ଭୁବନେଶ୍ବର: ରାଜ୍ୟ ସରକାରଙ୍କର ହାତୀ ପରି ବଜେଟ୍‌, କିନ୍ତୁ ପିମ୍ପୁଡ଼ି ପରି ଖର୍ଚ୍ଚ। ବିଭିନ୍ନ ବିଭାଗର ଖର୍ଚ୍ଚ ଆଦୌ ଆଶାନୁରୂପ ନୁହେଁ। ସରକାର ଖୋଲା ବଜାର ଋଣ ଉପରେ ନିର୍ଭର କରୁଛନ୍ତି। ଓଡ଼ିଶାରେ ତ ଏବେ ସବୁ ଗୁଜରାଟୀକରଣ ଚାଲିଛି। ଗୁଜରାଟ ଖଣି ନିଗମକୁ କୋଲ୍‌ ବ୍ଲକ୍‌ ଟେକି ଦିଆଯାଇଛି। କେନ୍ଦ୍ର ସରକାର ଓଡ଼ିଶାର ସ୍ବାର୍ଥ ପାଇଁ ଆଦୌ ଯତ୍ନବାନ ହେଉ ନାହାନ୍ତି। କୋଇଲା ରୟାଲ୍‌ଟି ସଂଶୋଧନ କରିବାକୁ ବାରମ୍ବାର ଦାବି ପରେ ବି ଶୁଣୁ ନାହାନ୍ତି। ଆଜି ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍‌ ଆଲୋଚନା ଆରମ୍ଭ କରି ସରକାରଙ୍କୁ ଏମିତି ସମାଲୋଚନା କରିଥିଲେ 
ବିଜେଡି ବିଧାୟକ ଅରୁଣ କୁମାର ସାହୁ। 

Advertisment

ଶ୍ରୀ ସାହୁ କହିଲେ, ଏ ସରକାର କେବଳ ତଦନ୍ତ ସରକାର ପାଲଟିଛନ୍ତି। କଥା କଥାରେ ତଦନ୍ତ କଥା କହୁଛନ୍ତି। କିନ୍ତୁ ରିପୋର୍ଟ ନାହିଁ। ମହାପ୍ରଭୁ ବଳଭଦ୍ର ପଡ଼ିଗଲେ। ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼ ମାରିଲେ। ଚିକିଟିରେ ମଦମୃତ୍ୟୁ ହେଲା। ଭରତପୁର ପୁଲିସ ଥାନାରେ ଅଭିଯୋଗକାରୀଙ୍କୁ ନିର୍ଯାତନା ଦିଆଗଲା। ବାରବାଟୀରେ ଲାଇଟ୍‌ ଲିଭିଲା। ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ଲୋକ ମଲେ। ଏସବୁର ତଦନ୍ତ ରିପୋର୍ଟ କୁଆଡ଼େ ଗଲା? ଅନ୍ତଃରାଜ୍ୟ ବିବାଦର ସମାଧାନ ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟି ଏ ଯାଏଁ କ’ଣ କ’ଣ ପଦକ୍ଷେପ ନେଲା? ଦାଦନ ରୋକିବାକୁ ଗଠିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସ କମିଟି କରୁଛି କ’ଣ? କଟ୍‌ନିଛଟ୍‌ନି ବନ୍ଦ କରିବାକୁ କହିଲ। କିନ୍ତୁ ୧୦/୧୨ କେଜି ଲେଖାଏଁ ବି କଟାଯାଉଛି। ଦରଦାମ୍‌ ତ ଆକାଶଛୁଆଁ ହେଲାଣି। 

ନିରଞ୍ଜନ ପୂଜାରୀ କହିଥିଲେ, ଗତ ବର୍ଷ ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ୧୪ଟି ଦାବି ରଖିଥିଲେ। କିନ୍ତୁ କେନ୍ଦ୍ର ବଜେଟ୍‌ରେ ସେଥିରୁ ଗୋଟିଏ ବି ଦାବି ପୂରଣ ହେଲାନି। ଆମେ କ’ଣ ୨୦ ସାଂସଦ ଏଇଥି ପାଇଁ ପଠାଇଥିଲୁ? ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ସ୍ବା‌ର୍ଥ କଥା କହୁଥିବାବେଳେ ଏବେ କାହା ଚାପରେ ପେସା ଆଇନ ଲାଗୁ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଓଡ଼ିଶାର ଖଣି ଖାଦାନ ଉପରେ ଅନ୍ୟମାନଙ୍କର ଲୋଲୁପ ଦୃଷ୍ଟି ପଡ଼ିଲାଣି। ଏଥିପାଇଁ ନିକଟରେ ଗୁଜରାଟ ସରକାରଙ୍କ ଏକ ପ୍ରତିନିଧି ଦଳ ଓଡ଼ିଶା ଆସି ଆଲୋଚନା କରିଥିଲେ। ଆଗରୁ ତ କାହିଁକି କେହି ଆସୁନଥିଲେ? ବିଜେଡି ପକ୍ଷରୁ ଅରବିନ୍ଦ ମହାପାତ୍ର, ଗୌତମବୁଦ୍ଧ ଦାସ, ଗଣେଶ୍ବର ବେହେରା, ସୁନିଲ ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇ ଏହି ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ। 
ଶାସକ ଦଳ ସଭ୍ୟ ଟଙ୍କଧର ତ୍ରିପାଠୀ କହିଲେ, ପୂର୍ବ ସରକାର ଓଡ଼ିଶାର ଯୁବକଙ୍କୁ ଦାଦନ ଯିବାକୁ ବାଧ୍ୟ କରିଥିଲେ। ରାଜ୍ୟରେ ରକ୍ତହୀନତା, ପୁଷ୍ଟିହୀନତା ବଢ଼ିଚାଲିଥିଲା। ରାଜ୍ୟର ନିଜସ୍ବ ରାଜସ୍ବ ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ନଥିଲା। କେବଳ ଖଣି ଟିକସକୁ ଭରସା କରି ରହିଥିଲେ। ସନ୍ତୋଷ ଖଟୁଆ କହିଥିଲେ, ବିରୋଧୀ ବିଧାୟକ ଜାଣନ୍ତୁ ଯେ ପିମ୍ପୁଡ଼ି ହେଲା ସବୁଠୁ ଶୃଙ୍ଖଳିତ। ତାଙ୍କ ଧାଡ଼ି ଯେତେଥର ଭାଙ୍ଗିଲେ ବି ସେମାନେ ପୁଣି ଧାଡ଼ି  କରନ୍ତି। ଆମେ ସେମିତି ଶୃଙ୍ଖଳିତ ହୋଇ ଅର୍ଥ ଖର୍ଚ୍ଚ କରୁଛୁ। ମନଇଚ୍ଛା ଅଯଥାରେ ଅର୍ଥ ଖର୍ଚ୍ଚ କରୁନୁ। ଶାସକ ଦଳ ପକ୍ଷରୁ ସିଦ୍ଧାନ୍ତ ମହାପାତ୍ର, ବାବୁ ସିଂହ, ଇରାଶିଷ ଆଚାର୍ଯ୍ୟ, ଦୁଷ୍ମନ୍ତ କୁମାର ସ୍ବାଇଁ, ପ୍ରକାଶ ସେଠୀ, ରୁପୁ ଭତ୍ରା, ମନୋରଂଜନ ଦ୍ୟାନସାମନ୍ତରାୟ ଓ ସୀମାରାଣୀ ନାୟକ ଖର୍ଚ୍ଚଦାବିକୁ ସମର୍ଥନ କରି ବକ୍ତବ୍ୟ ରଖିଥିଲେ।