟ ବରାଦ କରିନଥିଲେ। ୨୦୧୭-୧୮ରେ ଏହି ଯୋଜନା ବାବଦରେ କେନ୍ଦ୍ର ସରକାର ଓଡ଼ିଶାକୁ ୩,୧୦୦ କୋଟି ଟଙ୍କା ଦେଇଥିବାବେଳେ ୨୦୧୮-୧୯ରେ ୩,୬୦୦ କୋଟି ଓ ୨୦୧୯-୨୦ରେ ୪,୮୨୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପାନୀୟ ଜଳ ବାବଦରେ କେନ୍ଦ୍ର ସରକାର ୩ ଲକ୍ଷ ୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏ ବାବଦରେ ରାଜ୍ୟକୁ ଅର୍ଥ ମିଳିଥିଲେ ବି ଖର୍ଚ୍ଚ କରିପାରିନାହାନ୍ତି। ଫଳରେ ଆଜି ବି କଳାହାଣ୍ଡି, ନୂଆପଡ଼ା ପରି ଜିଲ୍ଲାରେ ଲୋକେ ମୁନ୍ଦାଏ ସ୍ବଚ୍ଛ ପିଇବା ପାଣି ପାଇପାରିନାହାନ୍ତି।

କଳାହାଣ୍ଡିର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ମେଗା ଜଳ ପ୍ରକଳ୍ପ ଏବେ ଅକାମୀ ହୋଇପଡ଼ିଛି। ବିରୋଧୀ ଦଳ ନେତା ଅଭିଯୋଗ କରି ଆହୁରି କହିଥିଲେ ଯେ, ଅର୍ଥାଭାବରୁ କାଳିଆକୁ ପିଏମ୍‌ କିଷାନ ସହିତ ଏକୀକରଣ କରିବାକୁ ବାଧ୍ୟ ହୋଇଛନ୍ତି। ଧାନ ମଣ୍ଡି କଥା କହିଲେ ନ ସରେ। ଖରିଫ ଋତୁ ସରିବାକୁ ବସିଲାଣି ଆଜି ବି ମଣ୍ଡିରେ ୩ ଲକ୍ଷ ମେଟ୍ରିକ୍ ଧାନ ପଡ଼ିରହିଛି। ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଓଦା ହୋଇଥିବା ଧାନ ଗଜା ହେଲାଣି ସେସବୁକୁ ନେବ କିଏ? ଜାଣିଶୁଣି ସରକାରୀ ଅଧିକାରୀମାନେ ଚାଷୀକୁ ଶୋଷଣ କରିବା ପାଇଁ ମିଲରମାନଙ୍କ ସହିତ ହାତ ମିଳାଇଛନ୍ତି। ଏବେ ବି ଚାଷୀମାନେ ଧାନ କ୍ବିଣ୍ଟାଲ ପିଛା ୧୧୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। କଳାହାଣ୍ଡି, କିବେକେ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଥିବା ଡାକ୍ତରଖାନାମାନଙ୍କରେ ଆଜି ବି ଡାକ୍ତର ଅଭାବ। ଶିଶୁ ଜନ୍ମପରଠାରୁ ମାତୃମାନଙ୍କ ପୁଷ୍ଟିଯୁକ୍ତ ଖାଦ୍ୟ ବାବଦରେ କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି ଅଥଚ ରାଜ୍ୟ ସରକାର ନିଜେ ଦେଉଥିବା କହି ବାହାବା ନେଉଛନ୍ତି। ସରକାର କାହିଁକି କେନ୍ଦ୍ରକୁ ଶ୍ରେୟ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ଅର୍ଥ ନଥିବାରୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମହଙ୍ଗାଭତ୍ତା ଦେଇପାରୁନାହାନ୍ତି। ଗତବର୍ଷ ଜୁଲାଇରୁ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ମହଙ୍ଗାଭତ୍ତା ପାଇଆସୁଛନ୍ତି। କିନ୍ତୁ ଏବେ ୭ ମାସର ମହଙ୍ଗାଭତ୍ତା କାଟି ମାତ୍ର ଜାନୁଆରି ମାସରୁ ୫% ଦେବାକୁ ଘୋଷଣା କରିଛନ୍ତି। ଯାହାକୁ ନେଇ କର୍ମଚାରୀ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି। ଯଦି ଅର୍ଥ ନାହିଁ, ତା ହେଲେ କାହିଁକି ଯୋଜନା ପରେ ଯୋଜନା ଘୋଷଣା କରି ଚାଷୀ ଓ ଗରିବ ଲୋକଙ୍କୁ ରାଜ୍ୟ ସରକାର ଭଣ୍ଡାଉଛନ୍ତି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଥିଲେ। ବିରୋଧୀ ଦଳ ନେତା କହିସାରିବା ପରେ ସନ୍ଧ୍ୟା ୮ଟା ୧ ମିନିଟ୍‌ରେ ବାଚସ୍ପତି ଗୃହକୁ ସୋମବାର ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ସମ୍ବନ୍ଧିତ ଖବର