କାଳିଆ ସହାୟତା ନେଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ଭୁବନେଶ୍ବର : ‘କାଳିଆ’ ଯୋଜନାରେ ଚାଷୀମାନଙ୍କୁ ୫ ହଜାର ଟଙ୍କା ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗତକାଲି ମୁଖ୍ୟମନ୍ତ୍ରୀ ୨ ହଜାର ଟଙ୍କା ଲେଖାଏଁ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ପ୍ରଦାନ କରିଛନ୍ତି। ଏପରି କରି ଚାଷୀମାନଙ୍କ ପ୍ରତି ରାଜ୍ୟ ସରକାର ବଡ଼ ଉପହାସ କରିଛନ୍ତି। ଏଥିରେ ଚାଷୀର କଣ ଆର୍ଥିକ ବିକାଶ ହେବ ଓ ସେ ଚାଷ କାର୍ଯ୍ୟରେ କେତେ ବିନିଯୋଗ କରିବ। କାଳିଆ ତୃତୀୟ କିସ୍ତି ଅର୍ଥ ପ୍ରଦାନ ନେଇ ଆଜି ବିରୋଧୀ ସରକାରଙ୍କୁ ଏପରି ସମାଲୋଚନା କରିଛନ୍ତି। ଅଭିଯୋଗ କରିଛନ୍ତି କେବଳ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ପୁଣି ଥରେ ଚାଷୀମାନଙ୍କୁ ନିଜ ପଟକୁ ଟାଣିବା ପାଇଁ ଏପରି ଉଦ୍ୟମ ଆରମ୍ଭ କରିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଧାନ ସଂଗ୍ରହ ବେଳେ ମଣ୍ଡିରେ ଏବେ ବି କଟଣି ଛଟଣି ଜାରି ରହିଛି। ଚାଷୀମାନଙ୍କର ଅଖା ପଇସା ମିଳୁନାହିଁ। ୨୧ ବର୍ଷ ଭିତରେ ଗୋଟିଏ କୃଷିଭିତ୍ତିକ ଶିଳ୍ପ, ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇପାରିନି। ପ୍ରଥମ ଦଫାରେ କାଳିଆ ହିତାଧିକାରୀ ତାଲିକାରେ ପ୍ରସ୍ତୁତିରେ କିପରି ହେରଫେର ହୋଇଥିଲା ସେ କଥା ସମସ୍ତ ଜାଣନ୍ତି। ୨୦୧୯ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ କାଳିଆ ଟଙ୍କା ଫେରସ୍ତ ନେଇ କିପରି ହଟଚମନ ହୋଇଥିଲା ତାହା ବି ରାଜ୍ୟବାସୀ ଭୁଲିନାହାନ୍ତି। ଏବେ ସରକାର ଯେଉଁ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି ସେଥିରେ ଭୁଲ କି ଠିକ୍‌ କେବଳ ସରକାର ହିଁ ଜାଣନ୍ତି। ଅନ୍ୟପଟେ କୃଷି ଆଇନ ବିରୋଧରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ମୋଦୀ ସରକାରଙ୍କୁ ସଂସଦ ବାହାରେ ଓ ଭିତରେ ଘେରୁଥିବାବେଳେ ମୁଖ୍ୟମନ୍ତ୍ରୀ ପଦୁଟିଏ ବି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରୁନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ ସମାଲୋଚନା କରିଛନ୍ତି।

ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀଙ୍କ ଖୁସିରେ ସେ ଖୁସି ବୋଲି କହୁଛନ୍ତି। ଆଜି କିନ୍ତୁ ବାସ୍ତବରେ ରାଜ୍ୟର ଚାଷୀ ବଡ଼ ଦୁଃଖରେ ଅଛି। ସାଧାରଣ ନିର୍ବାଚନକୁ ଆଖିରେ ରଖି କାଳିଆ ଯୋଜନା ଘୋଷଣା କଲେ। ନିର୍ବାଚନ ସରିବା ପରେ ଆଉ କାଳିଆ ସହାୟତା ଅର୍ଥ ଚାଷୀଙ୍କୁ ମିଳିଲାନି। ୨ ବର୍ଷର ଅର୍ଥ କୁଆଡ଼େ ଗଲା? ଏବେ ହଠାତ ପୁଣି ମନେପଡ଼ିଛି। ଏହାକେବଳ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି କରାଯାଇଛି। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ ନିଧି ଯୋଜନାରେ ହିତାଧିକାରୀଙ୍କ ସଠିକ୍‌ ତାଲିକା ଦେଇପାରୁନାହାନ୍ତି। ଅନ୍ୟପଟେ କାଳେ ରାଜ୍ୟର ଚାଷୀ ରାଗିଯିବେ ସେଥିପାଇଁ ପୁଣି ଥରେ ମାତ୍ର ୨ ହଜାର ଟଙ୍କା ଦେଇ ସେମାନଙ୍କୁ ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ଚାଷୀମାନେ ସରକାରଙ୍କ ଏହି ଚାଲ୍‌କୁ ବୁଝିସାରିଲେଣି। ଏହା କେବଳ ଚାଷୀକୂଳ ପ୍ରତି ପ୍ରତାରଣା ଛଡ଼ା ଆଉ କିଛି ନୁହଁ ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର