ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଉଚ୍ଛେଦ କାର୍ଯ୍ୟକୁ ନେଇ ଆମିକସ୍ କ୍ୟୁରିଙ୍କ ମନ୍ତବ୍ୟକୁ ବିରୋଧୀଙ୍କ ସମାଲୋଚନା

ବିରୋଧୀ ରାଜନୀତି କରୁଛନ୍ତି: ବିଜେଡି

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଉଚ୍ଛେଦ କାର୍ଯ୍ୟକୁ ଆମିକସ୍ କ୍ୟୁରିଙ୍କ ସମର୍ଥନକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି। କଂଗ୍ରେସ ଓ ବିଜେପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଆମିକସ୍ କ୍ୟୁରିଙ୍କୁ ସରକାର ଉଦବାସ୍ତୁ ହୋଇଥିବା ଲୋକଙ୍କ ସହ ଭେଟ କରାଇନାହାନ୍ତି। ଅନ୍ୟପେଟ ବିରୋଧୀଙ୍କୁ ଜବାବ ଦେଇ ବିଜେଡି କହିଛି ଶ୍ରୀମନ୍ଦିର ପ୍ରସଙ୍ଗରେ ସରକାର ସ୍ପଷ୍ଟ ନୀତି ଆପଣାଇଛନ୍ତି। ଏବେ ଚାଲିଥିବା ଉଚ୍ଛେଦକୁ ନେଇ ବିରୋଧୀ ରାଜନୀତି ଆରମ୍ଭ କରିଛନ୍ତି।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ କରି କହିଛନ୍ତି, ଆମିକସ୍ କ୍ୟୁରି ଜଣେ ଭଦ୍ରଲୋକ ହୋଇ ଯାହା କହିଛନ୍ତି ତାହା ଗ୍ରହଣୀୟ ନୁହେଁ। ଗତକାଲି ସରକାର ବିସ୍ଥାପିତ ହୋଇଥିବା ଲୋକଙ୍କ ପାଖକୁ ଆମିକସ୍ କ୍ୟୁରିଙ୍କୁ ନେଇନାହାନ୍ତି। କେବଳ ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ସାକ୍ଷାତ କରାଇ ଶ୍ରୀମନ୍ଦିର ସୁରକ୍ଷା ପାଇଁ ୭୫ ମିଟର ଉଚ୍ଛେଦ ଯୁକ୍ତିଯୁକ୍ତ ବୋଲି ଆମିକସ୍ କ୍ୟୁରି ରଞ୍ଜିତ କୁମାରଙ୍କୁ ବୁଝାଇଦେଇଛନ୍ତି। ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଉଚ୍ଛେଦ ପୂର୍ବରୁ ବିସ୍ଥାପିତ ହେବାକୁଥିବା ଲୋକଙ୍କ ମତାମତ ନେବା ଉଚିତ ଥିଲା। ବିରୋଧୀଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ସୁବାସ ଚୌହାନ୍ କହିଥିଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଆରମ୍ଭରୁ ସରକାର ସ୍ପଷ୍ଟ ନୀତି ଆପଣାଇଛନ୍ତି। ଏବେ ୭୫ ମିଟର ଉଚ୍ଛେଦକୁ ନେଇ ବିରୋଧୀ ରାଜନୀତି କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ।

ପ୍ରକାଶଥାଉକି, ଗତକାଲି ପୁରୀ ଗସ୍ତରେ ଆସିଥିବା ଆମିକସ୍ କ୍ୟୁରି ରଞ୍ଜିତ କୁମାର ଶ୍ରୀମନ୍ଦିର ସୁରକ୍ଷା ପାଇଁ ସରକାର ଜୋରଜବରଦସ୍ତ କାହାକୁ ଉଚ୍ଛେଦ କରୁନାହାନ୍ତି। ସମସ୍ତଙ୍କ ସହମତି ଓ କାଥାବାର୍ତ୍ତାରେ ଏହି ପ୍ରକ୍ରିୟା ଚାଲୁ ରହିଛି। ଯେହେତୁ ସମସ୍ତଙ୍କ ଭଲ ପାଇଁ ଏହା କରାଯାଉଛି, ତେଣୁ ଏଥିରେ ସମସ୍ତଙ୍କ ସହଯୋଗ ରହିବା ଦରକାର ବୋଲି ଶ୍ରୀ କୁମାର କହିଥିଲେ।

ସମ୍ବନ୍ଧିତ ଖବର