ଏସ୍‌ଡିସି ଅଧ୍ୟକ୍ଷ ଚୟନକୁ ବିରୋଧ: ଅସନ୍ତୁଷ୍ଟ ବିଜେଡି ନେତା କଲେ ଗୁପ୍ତ ବୈଠକ

ରାଇଘର: ନବରଙ୍ଗପୁର ଜିଲ୍ଲା ସ୍ବତନ୍ତ୍ର ବିକାଶ ପରିଷଦ (ଏସ୍‌ଡିସି) ଅଧ୍ୟକ୍ଷ ଭାବେ ପୂର୍ବତନ ସରପଞ୍ଚ ଉପେନ୍ଦ୍ର ଗଣ୍ଡଙ୍କୁ ମନୋନୀତ କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଆଦୌ ଗ୍ରହଣ କରିପାରି ନାହାନ୍ତି ରାଇଘର ବ୍ଲକ୍‌ର ଅନେକ ନେତା। ଖୋଲାଖୋଲି ବିଦ୍ରୋହ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି। ଯାହା ଆଗକୁ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ହେବାକୁ ଯାଉଛି। ତୁରନ୍ତ ଅସନ୍ତୁଷ୍ଟଙ୍କ ମାନଭଞ୍ଜନ ନହୁଏ, ଆଗକୁ ବହୁନେତା ଦଳ ଛାଡ଼ିବେ ବୋଲି ସଂକେତ ଦେଇଛନ୍ତି।

ଗତକାଲିର ଘୋଷଣା ପରେ ଆଜି ଅସନ୍ତୁଷ୍ଟ ବିଜେଡି ନେତା ମେଳି କରିଥିଲେ। ରାଇଘର ବ୍ଲକ୍‌ ଅନ୍ତର୍ଗତ ଚଲାଣପାରା ଠାରେ ଗୁପ୍ତ ବୈଠକ କରି ନେତୃତ୍ବ ବିରୋଧରେ ଅସନ୍ତୋଷ ଝାଡ଼ିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ନବୀନା ନାୟକ, ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ସମିତି ସଭ୍ୟ ରାମନାଥ କେଉଟ, ପୂର୍ବତନ ସରପଞ୍ଚ ରଘୁ ଗଣ୍ଡ, ଚେତମନ ଗଣ୍ଡ ପ୍ରମୁଖ ଏହି ଗୁପ୍ତ ବୈଠକରେ ନେତୃତ୍ବ ନେଇଥିଲେ। ଏସ୍‌ଡିସି ଅଧ୍ୟକ୍ଷ ପଦବି ପାଇଁ ଜିଲ୍ଲା ବିଜେଡି ଯେଉଁ ନାମ ସୁପାରିସ କରିଛି ତାହା ଆଦୌ ଗ୍ରହଣୀୟ ନୁହେଁ। ସ୍ଥାନୀୟ ନେତାଙ୍କୁ ନ ପଚାରି ତରବରିଆ ତଥା ଏକପାଖିଆ ଭାବେ ଜିଲ୍ଲାସ୍ତରରେ ନିଷ୍ପତ୍ତି ନିଆଯାଇଛି। ଏଭଳି ନିଷ୍ପତ୍ତିକୁ ଆଦୌ ସ୍ବୀକାର କରାଯିବ ନାହିଁ। ତେଣୁ ଅଧ୍ୟକ୍ଷ ମନୋନୟନକୁ ରଦ୍ଦ କରାଯାଉ। ନଚେତ ସମସ୍ତ କର୍ମୀ ଏବଂ ନେତା ଦଳରୁ ସମୁହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ରାଇଘର ବ୍ଲକ୍‌ରେ ବିଜେଡିରେ ଫାଟ ଆଦୌ ନୂଆ କଥା ନୁହେଁ। ଅନେକ ବର୍ଷ ଧରି କିଛି ନେତାଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିଛି। ଯାହାର ପରିଣାମ ୨୦୧୭ ପଞ୍ଚାୟତ ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡିକୁ ଭୋଗିବାକୁ ପଡ଼ିଥିଲା। ଜିଲ୍ଲାସ୍ତରୀୟ ତଥା ରାଜ୍ୟସ୍ତରୀୟ ନେତା ବାରମ୍ବାର ତଳିପକା ଉଦ୍ୟମ କରିଛନ୍ତି। ତଥାପି ମଝିରେ ମଝିରେ ଏହି ଫାଟ ସାମ୍ନାକୁ ଆସିଛି। ପଞ୍ଚାୟତ ନିର୍ବାଚନ ପରେ ସାମାନ୍ୟ ଥମିଥିବା ଗୋଷ୍ଠୀ କନ୍ଦଳ ଏବେ ଏସ୍‌ଡିସି ପ୍ରସଙ୍ଗରେ ବଢ଼ିଛି। ସେହିପରି ଜିଲ୍ଲା ବିଜେଡି ପକ୍ଷରୁ ଚୟନ କରାଯାଇଥିବା ବ୍ଲକ ସଭାପତି ଓ ସାଧାରଣ ସମ୍ପାଦକ ପଦବିକୁ ନେଇ ମଧ୍ୟ ଉପରୋକ୍ତ ଗୋଷ୍ଠୀ ଅସନ୍ତୁଷ୍ଟ ରହିଛନ୍ତି। ଆଜିର ଗୁପ୍ତ ବୈଠକରେ ଏହି ପ୍ରସଙ୍ଗରେ ବି ଆଲୋଚନା କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର