ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କଲା ପରେ ବିରୋଧୀ ଦଳ ପକ୍ଷରୁ ଏହାକୁ ସମାଲୋଚନା କରାଯାଇଛି। ଉଭୟ ବିଜେପି ଓ କଂଗ୍ରେସ ଏହାକୁ ନିର୍ବାଚନୀ ଚାଲ୍ ବୋଲି କହି ସରକାରଙ୍କୁ ଭର୍ତ୍ସନା କରିଛନ୍ତି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ୨ ଟଙ୍କିଆ ଚାଉଳ ଯୋଜନା କଂଗ୍ରେସ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆରମ୍ଭ ହୋଇଥିଲା। ବିଜୁ ବାବୁ ମୁଖ୍ୟମନ୍ତ୍ରୀ ହେଲା ପରେ ତାହାକୁ ବନ୍ଦ କରି ଦେଇଥିଲେ। ୧୯୯୫ରେ ପୁଣି କଂଗ୍ରେସ ସରକାର ଆସିଲା ପରେ ୨ ଟଙ୍କିଆ ଚାଉଳ ଯୋଜନା ଆରମ୍ଭ ହେଲା। ତେଣୁ ଏଥିରେ ବିଜେଡି ସରକାର ଶ୍ରେୟ ନେବାର କିଛି ମାନେ ନାହିଁ। ଆଗକୁ ନିର୍ବାଚନ ଥିବାରୁ ଏବେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରୁଛନ୍ତି। ଏଥିରୁ ରାଜନୀତି ସ୍ପଷ୍ଟ ବାରି ହୋଇପଡ଼ୁଛି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ୨୦୧୪ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଓଡ଼ିଶାରେ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ୍ ଆସିବ ବୋଲି ନିଜର ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲେ। କିନ୍ତୁ ୨୦୧୯ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଏହାକୁ କ୍ରିୟାନ୍ଵିତ କରିବାର ବିଳମ୍ବିତ ଘୋଷଣା କରି ଶାସକ ବିଜେଡି ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି। କେନ୍ଦ୍ର ସବୁ ସମୟରେ ରାଜ୍ୟକୁ ରାସନ୍ ଯୋଗାଇ ଆସୁଥିବା ସମୟରେ ରାଜ୍ୟ ସରକାର ଅଯଥାରେ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ଦୁର୍ଭାଗ୍ୟଜନକ। ଟଙ୍କିକିଆ ଚାଉଳରେ କେନ୍ଦ୍ର ସରକାର ୨୯ ଟଙ୍କା, ରାଜ୍ୟ ସରକାର ୨ ଟଙ୍କା ଓ ହିତାଧିକାରୀ ୧ ଟଙ୍କା ଦେଉଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରେ ଓଡ଼ିଶାର ପ୍ରାୟ ୩ କୋଟି ୨୪ ଲକ୍ଷ ହିତାଧିକାରୀ ତାଲିକା ରାଜ୍ୟ ସରକାରଙ୍କ ନିଜସ୍ୱ ଇନ୍କ୍ଲୁଜନ୍ ଓ ଏକ୍ସକ୍ଲୁଜନ୍ ଆଧାରରେ ତିଆରି ହୋଇଛି। ରାସନ୍ କାର୍ଡକୁ ଦଳୀୟ ଲୋକଙ୍କୁ ବାଣ୍ଟି ଭୋଟ୍ ହାତେଇବା ପାଇଁ ବିଜେଡି ଏପରି ହୀନ ରାଜନୀତି କରୁଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/rrr-2.jpg)