ଆଞ୍ଚଳିକ ବୈଷମ୍ୟ ଦୂର କରିବାରେ ସରକାର ବିଫଳ: ବିରୋଧୀ

ବଜେଟ୍‌ ଉପରେ ଆଲୋଚନା ଶେଷ
ଶାସକ ଦଳକୁ ସୁହାଇଲା ଭଳି ବଜେଟ୍‌
ଠିକା ନିଯୁକ୍ତି ବନ୍ଦ କରିବାକୁ ଦାବି
ଆୟ ବୃଦ୍ଧି ପାଇଁ ଯୋଜନା ନାହିଁ
ସରକାରୀ ଦଳ କହିଲେ ଓଡ଼ିଶା ଖାଦ୍ୟ ବଳକା ରାଜ୍ୟ

ଭୁବନେଶ୍ବର : ଦୀର୍ଘ ୨୦ ବର୍ଷ ଧରି ବିଜେଡି ଶାସନ ଅମଳରେ ଅନୁନ୍ନତ ଅଞ୍ଚଳର ବିକାଶ ହୋଇ ପାରିଲାନି। ଆଞ୍ଚଳିକ ବୈଷମ୍ୟ ଦୂର କରିବାରେ ସରକାର ବିଫଳ। ଆୟ ବୃଦ୍ଧି ପାଇଁ ବଜେଟ୍‌ରେ କିଛି ବି ବ୍ୟବସ୍ଥା କରାଯାଇନି। ଆଜି ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍‌ ଉପରେ ସାଧାରଣ ଆଲୋଚନାରେ ଭାଗ ନେଇ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି ବିରୋଧୀ। ବିଧାୟକ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ବିଶ୍ବ ଓ ଦେଶରେ ମାନ୍ଦାବସ୍ଥା ସତ୍ତ୍ବେ ରାଜ୍ୟ ସରକାରଙ୍କ ଆର୍ଥିକ ସୁପରିଚାଳନା ଯୋଗୁଁ ରାଜ୍ୟର ଅଭିବୃଦ୍ଧି ପ୍ରଭାବିତ ହୋଇନାହିଁ ବୋଲି ଶାସକ ଦଳ ସଭ୍ୟମାନେ ଯୁକ୍ତି ବାଢ଼ିଛନ୍ତି।

ବୁଧବାର ବଜେଟ୍‌ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଆଞ୍ଚଳିକ ବୈଷମ୍ୟ ନ କମିଲେ ଆଗକୁ ବହୁ ସମସ୍ୟା ହେବ। ଅସ‌େନ୍ତାଷ, ଧାରଣା ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବଢ଼ିଚାଲିଛି। ସରକାର ଏହାକୁ ସ୍ବତନ୍ତ୍ର ଭାବେ ନଜର ଦେବାର ଥିଲା। ସେଠାରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଯାଇଛି। ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଆଇନଜୀବୀମାନେ ଆନ୍ଦୋଳନ ଚଳାଇଛନ୍ତି। ଦୁଇଟି ସ୍ଥାୟୀ ବେଞ୍ଚ୍ ପାଇଁ ରାଜି ଅଛନ୍ତି ବୋଲି ସରକାର କହୁଛନ୍ତି। କିନ୍ତୁ ବଜେଟ୍‌‌ରେ ସେଥିପାଇଁ ଅର୍ଥ ବ୍ୟବସ୍ଥା କରାଯାଇନି। ତେଣୁ ସ୍ଥାୟୀ ବେଞ୍ଚ୍ ହେବ ନାହିଁ ବୋଲି ସରକାର ନିଶ୍ଚିତ ଥିବା ଜଣାପଡ଼ୁଛି। ପଶ୍ଚିମ ଓଡ଼ିଶାରେ ବେଞ୍ଚ୍ କେଉଁଠି ସ୍ଥାପନ ହେବ, ତାହାକୁ ନେଇ ଦ୍ବନ୍ଦ୍ବ ରହୁଛି। ବିଭିନ୍ନ ସ୍ଥାନରେ ବେଞ୍ଚ୍ ପାଇଁ ସେଠାରୁ ଦାବି ଉଠୁଛି। ସରକାର ଓ ହାଇକୋର୍ଟଙ୍କ ଦାୟିତ୍ବ ସ୍ଥାନ ଠିକ୍ କରିବା। କିନ୍ତୁ ତାହା କରାଯାଉ ନାହିଁ। ୫ ବର୍ଷ ତଳେ କେବିକେ ଅଞ୍ଚଳରେ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ଘୋଷଣା କରିଥିଲେ। କିନ୍ତୁ ତାହା କୁଆଡ଼େ ଗଲା। ବଜେଟ୍‌ରେ ମଧ୍ୟ ସେଥି ପାଇଁ ଅର୍ଥ ବ୍ୟବସ୍ଥା ନାହିଁ। ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇଥିଲା। ଏହାର ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାରେ ହେବା କଥା। କିନ୍ତୁ ୨୦ ବର୍ଷ ହେଲା ତାହା ‌ସମ୍ଭବ ହୋଇପାରିଲା ନାହିଁ। କାର୍ଯ୍ୟାଳୟ କେଉଁଠି ହେବ, ତାହା ସରକାର ସ୍ଥିର କରିପାରିଲେନି। ଆଞ୍ଚଳିକ ବୈଷମ୍ୟ ଦୂର କରିବାକୁ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆଗକୁ ସ୍ଥିତି ଭୟଙ୍କର ହୋଇଯିବ।

