କଟକ : ଚୁକ୍ତିଭିତ୍ତିକ ନିଯୁକ୍ତି ଏବଂ ଡାକ୍ତରଙ୍କ ଅବସର ବୟସ ବୃଦ୍ଧିକୁ ଓଡ଼ିଶା ମେଡିକାଲ କଲେଜ ଟିଚର୍ସ ଆସୋସିଏସନ୍ (ଓମ୍ଟା) ବିରୋଧ କରିଛି। ଏଥିସହିତ, ସ୍ବେଚ୍ଛାକୃତ ଅବସର ଚାହୁଁଥିବା ଡାକ୍ତରଙ୍କୁ ଅନୁମତି ଦେବାକୁ ଓମ୍ଟା ଦାବି ରଖିଛି। ଆଜି ସଂଘର ସାଧାରଣ ପରିଷଦ ବୈଠକ ଓ ବାର୍ଷିକ ସମ୍ମିଳନୀରେ ଓମ୍ଟା ଏହା ଉଠାଇଥିବାବେଳେ ଏହି ଦାବି ରାଜ୍ୟ ମେଡିକାଲ୍ ଶିକ୍ଷା ସେବା ବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେବାକୁ ଯାଉଥିବା କୁହାଯାଉଛି।
ଏସ୍ସିବି ପୁରୁଣା ଅଡିଟୋରିୟମ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓପିଏସ୍ସି ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ୍ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ମେଡିକୋଲିଗାଲ ମାମଲା ସଂପର୍କରେ ବକ୍ତବ୍ୟ ରଖିବା ସହିତ ନିୟମିତ ଭାବେ କିପରି ଓପିଏସ୍ସି ମାଧ୍ୟମରେ ଡାକ୍ତର ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ, ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଫେସର ଡାକ୍ତର ଡିଏମ୍ଇଟି ଡା.ରମାରମଣ ମହାନ୍ତି ଓମ୍ଟା ଉଠାଇଥିବା ପ୍ରସଙ୍ଗ ଉପରେ ମତାମତ ରଖିବା ସହିତ ଇଚ୍ଛା ନଥିଲେ ବି ଏପ୍ରକାର ନିଯୁକ୍ତି ପାଇଁ ବାଧ୍ୟ ହେଉଛୁ ବୋଲି କହିଥିଲେ। କିନ୍ତୁ, ଆଗକୁ ନିଯୁକ୍ତି ଓ ପଦୋନ୍ନତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବା ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ। ମୁଖ୍ୟବକ୍ତା ଭାବେ ଏସ୍ସିବିର ପୂର୍ବତନ ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ, ଏମ୍ସର ଡାକ୍ତର ଏସ୍.ଏନ୍ ସୁବା ପ୍ରମୁଖ ଯୋଗଦେଇ ଡାକ୍ତରଙ୍କ କ୍ୟାରିୟର୍ ଆଡଭାନ୍ସମେଣ୍ଟ ଓ ଆସେସ୍ମେଣ୍ଟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍ସିବି ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସେନଜିତ୍ ମହାନ୍ତି, ଦନ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟନ୍ତ କୁମାର ଦାଶ, ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ଓମ୍ଟା ସଭାପତି ଡାକ୍ତର ଆଶିଷ କୁମାର ବାରିକ, ସାଧାରଣ ସଂପାଦକ ଡାକ୍ତର କାଳୀପ୍ରସନ୍ନ ସ୍ବାଇଁ, ଆୟୋଜକ କମିଟି ଚେୟାରମ୍ୟାନ୍ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା, ସଂପାଦକ ଡାକ୍ତର ଫକୀରମୋହନ ଦେବତା, ଓମ୍ଟା କଟକ ଶାଖା ଉପ-ସଭାପତି ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକ, ଯୁଗ୍ମ-ସଂପାଦକ ଡାକ୍ତର ସମୀର ସ୍ବାଇଁ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ସବୁ ମେଡିକାଲ କଲେଜର ୨୫୦ରୁ ଅଧିକ ବିଶେଷଜ୍ଞ ଓ ଓମ୍ଟାର ସଦସ୍ୟମାନେ ଯୋଗ ଦେଇଥିଲେ।
ମ୍ଟା ସଭାପତି ଡାକ୍ତର ଆଶିଷ ବାରିକ୍ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ସଂପାଦକ କାଳୀପ୍ରସନ୍ନ ସ୍ବାଇଁ ଓମ୍ଟାର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଓମ୍ଟା ପକ୍ଷରୁ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା।
ଅନ୍ୟପକ୍ଷରେ, ଆଜିର ବୈଠକରେ କେନ୍ଦ୍ରୀୟ ଓମ୍ଟାର ନୂତନ ସଭାପତି ଭାବେ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା, ସାଧାରଣ ସଂପାଦକ ଭାବେ ଆସୋସିଏଟ୍ ପ୍ରଫେସର ଡାକ୍ତର ଦୀପକ ରଞ୍ଜନ ଦାସ, ଏଡିଟର୍ ଭାବେ ଆସୋସିଏଟ୍ ପ୍ରଫେସର ଡାକ୍ତର ମିହିର ରଂଜନ ନାଏକ, କୋଷାଧ୍ୟକ୍ଷ ଭାବେ ଆସୋସିଏଟ୍ ପ୍ରଫେସର ଡାକ୍ତର ସୌମ୍ୟରଞ୍ଜନ ନାଏକଙ୍କୁ ମନୋନୀତ କରାଯାଇଥିଲା। ସେହିପରି କଟକ ଶାଖାର ସଭାପତି ଭାବେ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ, ସାଧାରଣ ସଂପାଦକ ଆସୋସିଏଟ୍ ପ୍ରଫେସର ଡାକ୍ତର ମନୋରଞ୍ଜନ ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି।