ବସ୍ ଫିଟନେସ୍ ନବୀକରଣ କ୍ଷେତ୍ରରେ ଅତିରିକ୍ତ ଫି’କୁ ବିରୋଧ

ହାଇକୋର୍ଟଙ୍କ ଜବାବ ତଲବ

କଟକ : ବସ୍‌ର ଫିଟନେସ ନବୀକରଣ ଫି’ ବୃଦ୍ଧିକୁ ଚାଲେଞ୍ଜ କରି ଦାୟର ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ପରିବହନ କମିସନର ଓ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସକୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମାମଲାରେ ୮ ସପ୍ତାହ ଭିତରେ ଜବାବ ଦାଖଲ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ବସ୍ ଫିଟନେସ୍ ନବୀକରଣ ପାଇଁ ବସ୍ ମାଲିକମାନେ ପଇଠ କରିଥିବା ଅତିରିକ୍ତ ଫି’ର ଭବିଷ୍ୟତ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଲ୍ ଓଡ଼ିଶା ବସ୍ ଓନର୍ସ ଆସୋସିଏସନ୍ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୧କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ରେ କେନ୍ଦ୍ର ସଡକ ପରିବହନ ବିଭାଗ ବିଜ୍ଞପ୍ତି ପ୍ରକାଶ କରି ୧୫ ବ‌ର୍ଷରୁ ଅଧିକ ସମୟର ବସ୍ ସମେତ ବିଭିନ୍ନ ବର୍ଗର ଗାଡିର ଫିଟନେସ୍ ନବୀକରଣ ଫି’ ବୃଦ୍ଧି କରିଥିଲେ। ଗାଡ଼ିର ଫିଟ୍‌ନେସ୍ ସାର୍ଟିଫିକେଟର ବୈଧତା ଶେଷପରେ ଏହା ନବୀକରଣ ହେବାପର୍ଯ୍ୟନ୍ତ ପ୍ରତିଦିନ ପାଇଁ ଗାଡ଼ି ମାଲିକଙ୍କୁ ଅତିରିକ୍ତ ୫୦ ଟଙ୍କା ଲେଖାଏ ଅତିରିକ୍ତ ଫି’ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। ଏଭଳି ଫି’ ବୃଦ୍ଧି ଓ ଅତିରିକ୍ତ ଫି’ ବ୍ୟବସ୍ଥା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏଭଳି ନୂଆ ଫି’ ବ୍ୟବସ୍ଥାକୁ ବରୋଧ କରି ଦେଶର ବିଭିନ୍ନ ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଛି ବୋଲି ଶୁଣାଣି ସମୟରେ ଦର୍ଶାଯାଇଥିଲା। ଏଥିସହିତ ଏହି ପ୍ରସଙ୍ଗ ନେଇ ଓଡ଼ିଶା ହାଇକୋର୍ଟରେ ମଧ୍ୟ କେତେକ ମାମଲା ବିଚାରାଧୀନ ରହିଥିବା ଜଣାପଡ଼ିଥିଲା। ସମସ୍ତ ମାମଲାର ନଭେମ୍ବର ୨୧ରେ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର