ଦାରିଦ୍ର୍ୟକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ବିଧାନସଭାରେ ୩ ଘଣ୍ଟା ଧରି ସରଗରମ ଆଲୋଚନା, ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପିର କକ୍ଷତ୍ୟାଗ

ଭୁବନେଶ୍ବର : କ୍ରମାଗତ ୨୦ବର୍ଷ ଧରି ରାଜ୍ୟ ଶାସନରେ ରହିବା ପରେ ଓଡ଼ିଶାରେ ଉତ୍କଟ ଦାରିଦ୍ର୍ୟରେ ଏବେ ବି ୭୦ଲକ୍ଷ ପରିବାର ରହିବେ? ଏମିତି ଏକ ପ୍ରଶ୍ନ ଉପରେ ଆଜି ବିଧାନସଭାରେ ଦୀର୍ଘ ତିନି ଘଣ୍ଟା ଧରି ତର୍କ ହୋଇଛି। ବିରୋଧୀ ଦଳ ଏହି ପ୍ରସଙ୍ଗରେ ପୁଳା ପୁଳା ଉଦାହରଣ, ପରିସଂଖ୍ୟାନ ଫିଙ୍ଗି ରାଜ୍ୟ ସରକାରଙ୍କୁ କାଠଗଡ଼ା ଛିଡା କରିବା ସହିତ ସରକାରୀ ଯୋଜନା କାର୍ଯ୍ୟାନ୍ବୟନ ନେଇ ସନ୍ଦେହ ବ୍ୟକ୍ତ କରିଥିଲେ। ବିଜେଡି ସଭ୍ୟମାନେ ବିରୋଧୀଙ୍କ ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଥିଲେ। ଯୋଜନ ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ପରିସଂଖ୍ୟାନ ରଖି ଓଡ଼ିଶାରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାର କେତେ ତତ୍ପର ଅଛନ୍ତି ସେ କଥା ଗୃହ ସାମ୍ନାରେ ବଖାଣିଥିଲେ। ମନ୍ତ୍ରୀଙ୍କ ଉତ୍ତରକୁ ଅସତ୍ୟ ବୋଲି କହି ବିରୋଧୀ ଅସନ୍ତୋଷ ପ୍ରକାଶ କରିବା ସହିତ ବିଜେପି କକ୍ଷତ୍ୟାଗ କରିଥିଲା।

‘‘ଉତ୍କଟ ଦାରିଦ୍ର୍ୟରେ ୭୦ଲକ୍ଷ ପରିବାର, ୨୦ ବର୍ଷର ବିକାଶର ରୂପ ଏମିତି’’ ଶୀର୍ଷକରେ ଗୃହ ସାମ୍ନାକୁ ମୁଲତବୀ ପ୍ରସ୍ତାବ ଆସିଥିଲା। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ବାଚସ୍ପତିଙ୍କ ସଚିବାଳୟକୁ ଆରମ୍ଭରୁ ଟାର୍ଗେଟ କରିଥିଲେ। କହିଥିଲେ ଯେ ଦୁଇ ଦିନ ହେଲାଣି, ବିରୋଧୀ ଦଳ ମୁଲତବୀ ପ୍ରସ୍ତାବକୁ ବାଚସ୍ପତିଙ୍କ ସଚିବାଳୟରେ ପରିବର୍ତନ କରାଯାଉଛି। ଆପତ୍ତି କରିବା ପରେ ବି କେହି ଶୁଣୁନାହାନ୍ତି। ବିରୋଧୀ ଦଳ ସହ ବିନା ଆଲୋଚନାରେ ଏହା ହୋଇପାରିବ ନାହିଁ। ଏ ନେଇ ସେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବେ ବୋଲି ଧମକାଇଥିଲେ।

ଶ୍ରୀ ମାଝୀ କହିଥିଲେ ଯେ ଉତ୍କଟ ଦାରିଦ୍ର୍ୟରେ ୭୦ଲକ୍ଷ ବାସ କରୁଛନ୍ତି, ଏକଥା ଆମେ କହୁନାହୁଁ। ରାଜ୍ୟ ସରକାରଙ୍କ ୨୦୨୦-୨୧ ବର୍ଷ ବଜେଟ୍ ବହିରେ ସ୍ବାସ୍ଥ୍ୟ ବିଭାଗ ସଂପର୍କରେ ତଥ୍ୟ ରଖାଯିବା ବେଳେ ଏକଥା ଦର୍ଶାଯାଇଛି। ସରକାରୀ ହିସାବ ଅନୁସାରେ, ପ୍ରତି ପରିବାରର ହାରାହାରି ସଂଖ୍ୟା ଯଦି ୪.୫ ହୁଏ, ତେବେ ରାଜ୍ୟର ୩ କୋଟି ଲୋକ ଏବେ ଗରିବ। ଯେତେବେଳେ କି, ଏକ ଅସମର୍ଥିତ ପରିସଂଖ୍ୟାନ ଆଧାରରେ ରାଜ୍ୟର ଲୋକସଂଖ୍ୟା ୪ କୋଟି ୬୭ ଲକ୍ଷ ବୋଲି ହିସାବ କରାଯାଉଛି। ଆହୁରି ସ୍ପଷ୍ଟ କଲେ, ରାଜ୍ୟର ଜନସଂଖ୍ୟାର ୬୪.୨୪ ପ୍ରତିଶତ ଲୋକ ଗରିବ।

ରାଜ୍ୟ ସରକାର ୨୦ବର୍ଷ କ୍ଷମତାରେ ରହିବା ପରେ ବି ଏତେ ସଂଖ୍ୟକ ଗରିବ କେମିତି ରହିଲେ? ବୋଲି ପ୍ରଶ୍ନ ଉଠାଇ ଶ୍ରୀ ମାଝୀ କହିଥିଲେ ଯେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ କରି କହିଥିଲେ, ଗୋଟିଏ ସମୟ ଥିଲା, ଓଡ଼ିଶା ଉତ୍କଟ ଦାରିଦ୍ର୍ୟ ଓ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଥିଲା। ଏବେ ଦାରିଦ୍ର୍ୟ ହ୍ରାସ ଓ ବିପର୍ଯ୍ୟୟ ପରିଚାଳନାରେ ବିଶ୍ବସ୍ତରୀୟ ମାନଦଣ୍ଡ ପ୍ରସ୍ତୁତ କରିଥିବା ଦୃଷ୍ଟିରୁ ପରିଚିତ। ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣ ଠିକ୍ ନା ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ?

