ବ୍ରହ୍ମପୁର : କରୋନା ମହାମାରୀ ପାଇଁ ଦୀର୍ଘ ୮ମାସ ହେଲା ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ବହୁ ଗରିବ ଲୋକ ରୋଜଗାର ହରାଇ ବସିଥିବା ବେଳେ ଶ୍ରମିକମାନେ କାମ ନପାଇ ଭୋଗ ଉପାସରେ ଦିନ କାଟିଛନ୍ତି। ସେପଟେ ବହୁ ଲୋକ ଚାକିରି ମଧ୍ୟ ହରାଇଛନ୍ତି। ଏଭଳି କ୍ଷେତ୍ରରେ ଲୋକଙ୍କୁ ସହଯୋଗ କରିବା ବଦଳରେ ବିଏମ୍ସି ତରଫରୁ ଆବର୍ଜନା ଉଠାଇବା ପାଇଁ ଫି’ ଧାର୍ଯ୍ୟ କରାଯାଇଛି। ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି ଭାରତୀୟ ବିକାଶ ପରିଷଦ। ଲୋକଙ୍କ ଦୁର୍ବଳ ଆର୍ଥିକ ଅବସ୍ଥାକୁ ଦେଖି ତୁରନ୍ତ ଏଭଳି ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ବୋଲି ପରିଷଦ ଦାବି କରିଛି। ଏ ମର୍ମରେ ଓଡ଼ିଶା ମୁଖ୍ୟ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ, ଆର୍ଡିସି, ଜିଲ୍ଲାପାଳ ଓ ବିଏମ୍ସି କମିସନର୍ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ବିଏମ୍ସି ତରଫରୁ ୱାର୍ଡ଼ଗୁଡ଼ିକ ସଫେଇ ବ୍ୟବ୍ୟସ୍ଥାକୁ ଘରୋଇକରଣ କରାଯାଇଛି। ପ୍ରତି ୱାର୍ଡ଼ରେ ୩୫/୪୦ଜଣ ସଫେଇ କର୍ମଚାରୀ ନିୟୋଜନ କରାଯାଇଥିବା କୁହାଯାଉଛି। କିନ୍ତୁ ପ୍ରକୃତ ପକ୍ଷେ ପ୍ରାୟ ୧୫ଜଣ କର୍ମଚାରୀ କାମ କରୁଥିବା ପରିଷଦ ଅଭିଯୋଗ କରିଛି। କିନ୍ତୁ ବିଏମ୍ସି ତରଫରୁ ସମସ୍ତ କର୍ମଚାରୀଙ୍କ ପାଇଁ ଠିକା ସଂସ୍ଥାକୁ ଅର୍ଥ ପ୍ରଦାନ କରାଯାଉଛି। ଏଭଳି ଭାବେ ଟଙ୍କା ବରବାଦ୍ କରାଯାଉଛି ବୋଲି ପରିଷଦ ତରଫରୁ କୁହାଯାଇଛି। ଅନ୍ୟପଟେ ରାଜସ୍ବ ବୃଦ୍ଧି ପାଇଁ ବିଏମ୍ସି ତରଫରୁ ଏବେ ପ୍ରତି ଘରୁ ଆବର୍ଜନା ସଂଗ୍ରହ ପାଇଁ ମାସିକ ୩୦ଟଙ୍କା ଆଦାୟ କରାଯିବାକୁ ବ୍ୟବସ୍ଥା କରାଯାଇଛି। ସେହିପରି ବ୍ୟାବସାୟିକ ପ୍ରତିଷ୍ଠାନରୁ ଶହେରୁ ୪ଶହ ଟଙ୍କା ଓ ବୁଲା ବିକାଳିଙ୍କ ଠାରୁ ମାସିକ ୧୫୦ଟଙ୍କା ଆଦାୟ କରିବାକୁ ସ୍ଥିର ହୋଇଛି। ଅନ୍ୟ ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ଠାରୁ ୭୫୦ଟଙ୍କା ଠାରୁ ୪ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଯାହାକି ସାଧାରଣ ଲୋକଙ୍କୁ ଖୁବ୍ ବାଧିବ। ଏଣୁ ସମୂହ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଏଭଳି ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ବୋଲି ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ଉପସଭାପତି କିଶୋର ଚନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ରଂଶ୍ମୀ ରଂଜନ ଦାବି କରିଛନ୍ତି। ନିଷ୍ପତ୍ତି ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ପରିଷଦ ତରଫରୁ ଚେତାବନୀ ଦିଆଯାଇଛି।