ବନ୍ଦ ଖଣିରୁ କ୍ରୋମ ପରିବହନକୁ ବିରୋଧ

ପୁଲିସ ଉପସ୍ଥିତିରେ ମେସିନ ଲୋଡିଂ, ପରିବହନ

କାଳିଆପାଣି: ସୁକିନ୍ଦା କ୍ରୋମ୍‌ ଉପତ୍ୟକାର ଚିଙ୍ଗୁଡ଼ିପାଳ ଓସ୍ତିଆ ବନ୍ଦ ‌ଖଣିରୁ କ୍ରୋମ୍‌ ପରିବହନକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଛନ୍ତି। ଗତକାଲି ଏଠାରୁ ପରିବହନ ଆରମ୍ଭ ହୋଇଥିବା ଜାଣିବା ପରେ ପୂର୍ବରୁ ଏଠାରେ କାମ କରୁଥିବା ଓସ୍ତିଆ, ବଡ଼ଖମଣ ଓ ପାଟଣା ଗାଁର ୩୦ରୁ ଅଧିକ ଛଟେଇ ଆଦିବାସୀ ଶ୍ରମିକ ସପରିବାର ଆଜି ଉକ୍ତ ଖଣିରେ ପହଞ୍ଚି କ୍ରୋମ୍‌ ପରିବହନକୁ ବିରୋଧ କରିଥିଲେ। କାହ୍ନୁରାମ ହୋ, ନାଣ୍ଡୁ ଦେହୁରୀ, କିଷାନ ଟୁଡ଼ୁ, ବିଷ୍ଣୁ ହନହଗା, ଟୁନା ଦେହୁରୀ, ସନାତନ ହେମ୍ବ୍ରମ, ବିଜୁ ହେମ୍ବ୍ରମ, ଶିବ ଉଗ୍ରସାଣ୍ଡି, ମୁଟୁ ସିଙ୍କୁ, ଚକ୍ର ଦେହୁରୀ, ରାଉତ ପିଙ୍ଗୁଆ, ଜଗଦୀଶ ମାରାଣ୍ଡି ପ୍ରମୁଖ ମେସିନ ଲୋଡ୍‌ ବଦଳରେ ସେମାନଙ୍କୁ  କର୍ମ ନିଯୁକ୍ତି ଦେବାକୁ ଦାବି କରିଥିଲେ।

ପୂର୍ବରୁ ସେମାନେ ଓ ସେମାନଙ୍କ ପୂର୍ବଜମାନେ ଖଣିରେ କାମ କରି ଛଟେଇ ହୋଇଥିବା ଦର୍ଶାଇ ଖଣିରେ ସେମାନଙ୍କ ଅଧିକାର ଅଛି ବୋଲି କହିଥିଲେ। ‌କିଛି ସମୟ ପାଇଁ ଖଣିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କାଳିଆପାଣି ଥାନା ପକ୍ଷରୁ ଏଏସ୍‌ଆଇ ବିଜୟ କୁମାର ତରାଇ ସଦଳବଳ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ। ସେହିପରି ଓଡ଼ିଶା ଖଣି ନିଗମ(ଓଏମ୍‌ସି) ନିରାପତ୍ତା ନିରୀକ୍ଷକ ନିରୋଦ କୁମାର ନାୟକଙ୍କ ନେତୃତ୍ବରେ ଓଆଇଏସ୍‌ଏଫ୍‌ ପୁଲିସ ବାହିନୀ ଦିନ ତମାମ୍‌ ଖଣିରେ ଉପସ୍ଥିତ ରହି ପରିବହନ ବ୍ୟବସ୍ଥାକୁ ସୁଗମ କରାଇଥିଲେ। ଗତକାଲି ଏଠାରୁ ୧୧ ଟ୍ରିପ୍‌ ଓ ଆଜି ସଂଧ୍ୟା ସୁଦ୍ଧା ୮୦ ଟ୍ରିପ୍‌ରୁ ଅଧିକ କ୍ରୋମାଇଟ୍ ପରିବହନ ହୋଇଥିବା ସୂଚନା ମିଳିଛି। ପରିବହନ ବ୍ୟବସାୟରେ ଭାଗୀଦାର ଥିବା ଏକାଧିକ ସ୍ଥାନୀୟ ବ୍ୟକ୍ତି ସଂଘବଦ୍ଧ ଭାବେ ପୁଲିସ ଭୟ ଦେଖାଇ ସଂପୃକ୍ତ ଆଦିବାସୀମାନଙ୍କୁ ଖଣିରୁ ଫେରାଇ ଦେଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ୧୯୯୩ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଏହି ଖଣି ଇମ୍ଫା ମାଲିକାନାରେ ଥିଲା।  ଆଶାନୁରୂପ ଖଣିଜ ଗଚ୍ଛିତ ନଥିବା ଜାଣି ଇମ୍ଫା କମ୍ପାନି ୨୦୦୪ ମସିହାରେ ସରକାରଙ୍କ ପାଖରେ ଖଣି ଫେରସ୍ତ ପାଇଁ ଆବେଦନ କରିଥିଲା। ୨୦୧୬ ମସିହାରୁ ଖଣି ବିଭାଗ ବିଧିବଦ୍ଧ ଭାବେ ଏହି ଖଣିକୁ ନିଜ ଅକ୍ତିଆରକୁ ନେଇଥିଲା। ସେତେବେଳେ ଖଣି ପରିସରସ୍ଥ ବିଭିନ୍ନ ଷ୍ଟାକ୍‌ରେ ୭ ହଜାର ଟନରୁ ଅଧିକ ପରିମାଣର କ୍ରୋମାଇଟ୍‌ ରହି ଯାଇଥିଲା। ପରବର୍ତ୍ତୀ ସମୟରେ ଯାଜପୁରରୋଡ଼ ସର୍କଲ ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ଉକ୍ତ ଖଣିଜ ଦ୍ରବ୍ୟର ରକ୍ଷଣାବେକ୍ଷଣ ଓ ତଦାରଖ ପାଇଁ ଓଏମ୍‌ସିକୁ ଦାୟିତ୍ବ ଦିଆଯାଇଥିଲା। ଓଏମ୍‌ସି ନିରାପତ୍ତା ବ‌ାହିନୀ ବର୍ଷେରୁ ଅଧିକ ସମୟ ଧରି ଏଠାରେ ଜଗାରଖା କରିଆସୁଛନ୍ତି। ଖଣି ବିଭାଗ ପରାମର୍ଶରେ ଗତମାସ ଉକ୍ତ ଖଣିଜ ପଦାର୍ଥର ବିକ୍ରୟ ପାଇଁ ଓଏମ୍‌ସି ପକ୍ଷରୁ ନିଲାମ ଆହ୍ବାନ କରାଯାଇଥିଲା।

ସମ୍ବନ୍ଧିତ ଖବର