ଶ୍ରୀ ମାଝୀ କହିଥିଲେ ଯେ ୨୦୧୭ ମସିହା ମାର୍ଚ ମାସରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଉତ୍କଟ ଦାରିଦ୍ର୍ୟ ଥିବା ସଂପର୍କରେ କହିଥିଲେ। ସେତେବେଳେ ତମ୍ବିତୋଫାନ କରିଥିବା ଶାସକ ଦଳ ଏବେ କିନ୍ତୁ ଅର୍ଥମନ୍ତ୍ରୀଙ୍କ ମୁହଁରେ ମାନିଛନ୍ତି। କେବଳ ସେତିକି ନୁହେଁ, ୨୦୧୯ ଜୁନ୍ ୧୫ ତାରିଖରେ ଓଡ଼ିଶାର ଦାରିଦ୍ର୍ୟ ଚିତ୍ର ରଖି ନବୀନ ସ୍ବତନ୍ତ୍ର ପାହ୍ୟା ପ୍ରଦାନ ଦାବି କରିଥିଲେ। ଏବେ କିନ୍ତୁ ନିର୍ବାଚନ ପରେ ସେ କଥା ଭୁଲିଯାଇଛନ୍ତି। ଅନୁଦାନ ମାଗିବା ବେଳକୁ ଦାରିଦ୍ର୍ୟ କଥା କହୁଛନ୍ତି, ବାକି ସମୟରେ ଅଗ୍ରଣୀ ରାଜ୍ୟ କେମିତି ହେଲେ? ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଥିଲେ ଯେ ରାଜ୍ୟରେ ଅମଲାତାନ୍ତ୍ରିକ ସରକାର ଚାଲିଛି। ପରିସଂଖ୍ୟାନ ଦେଇ ସେମାନେ ଅଭିବୃଦ୍ଧି ବଢାଉଛନ୍ତି। ମନ୍ତ୍ରୀ, ବିଧାୟକଙ୍କର କିଛି ବି ଭୂମିକା ନାହିଁ? ଜଣେ ବ୍ୟକ୍ତିର ଇସାରାରେ ସରକାର ଚାଲିଛି। ସେ କିଏ? ଯଦି ଏବେ ମୋ ସରକାର ଚାଲିଛି, ଆଗରୁ କାହା ସରକାର ଥିଲା? ଯେଉଁ ବିଭାଗ ସାମିଲ ହୋଇନାହାନ୍ତି, ସେ ବିଭାଗ କେଉଁ ସରକାରରେ ଅଛି? ସେହିଭଳି ରାଜ୍ୟ ସରକାରଙ୍କ ସଡକ ପରିବହନ ବସ ଚାଲିଛି। ପୁଣି ମୋ ବସ୍ କଣ? ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ପାଖରେ କିଛି ବି ଖବର ନାହିଁ। ଟଙ୍କିକିଆ ଚାଉଳ ଓ ୫ ଟଙ୍କିଆ ଆହାର ଦେଇ ରାଜ୍ୟ ପରିବର୍ତନ କରିଦେବେ? ବିଜେପି ପକ୍ଷରୁ ନିତ୍ୟାନନ୍ଦ ଗଣ୍ଡ ଆଲୋଚନାରେ ଭାଗ ନେଇଥିଲେ।

କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ନୋବେଲ୍ ବିଜେତା ଅମର୍ତ୍ତ୍ୟ ସେନ୍ କିମ୍ବା ଅଭିଜିତ୍ ବାନାର୍ଜୀଙ୍କ ଠାରୁ କେହି କିଛି ଶିଖିଲେନି। ୨୦ ବର୍ଷ ସ୍ଥିର ସରକାର ଶାସନ କରୁଛନ୍ତି। ହେଲେ ରାଜ୍ୟ ଭାଗ ବଦଳୁନି। ଓଲଟା ଗରିବ-ଧନୀଙ୍କ ଭିତରେ ବ୍ୟବଧାନ ବଢିବାରେ ଲାଗିଛି। ଶିକ୍ଷା, ସ୍ବାସ୍ଥ୍ୟ କିଭଳି ଦିଗହରା ହୋଇଯାଇଛି, େସ ନେଇ ଶ୍ରୀ ମିଶ୍ର ଉଦ୍‌ବେଗ ପ୍ରକାଶ କରିବା ସହିତ ନିର୍ଦିଷ୍ଟ କି କି ଦିଗରେ ବିକାଶ ହେବା ଜରୁରୀ ସେ ନେଇ ସରକାରଙ୍କୁ ପରାମର୍ଶ ଦେଇଥିଲେ। ସେହିଭଳି ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା, ଦେଶରେ ସବୁଠାରୁ ଅଧିକ ବେକାରୀ ଓଡ଼ିଶାରେ ବୋଲି ଶ୍ରୀ ମିଶ୍ର ମତ ରଖିବା ସହିତ ସରକାରଙ୍କ କାର୍ଯ୍ୟଧାରାର କଡ଼ା ସମାଲୋଚନା କରିଥିଲେ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଥିଲେ ଯେ ଫଳ ଠାରୁ ଫୁଲ, ମାଛ ଠାରୁ ଚିନି ଯାଏ ସବୁ କିଛି ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି ଓଡ଼ିଶା। ସରକାର କେବଳ ପଇସା ଦେଇ ପୁରସ୍କାର ଜିଣୁଛନ୍ତି, ଶ୍ରମିକ ଦାଦନ ଖଟିଲେଣି ଅନ୍ୟରାଜ୍ୟରେ। ଏମିତିରେ ଦାରିଦ୍ର୍ୟ ହଟିବ? କଂଗ୍ରେସ ସରକାରରେ ୨ ନମ୍ବର ସ୍ଥାନରେ ଥିବା ଓଡ଼ିଶା କିଭଳି ତଳକୁ ଖସିଗଲାଣି ସେ ନେଇ ଶ୍ରୀ ରାଉତରାୟ ଅସନ୍ତୋଷ ଝାଡିଥିଲେ।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ, ଧ୍ରୁବ ଚରଣ ସାହୁ, ପ୍ରଫୁଲ୍ଲ ସାମଲ ଓ ଅଶ୍ବିନୀ ପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇ ଓଡ଼ିଶାର ବିକାଶର ଚିତ୍ର ରଖିଥିଲେ। କହିଥିଲେ ଯେ ଓଡ଼ିଶା ମୁଣ୍ଡରେ ଅନାହାର ମୃତ୍ୟୁ ଅପବାଦ ଆଉ ନାହିଁ। ବରଂ ୨୪.୬୧ ପ୍ରତିଶତ ଦାରିଦ୍ର୍ୟ ଖସିଛି। ରାଜ୍ୟ କୃଷି ଉତ୍ପାଦନ ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପରିଚାଳନା, ଖେଳ ଆୟୋଜନ ଆଦି କ୍ଷେତ୍ରରେ ନାଁ କଲେଣି। ରାଜ୍ୟ ବିଜେପି ଏଠି ରାଜ୍ୟ ସରକାରଙ୍କୁ ଆକ୍ଷେପ କରିବା ପୂର୍ବରୁ କେନ୍ଦ୍ର ସରକାର ଓ ତାଙ୍କ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ଉଚିତ୍। କାରଣ ସେମାନେ ରାଜ୍ୟ ସରକାରଙ୍କୁ ପୁରସ୍କାର ଦେଉଛନ୍ତି ଓ ପ୍ରଶଂସା କରୁଛନ୍ତି।

ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ରାଜ୍ୟ ସରକାରଙ୍କର ପୂର୍ବରୁ ନିଜସ୍ବ ଯୋଜନା ନ ଥିଲା। ଏବେ କେବଳ ସରକାରଙ୍କ ୪୨୮ଟି ନିଜସ୍ବ ଯୋଜନା ଚାଲିଛି। ପୁଣି କେନ୍ଦ୍ରୀୟ େଯାଜନା ରହିଛି। ନୀତି ଆୟୋଗ ଦ୍ବାରା ଗଠିତ ତେନ୍ଦୁଲକର କମିଟି ଦର୍ଶାଇଛନ୍ତି ଯେ ୨୦୧୧-୧୨ ସୁଦ୍ଧା ଦାରିଦ୍ର୍ୟ ୩୨.୫୯ ପ୍ରତିଶତକୁ ହ୍ରାସ ପାଇଛି। ଓଡ଼ିଶା ୨୦୧୫-୧୬ ସୁଦ୍ଧା କୃଷି କ୍ଷେତ୍ରରେ ୮.୦୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ନିଅଣ୍ଟିଆରୁ ଖାଦ୍ୟଶସ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି। ୨୦୧୯-୨୦ ଅଗ୍ରିମ ଆକଳନ ଅନୁଯାୟୀ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ୫ଲକ୍ଷ ୩୩ ହଜାର ୮୨୨ କୋଟି ୪୬ଲକ୍ଷରେ ପହଞ୍ଚିଥିବା ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର