କଟକ: ଜଗତସିଂହପୁର ଜିଲ୍ଲାର ପାରାଦୀପ ନିକଟରେ ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟକୁ ମିଳିଥିବା ପରିବେଶ ମଞ୍ଜୁରି ବିରୋଧରେ ଦାୟର ମାମଲାକୁ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନ୍ଜିଟି) ବିଚାର ପାଇଁ ଗ୍ରହଣ କରିବା ସହିତ ନୋଟିସ୍ ଜାରି କରିଛନ୍ତି। କେନ୍ଦ୍ର ସରକାର, ଜେଏସଡବ୍ଲୁ ଷ୍ଟିଲ ଉତ୍କଳ ଷ୍ଟିଲ ଲିମିଟେଡ୍, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟିକୁ ଏନ୍ଜିଟି ନୋଟିସ୍ ଜାରି କରିବା ସହିତ ଚାରି ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍ଜିଟି ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାୟ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୪କୁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ଜେଏସ୍ଡବ୍ଲୁ ଷ୍ଟିଲ୍ ପକ୍ଷରୁ ପାରାଦୀପ ନିକଟରେ ୧୩.୨ ଏମ୍ଟିପିଏ କ୍ଷମତାର ଗ୍ରିନ୍ଫିଲ୍ଡ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ପ୍ଲାଣ୍ଟ୍, ୧୦ ଏମ୍ଟିପିଏ ବିଶିଷ୍ଟ କ୍ରୁଡ୍ ଷ୍ଟିଲ୍, ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ଓ ୯ଶହ ମେଗାୱାଟ୍ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଥିବାବେଳେ ଏଥିପାଇଁ ୨୦୨୨, ଏପ୍ରିଲ ୧୨ରେ ପରିବେଶ ମଞ୍ଜୁରି ପ୍ରଦାନ କରାଯାଇଥିଲା। ତେବେ, ଯେଉଁ ସ୍ଥାନରେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି, ତା’ ପାଖରେ ବହୁ ଶିଳ୍ପସଂସ୍ଥା ରହିଛି। ତେଣୁ ପରିବେଶ ଉପରେ ପଡ଼ିବାକୁ ଥିବା କ୍ରମବର୍ଦ୍ଧିଷ୍ଣୁ ପ୍ରଭାବର ଆକଳନ କରାଯିବା କଥା ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ, ଏହି ପ୍ରକଳ୍ପକୁ ନେଇ ଏକ୍ସପର୍ଟ ଆପ୍ରାଇଜାଲ କମିଟି (ଇଏସି)ର ୨୦୨୧, ମାର୍ଚ୍ଚ ୩-୪ ବୈଠକରେ କେତେକ ଅତିରିକ୍ତ ତଥ୍ୟ ଦାଖଲ ପାଇଁ କୁହାଯାଇଥିଲା। ଏହାପରେ ଗତବର୍ଷ ଜୁନ୍ ୨୩-୨୪ରେ ଅନୁଷ୍ଠିତ ଇଏସି ବୈଠକରେ ମଧ୍ୟ ପରିବେଶ ସଂପର୍କିତ ତଥ୍ୟରେ ତାଳମେଳ ନଥିବା ସ୍ପଷ୍ଟ ହୋଇଥିଲା। ପାରାଦୀପ ପୋର୍ଟ ଓ ଜଟାଧାରୀ ମୁହାଣ ପ୍ରଭାବିତ ହେବ କି ନାହିଁ, ସେ ନେଇ ତଥ୍ୟ ଦାଖଲ ପାଇଁ ବୈଠକରେ କୁହାଯାଇଥିଲା। ତେଣୁ, ପୁଣି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଘୁଞ୍ଚିଥିଲା। ୨୦୨୧, ସେପ୍ଟେମ୍ବର ୧୬-୧୭ରେ ଅନୁଷ୍ଠିତ ବୈଠକରେ ସାମୁଦ୍ରିକ କଇଁଛଙ୍କ ଚଳାଚଳ ଉପରେ ପ୍ରକଳ୍ପର ପ୍ରଭାବ ସଂକ୍ରାନ୍ତରେ ଆକଳନ ପରିବେଶ ମଞ୍ଜୁରି ପୂର୍ବରୁ ଆବଶ୍ୟକ ବୋଲି ଦର୍ଶାଯାଇଥିଲା। ଏଥିସହିତ, ଅନ୍ୟ କେତେକ ପ୍ରସଂଗରେ ମଧ୍ୟ ତଥ୍ୟ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏଭଳି ସ୍ଥିତିରେ କିନ୍ତୁ ବେନିୟମ ଭାବେ ପରିବେଶ ମଞ୍ଜୁରି ପ୍ରଦାନ କରାଯାଇଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/steel-plant.jpg)