‘ମୁଁ ହିରୋ..’ ଅଭିଯାନକୁ ବିରୋଧୀଙ୍କ ସମାଲୋଚନା

ଯୁବଗୋଷ୍ଠୀଙ୍କୁ ‘ହିରୋ’ ନୁହେଁ, ‘ଜିରୋ’ କରି ରଖିଛନ୍ତି ସରକାର : କଂଗ୍ରେସ; ଅପାରଗତା ଲୁଚାଇବାକୁ ସରକାରୀ ଖର୍ଚ୍ଚରେ ନିର୍ବାଚନୀ ପ୍ରଚାର : ବିଜେପି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘ମୁଁ ହିରୋ…ମୁଁ ଓଡ଼ିଶା’ ଅଭିଯାନକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି। ରାଜ୍ୟ ସରକାର ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ‘ହିରୋ’ ନୁହେଁ, ‘ଜିରୋ’ କରି ରଖିଛନ୍ତି ବୋଲି ଆକ୍ଷେପ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବିଜେପି କହିଛି, ଯୁବ ସମାଜ ପ୍ରଗତି କ୍ଷେତ୍ରରେ ନିଜର ଅପାରଗତାକୁ ଲୁଚାଇବା ପାଇଁ ସରକାରୀ ଖର୍ଚ୍ଚରେ ନିର୍ବାଚନୀ ପ୍ରଚାର ଚାଲିଛି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୮ ବର୍ଷର ବିଜେଡି ସରକାର ସମୟରେ ରାଜ୍ୟରେ ଯୁବଗୋଷ୍ଠୀ ସବୁଠାରୁ ଅବହେଳିତ ଓ ପ୍ରତାରିତ ହୋଇଛନ୍ତି। ରାଜ୍ୟର ଜନସଂଖ୍ୟା ପ୍ରାୟ ୪.୫ କୋଟି ଥିବା ବେଳେ ୨୦୧୮ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୮୫ ଲକ୍ଷ ଯୁବକ, ଯୁବତୀ ବେକାର ରହିଥିଲେ। ସେମାନଙ୍କ ମଧ୍ୟରେ ପ୍ରାୟ ୩ ଲକ୍ଷ ସ୍ନାତକ ଡିଗ୍ରି ହାସଲ କରିଥିବା ଯୁବକ,ଯୁବତୀ ଅଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି ସଂଖ୍ୟା ହ୍ରାସ କରାଯାଇଥିଲା ବେଳେ ବହୁ ପଦବି ଉଚ୍ଛେଦ କରାଯାଇଛି। ଘରୋଇ କ୍ଷେତ୍ରରେ ରାଜ୍ୟର ଯୁବକ, ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ନାହିଁ। ବିଜେଡି ସରକାର ‘ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି ଯୋଜନା’ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲେ। ଏହି ଯୋଜନାରେ ପ୍ରତି ଗ୍ରାମପଞ୍ଚାୟତରେ ଅନ୍ୟୁନ ୧୫୦ ଜଣ ଯୁବକ, ଯୁବତୀଙ୍କୁ ଆବଶ୍ୟକ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ ଏବଂ ପରେ ଋଣ ଯୋଗାଣ ସହିତ ସବ୍‌ସିଡି ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ସେହି ଯୋଜନା କୁଆଡ଼େ ଗଲା ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି।

ଏହି ସ୍ଥିତିରେ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ନାମରେ ରାଜ୍ୟର ଯୁବକ, ଯୁବତୀଙ୍କୁ ଭୂଆଁ ବୁଲାଇବା ଆରମ୍ଭ କରିଛନ୍ତି। ୧୮ ବର୍ଷ ଧରି ଶୋଇଥିବା ସରକାର ନିର୍ବାଚନ ପୂର୍ବରୁ ଯୁବକ, ଯୁବତୀଙ୍କ ଭବିଷ୍ୟତକୁ ନେଇ ଯେଉଁ ଖେଳ ଖେଳିବା ଆରମ୍ଭ କରିଛନ୍ତି, ତାହା ତାଙ୍କୁ ମହଙ୍ଗା ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ଚେତାଇ ଦେଇଛନ୍ତି।

ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି, ୧୫ରୁ ୩୫ ବର୍ଷ ମଧ୍ୟରେ ସ୍ଥାନୀୟ ହିରୋଙ୍କୁ ଚିହ୍ନଟ କରି ସେମାନଙ୍କୁ ସମ୍ମାନିତ କରାଯିବାର ଯୋଜନା କ୍ରିୟାନ୍ଵୟନ କରିବା ପୂର୍ବରୁ ୧୮ ବର୍ଷ ଶାସନରେ ଓଡ଼ିଶାରେ ୩୫ ବର୍ଷ ବୟସସୀମାରେ ଥିବା ଆମର ଯୁବକ, ଯୁବତୀମାନଙ୍କ ପ୍ରତି ସରକାର ତାଙ୍କ ଦାୟିତ୍ୱ ପାଳନ କରିଛନ୍ତି କି ନାହିଁ, ତାହାର ହିସାବ ଦିଅନ୍ତୁ। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷରେ ନିଜର ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ପାଖାପାଖି ୩୨ ହଜାର ଯୁବକ, ଯୁବତୀଙ୍କୁ ଚାକିରି ଦେଇଛନ୍ତି। ଏହା ମୋଟ୍‌ ପଞ୍ଜୀକରଣର ମାତ୍ର ୩ ପ୍ରତିଶତ। ଗାଁ ସାଥୀ ଭାବେ ଯେଉଁମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ, ସେମାନେ କିପରି ଅବସ୍ଥାରେ ଜୀବନ କାଟୁଛନ୍ତି ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରିବା ଆବଶ୍ୟକ। ନିଯୁକ୍ତି ମେଳା ନାଁରେ ହୋଇଥିବା ଠକେଇର ଦୋଷୀମାନଙ୍କୁ ଦଣ୍ଡ ଦିଆଗଲା ନାହିଁ। ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଆଶା ଦେଖାଇ ସରକାର ପ୍ରତାରିତ କଲେ। ଓଡ଼ିଶାର ବହୁ ଯୁବକ ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ‘ମୁଁ ଓଡ଼ିଶା ମୁଁ ହିରୋ’ ସ୍ଲୋଗାନ୍‌ ଦେବା ପୂର୍ବରୁ ଯୁବ ପିଢ଼ିକୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବାରେ ବିଫଳ ହୋଇଥିବା ସରକାର ପ୍ରଥମେ ଉତ୍ତରଦାୟୀ ହେବାକୁ ବିଜେପି ଆହ୍ଵାନ ଦେଇଛି।

ସମ୍ବନ୍ଧିତ ଖବର