ରାଜ୍ୟର ଅର୍ଥନୀତିର ଦୁର୍ବଳ ସ୍ଥିତିକୁ ଦେଖାଇ ଶ୍ରୀ ମିଶ୍ର କହିଲେ, ରାଜ୍ୟର ଅର୍ଥନୀତି ସବୁଠାରୁ ଖରାପ ଅବସ୍ଥାରେ ଅଛି। ମୁଣ୍ଡପିଛା ଆୟ ଦେଖାଇ ଅର୍ଥନୀତିକୁ ମୂଲ୍ୟାୟଙ୍କନ କରା ନ ଯାଉ। ସମନ୍ବିତ ବିକାଶ ଉପରେ ଧ୍ୟାନ ଦିଆଯାଉ। ବଜେଟ୍‌ରେ ଶିକ୍ଷା ଉପରେ ସର୍ବାଧିକ ଧ୍ୟାନ ଦିଆଯିବାର ଆବଶ୍ୟକତା ଥିଲା। କିନ୍ତୁ ଶିକ୍ଷା ପାଇଁ ଯେଉଁ ବ୍ୟୟବରାଦ ହୋଇଛି, ତାହା ଖୁବ୍ କମ୍। ବହୁ ସ୍କୁଲ୍‌, କଲେଜରେ ଶିକ୍ଷକ ଓ କର୍ମଚାରୀ ପଦବି ଖାଲି ପଡ଼ିଛି। ବିଶ୍ବବିଦ୍ୟାଳୟରେ ଆଉ ଗବେଷଣା ହେଉ ନାହିଁ। ସରକାର ଶିକ୍ଷା ବ୍ୟବସ୍ଥାରେ ଧନୀ ଓ ଗରିବ ଦୁଇଟି ଶ୍ରେଣୀ ସୃଷ୍ଟି କରୁଛନ୍ତି। ସ୍ବାସ୍ଥ୍ୟ ସେବାରେ ସ୍ଥିତି ସଙ୍ଗିନ୍। ୫୦ ପ୍ରତିଶତ ଡାକ୍ତର ପଦବି ଖାଲି ପଡ଼ିଛି। ସେହିପରି ଚାଷୀଙ୍କ ଆୟ ଦୁଇ ଗୁଣ ହୋଇଯାଇଛି ବୋଲି ସରକାର କହୁଛନ୍ତି। କିନ୍ତୁ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଠିକ୍ ଭାବେ ମିଳୁନି। ରାଜ୍ୟରେ ଅଧିକାଂଶ ଚାଷୀ ‌ଧାନ ଅମଳ କରନ୍ତି। ଯଦି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନି, ତେବେ ଆୟ ଦୁଇ ଗୁଣ ହେଲା କିପରି ? ଜଳସେଚନକୁ ମଧ୍ୟ ସରକାର ବାରମ୍ବାର ଅବହେଳା କରି ଚାଲିଛନ୍ତି। ଯଦି ସରକାର ବାସ୍ତବ‌େର ଚାଷୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ସେମାନଙ୍କ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ଦିଅନ୍ତୁ। ଯଦି କେନ୍ଦ୍ର ସରକାର ରାଜି ହେଉ ନାହାନ୍ତି, ତେବେ ରାଜ୍ୟ ସରକାର ବାଟ ବାହାର କରନ୍ତୁ। ଭାଗଚାଷୀଙ୍କୁ ଟଙ୍କା ଦିଆଯାଉଛି ବୋଲି କୁହାଯାଉଛି। କିନ୍ତୁ ଭାଗ ଚାଷୀ କେଉଁଠୁ ଆସିଲେ, କେମିତି ଚିହ୍ନଟ ହେଲେ ତାହାର ଉତ୍ତର ସରକାରଙ୍କ ପାଖରେ ନାହିଁ। ଶ୍ରୀ ମିଶ୍ର କହିଥିଲେ, ଏହି ବଜେଟ୍ ଜନବିରୋଧୀ, କିନ୍ତୁ ଶାସକ ଦଳକୁ ସୁହାଇଲା ପରି ବଜେଟ୍‌। ସରକାର ରାଜ୍ୟର ଗୋଲାପି ଚିତ୍ର ଦେଖାଉଛନ୍ତି। ଲଲିପପ୍‌ ଦେଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି। ସବୁ ସମୟରେ ସବୁ ଲୋକଙ୍କୁ ବୋକା ବନାଇବା ସମ୍ଭବ ନୁହେଁ। ଏକଥା ସରକାର ଭୁଲିଯିବା ଉଚିତ ନୁହେଁ।

ଶାସକ ଦଳ ସଭ୍ୟ ପ୍ରତାପ ଦେବ ଆଲୋଚନାରେ ଭାଗ ନେଇ କହିଥିଲେ, ଏଥରକ ବଜେଟ୍‌ରେ ଶିକ୍ଷା, ସ୍ବାସ୍ଥ୍ୟ ବାବଦରେ ଅଧିକ ବ୍ୟୟବରାଦ କରାଯାଇଛି। ୨୦୨୬-୨୭ ବେଳକୁ ରାଜ୍ୟରେ ଆଉ ଡାକ୍ତର ଅଭାବ ରହିବ ନାହିଁ। ଶିକ୍ଷା ବ୍ୟବସ୍ଥାର ବ୍ୟାପକ ସଂସ୍କାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ବୈପ୍ଳବିକ ପରିବର୍ତ୍ତନ ଆସିବ। ଦକ୍ଷତା ବିକାଶ କ୍ଷେତ୍ରରେ ସରକାର ବଳିଷ୍ଠ ପଦକ୍ଷେପ ନେଇ ବହୁ ସଂଖ୍ୟାରେ ଆତ୍ମନିଯୁକ୍ତି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ପାଇପ ଯୋଗେ ସମସ୍ତଙ୍କୁ ପାନୀୟ ଜଳ ଯୋଗାଣ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ବିଧାୟକ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ୩ କୋଟି କରାଯାଇଛି। ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ଭିତରକନିକାର ସୌନ୍ଦର୍ଯ୍ୟୀକରଣ ପାଇଁ ବଜେଟ୍‌ରେ ଯେତିକି ଅର୍ଥ ବ୍ୟୟ ବରାଦ କରାଯାଇଛି ତାହା କମ୍‌ ସେଥିରେ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ବିଜେ଼ଜି ବିଧାୟକ ସତ୍ୟ ନାରାୟଣ ପ୍ରଧାନ କହିଥିଲେ, ଓଡ଼ିଶା ଖାଦ୍ୟ ଉତ୍ପାଦନରେ ବଳକା ରାଜ୍ୟ ଭାବେ ପରିଚୟ ପାଇଛି। ଏହାସହିତ ଦାରିଦ୍ର୍ୟ ଦୂରୀକରଣରେ ବି ରେକର୍ଡ଼ କରିଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ସରକାରଙ୍କ ନୀତିକୁ ସମାଲୋଚନା କରି କହିଥିଲେ, ଅର୍ଥନୀତିଜ୍ଞଙ୍କ ମତରେ ଓଡ଼ିଶାରେ ଅଭିବୃଦ୍ଧି ହାରାହାରି ୧୧% ହେଲେ ବାସ୍ତବ ଅଭିବୃଦ୍ଧି ବୋଲି ଜଣାପଡ଼ିବ। କିନ୍ତୁ ୭ରୁ ୮ ଦଶମିକ ଅଭିବୃଦ୍ଧି ହୋଇଛି ସରକାର କହି ବାହାବା ନେଉଛନ୍ତି। ପ୍ରତିବର୍ଷ ମୂଳ ବଜେଟ୍‌ରେ ବ୍ୟୟବରାଦ ହେଉଥିବା ଅର୍ଥରୁ ବିଭାଗମାନେ ୭୦% ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି। ତା ସତ୍ତ୍ବେର ସମ୍ପୃକ୍ତ ବିଭାଗ ପାଇଁ ପୁଣି ଥରେ ଅତିରିକ୍ତ ବଜେଟ୍‌ରେ ଅର୍ଥ ବ୍ୟୟ ବରାଦ କରାଯାଉଛି। ଉତ୍ତରଦାୟୀ କାହାରିକୁ କରାଯାଉନି। ବଜେଟ୍‌ରେ ଲୋକଙ୍କ ବିକାଶ ପାଇଁ ଦୀର୍ଘମିଆଦି ଯୋଜନା ନାହିଁ। ନିର୍ବାଚନ ବେଳେ କେବଳ ଯୋଜନା କରାଯାଉଛି। ଶିକ୍ଷକ ନିଯୁକ୍ତି ନାହିଁ କି ସ୍କୁଲ ଡ୍ରପ୍‌ ଆଉଟ୍‌କୁ ରୋକି ପାରୁନାହାନ୍ତି। ଦାରିଦ୍ର୍ୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଶିଳ୍ପରେ କେତେ ଓଡ଼ିଆ କାମ କରୁଛନ୍ତି ସେ ନେଇ ଅର୍ଥମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ଶ୍ରୀ ମାଝୀ ଆହ୍ବାନ କରିଥିଲେ। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସଭ୍ୟ ଅଶ୍ବିନୀ ପାତ୍ର, ଲତିକା ପ୍ରଧାନ, କିଶୋର ଚନ୍ଦ୍ର ନାୟକ, ମୁକେଶ ପାଲଙ୍କ ସମେତ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି, ବିଜେପି ସଭ୍ୟ ଭାସ୍କର ମଡ଼େଇ, ଗଣେଶ ରାମ ସିଂହ ଖୁଣ୍ଟିଆ ଓ ନବଚରଣ ମାଝି ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର