ଧର୍ମଘଟ, ବିକ୍ଷୋଭ ପ୍ରସଙ୍ଗରେ ବିରୋଧୀ କ୍ଷୁବ୍ଧ : ଶୂନ୍ୟକାଳରେ ଅସନ୍ତୋଷ ଅଜାଡିଲେ ନରସିଂହ, ସର୍ବଦଳୀୟ ବୈଠକ ପାଇଁ ପ୍ରସ୍ତାବ ଦେଲେ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଧର୍ମଘଟ, ବିକ୍ଷୋଭକୁ ନେଇ ଆଜି ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗଭୀର କ୍ଷୋଭ ପ୍ରକଟ କରିଛନ୍ତି। ବିଶେଷକରି ରାଜଧାନୀ ରାଜରାସ୍ତାରେ ଶିକ୍ଷକଙ୍କ ଧାରଣା ପ୍ରସଙ୍ଗରେ ସରକାରଙ୍କ ନୀତିକୁ ସମାଲୋଚନା କରି କହିଛନ୍ତି, ସରକାର ମୂକବଧିର ପାଲଟିଗଲାଣି। ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ଅଚଳ ହୋଇପଡିଲେଣି। ଅନ୍ତତଃ ବିଧାନସଭା ଉପରେ ଲୋକେ ଯେତିକି ଭରସା ରଖିଛନ୍ତି, ତାହା ଅତୁଟ ରହୁ। ଲୋକେ ଅନୁଭବ କରନ୍ତୁ ଯେ, ସମ୍ବିଧାନର ଏକ ଅଙ୍ଗ ବିଧାନସଭା କାର୍ଯ୍ୟକ୍ଷମ ରହିଛି। ଏହାହେଲେ ଲୋକେ ଆମକୁ ମନେ ପକାଇବେ। ନଚେତ ଆମକୁ ନିନ୍ଦା କରିବେ। ଏଣୁ ବାଚସ୍ପତି ପଦକ୍ଷେପ ନେବା ଦରକାର।

ଆଜି ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା କହିଥିଲେ, ରାଜ୍ୟରେ ଏବେ ସମସ୍ତେ ଧର୍ମଘଟରେ। ହାଇକୋର୍ଟ ଅଚଳ ହୋଇ ପଡ଼ିଛି କାରଣ ଓକିଲଙ୍କୁ ନିର୍ଘାତ ମାରିଥିବା ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଓକିଲମାନେ ଧର୍ମଘଟକୁ ଓହ୍ଲାଇଛନ୍ତି। ସରକାରୀ କର୍ମଚାରୀମାନେ ମଧ୍ୟ ବିକ୍ଷୋଭକୁ ଓହ୍ଲାଇଛନ୍ତି। ସେ କହିଥିଲେ, ଶିକ୍ଷକମାନେ ଦୀର୍ଘଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ସେମାନଙ୍କ ସହ ଆଲୋଚନା କରି କିଛି ନିଷ୍ପତ୍ତି ନେଉନାହାନ୍ତି। ଗତକାଲି ସେମାନଙ୍କୁ କଂଗ୍ରେସ ପ୍ରତିନିିଧି ଦଳ ଭେଟିବାକୁ ଯାଇଥିଲା। ପୁଙ୍ଖାନୁପୁଙ୍ଖ ଆଲୋଚନା କରଗଲା। ହୃଦ୍‌ବୋଧ ହୋଇଛି, ସେମାନଙ୍କ ଦାବି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ।

ଶ୍ରୀ ମିଶ୍ର କହିଥିଲେ, ଶିକ୍ଷା ହେଉଛି ଏକ ମୌଳିକ ଅଧିକାର। ରାଜ୍ୟ ସରକାର କିପରି ଏହାକୁ ଉଲଂଘନ କରିବାକୁ ସାହାସ କରୁଛନ୍ତି? ବିରୋଧୀ ଦଳ ନେତା ଆହୁରି କହିଥିଲେ, ରାଜ୍ୟ ସରକାର ଶିକ୍ଷକମାନଙ୍କ ପାଖକୁ ଯାଆନ୍ତୁ ନଚେତ ସେମାନଙ୍କର ନେତାଙ୍କୁ ଡାକି ଆଲୋଚନା କରି ସମାଧାନର ବାଟ ବାହାର କରନ୍ତୁ। ହେଲେ ସୂଚନା ମିଳିଛି, ଏହି ସମସ୍ୟାର ସମାଧାନ କରା ନଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଦକ୍ଷେପ ନିଆଯାଇଛି। ଶିକ୍ଷକମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ଜାରି ହୋଇଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ସ୍ପୃହଣୀୟ ନୁହେଁ। ବିଧାନସଭାରେ ମୁଲତବୀ ପ୍ରସ୍ତାବ ନୋଟିସ ଦେଇଛୁ। ଏହା ଉପରେ ଆସନ୍ତାକାଲି ଆଲୋଚନା କରାଯାଇ ସମାଧାନର ବାଟ ବାହାର କରାଯାଉ ବୋଲି ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ। ଯଦି ସରକାର ପଦକ୍ଷେପ ନ ନେଉଛନ୍ତି ତେବେ ବାଚସ୍ପତି ହସ୍ତକ୍ଷେପ କରନ୍ତୁ ଓ ସର୍ବଦଳୀୟ ବୈଠକ ଡାକନ୍ତୁ। ଅଫିସରମାନଙ୍କୁ ଡାକି ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ। ସେହିଭଳି ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ମଧ୍ୟ ଅନୁରୂପ ପ୍ରସଙ୍ଗ ଉଠାଇ ସର୍ବଦଳୀୟ ବୈଠକ ପାଇଁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର