ବାଲିଅନ୍ତା: ବାପା ମା’, ବନ୍ଧୁବର୍ଗ ସମସ୍ତେ ମିଶି ଝିଅକୁ ବହୁ ବୁଝାସୁଝା କଲେ। ପରିବାରର ମାନ ଇଜ୍ଜତ କଥା କହି ବୁଝାଇଲେ। ପ୍ରେମିକଟି ଗରିବ ହୋଇଥିବାରୁ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି ଚେତାବନୀ ଦେଲେ। ମାତ୍ର ବୁଝିଲାନି ଝିଅ। ଗରିବ ଯୁବକ ହୋଇଥିଲେ ବି ତା’ ପ୍ରେମିକ ତା’ ପାଇଁ ବଡ଼ ବୋଲି କହିଲା ଓ ତାକୁ ହିଁ ବାହା ହେବ ବୋଲି ଅଡ଼ି ବସିଲା। ଏମିତିକି ଜଣେ ଡାକ୍ତରଙ୍କ ସହ ପଡ଼ିଥିବା ବିବାହ ପ୍ରସ୍ତାବକୁ ଗୋଡ଼ରେ ଏଡ଼ାଇ ଦେଲା। ତେଣୁ ପରିବାରଲୋକେ ଭିନ୍ନ ପନ୍ଥା ଆପଣେଇଲେ।
ପ୍ରେମ କରୁଥିବା ଯୁବକକୁ ବିଭିନ୍ନ ଧମକଚମକ ଦେଇ ଝିଅ ଜୀବନରୁ ହଟାଇ ଦେବାକୁ ଯୋଜନା କଲେ। ଯୋଜନା ଅନୁସାରେ ଗତକାଲି ଯୁବକକୁ ବାଳକାଟିରୁ ଅପହରଣ କରିନେଲେ। କିନ୍ତୁ ବାଲିଅନ୍ତା ଥାନା ପୁଲିସ ସବୁ ବିଗାଡ଼ି ଦେଲା। ପ୍ରାୟ ୧୪ ଘଣ୍ଟାର ଅପରେସନ୍ ପରେ ପୁଲିସ ଅପହରଣକାରୀମାନଙ୍କୁ ଖୋର୍ଦ୍ଧା ବେଗୁନିଆରୁ ଗିରଫ କରିବା ସହ ଯୁବକକୁ ଆହତ ଅବସ୍ଥାରେ ଉଦ୍ଧାର କଲା। ଅପହରଣ ଓ ହତ୍ୟା ଉଦ୍ୟମ ମାମଲାରେ ଆଜି ବାଳକାଟି ଫାଣ୍ଡି ପୁଲିସ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଯୁବତୀଙ୍କ ସମ୍ପର୍କୀୟ ବାଲିପାଟଣା ଥାନା ଝିଣ୍ଟିଶାସନ ପଞ୍ଚାୟତ ଅଞ୍ଚଳର ଶରତ ଚନ୍ଦ୍ର ନାୟକ ଓରଫ୍ ବାବୁଲି (୫୨), ନିମାପଡ଼ାର ସ୍ବପ୍ନେଶ୍ବର ସାହୁ ଓରଫ୍ ରିଙ୍କୁ (୨୮) ଓ କାର୍ ଚାଳକ ବୌଦ୍ଧ ଜିଲ୍ଲା ଅଞ୍ଚଳର ସୁବର୍ଣ୍ଣ ବେହେରା ଓରଫ୍ ରାଜୁ(୩୨)। ଏହି ମାମଲାରେ ବ୍ୟବହୃତ ଅନ୍ୟ ଏକ କାର୍ ଘଟଣାସ୍ଥଳରୁ ଖସି ଯାଇଛି ଓ ଆଉ କିଛି ଅପହରଣକାରୀ ଫେରାର୍ ହୋଇଯାଇଛନ୍ତି।
ଘଟଣାଟି ଥିଲା ଏମିତି। ବାଲିପାଟଣା ବିଶ୍ବନାଥପୁର ଅଞ୍ଚଳର ନିହାର ରଞ୍ଜନ ଜେନା (୩୧) ବାଲିପାଟଣା ଥାନା ଝିଣ୍ଟିଶାସନ ଅଞ୍ଚଳର ଜଣେ ଧନୀ ପରିବାରର ଯୁବତୀ ଟ୍ବିଙ୍କିଲ୍ (ଛଦ୍ମନାମ)କୁ ଭଲ ପାଉଥିଲେ। ନିହାର ଗରିବ ଘରର ଯୁବକ ହୋଇଥିବାରୁ ଟ୍ବିଙ୍କିଲ୍ଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ। ଏହା ଭିତରେ ଜଣେ ଡାକ୍ତରଙ୍କ ସହ ପରିବାର ଲୋକେ ଟ୍ବିଙ୍କିଲ୍ର ବିବାହ ପ୍ରସ୍ତାବ ପକାଇଥିଲେ। ମାତ୍ର ଟ୍ବିଙ୍କିଲ୍ଙ୍କ ଏକା ଜିଦ୍ ଥିଲା ସେ ନିହାରକୁ ହିଁ ବିବାହ କରିବେ।
ଏମିତିକି ସେ କୋର୍ଟରେ ନିହାରଙ୍କୁ ବିବାହ କରିଥିବା ପରିବାରଲୋକଙ୍କୁ କହିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଟ୍ବିଙ୍କିଲ୍ଙ୍କ ପରିବାରଲୋକେ ନିହାରକୁ ଅପହରଣ କରିବାକୁ ଯୋଜନା କରି ଅପହରଣକାରୀ ଯୋଗାଡ଼ କରିଥିଲେ। ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ଅପହରଣକାରୀମାନେ କୌଶଳକ୍ରମେ ନିହାରକୁ ବାଳକାଟି କେନାଲ ପାଖକୁ ଡକାଇଥିଲେ ଓ ସେଠାରୁ ତାଙ୍କୁ ଅପହରଣ କରି ନେଇଥିଲେ। ତେବେ ଏ ସଂପର୍କରେ ନିହାରଙ୍କ ମା’ ଶକୁନ୍ତଳା କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ବାଲିଅନ୍ତା ଥାନା ଓ ବାଳକାଟି ଫାଣ୍ଡିରେ ଅଭିଯୋଗ କରିଥିଲେ।
ଘଟଣା ପଛର କାହାଣୀରୁ ନିହାରଙ୍କ ଜୀବନ ପ୍ରତି ବିପଦ ଥିବା ଜାଣିବା ପରେ ପୁଲିସ ମାମଲାକୁ ଗୁରୁତ୍ବର ସହ ନେଇଥିଲା। ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଓ ବାଳାକଟି ଫାଣ୍ଡି ଅଧିକାରୀ ମମତାଜ୍ ଅଲ୍ଲୀ ତୁରନ୍ତ ଅପରେସନ୍ ଆରମ୍ଭ କରିଥିଲେ। ଅପହରଣର ମୁଖ୍ୟ ଖଳନାୟକ ବାବୁଲିଙ୍କ ଫୋନ୍ ଟ୍ରାକ୍ କରି ପୁଲିସ ଟିମ୍ ରାତି ପ୍ରାୟ ସାଢ଼େ ୨ଟା ସମୟରେ ବେଗୁନିଆ ଥାନା କଳପ ଗାଁରେ ଚଢ଼ଉ କରିଥିଲା। ସେଠାରୁ ଆହତ ଅବସ୍ଥାରେ ନିହାରକୁ ଉଦ୍ଧାର କରାଯାଇଥିଲା। ସେଠାରୁ ଉପରୋକ୍ତ ୩ ଜଣଙ୍କୁ ଗିରଫ କରାଯିବା ସହ ଏକ କାର୍ ଜବତ କରାଯାଇଥିଲା। କାର୍ ଭିତରୁ ଖଣ୍ଡା, ଛୁରି ଓ ଭୁଜାଲି ଭଳି ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/46-4.jpg)