କୁଳିଅଣା: ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ବେଳେ ଆକ୍ରମଣର ଶିକାର ହୋଇଛନ୍ତି ମୟୂରଭଞ୍ଜଜିଲ୍ଲା କୁଳିଅଣା ତହସିଲଦାର। ପୁଲିସ ଉପସ୍ଥିତିରେ ତାଙ୍କୁ ଘୋଷାରି ନେଇ ମାଡ଼ ମରାଯାଇଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି। କୁଳିଅଣା ତହସିଲ ଅନ୍ତର୍ଗତ ତିତିରି ମୌଜାର ସରକାରୀ ଜମିରେ ଗଢ଼ି ଉଠିଥିବା ବସ୍ତିର ୩୫ ପରିବାରଙ୍କୁ ଉକ୍ତ ସ୍ଥାନ ଖାଲି କରିବାକୁ ତହସିଲ ପକ୍ଷରୁ ନୋଟିସ୍‌ କରାଯାଇଥିଲା। ୨୫ ତାରିଖ ଉଚ୍ଛେଦ କରାଯିବ ବୋଲି ପୁଲିସ ଓ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ବି କରାଯାଇଥିଲା।

Advertisment

ଆଜି କୁଳିଅଣା ତହସିଲଦାର ଦୁର୍ଗାଚରଣ ମୁର୍ମୁ, ଥାନା ଆଇଆଇସି ମଧୁମିତା ମହାନ୍ତି ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ। ଜେସିବି ଲଗାଇ ୪ଟି ଘର ଭଙ୍ଗି ସାରିବା ପରେ ହଠାତ୍‌ ଉତ୍ତେଜନା ଦେଖାଦେଇଥିଲା। ବସ୍ତି ବାସିନ୍ଦା ଉଚ୍ଛେଦକୁ ବିରୋଧ କରିବା ସହ ମହିଳାମାନେ ତହସିଲଦାରଙ୍କୁ ଠେଲାପେଲା କରିଥିଲେ। ପୁଲିସ ତାଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ବେଳେ କିଛି ମହିଳା ଭିଡ଼ ଭିତରୁ ତହସିଲଦାରଙ୍କୁ ଘୋଷାରି ଆଣି ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। 

ଏହି ଘଟଣା ପରେ ଉଚ୍ଛେଦ ପ୍ରକ୍ରିୟା ତୁରନ୍ତ ବନ୍ଦ ରଖିବା ଦାବିରେ ବସ୍ତି ବାସିନ୍ଦାମାନେ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଶହଶହ ଗାଡ଼ି ମୋଟର ଅଟକି ରହିଥିଲା। ଉଚ୍ଛେଦ ପ୍ରକ୍ରିୟା ୧୫ ଦିନ ପାଇଁ ସ୍ଥଗିତ ରଖିବାକୁ ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଛି। ତେବେ ଆଜି ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକ ବର୍ଷାଦିନେ କେଉଁଠି ଆଶ୍ରୟ ନେବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।