ସରକାରୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ବିରୋଧ : ଚାଷୀ ସଂଗଠନର ରଣହୁଂକାର, ଆଲୋଚନା ନୁହେଁ ରାସ୍ତାରେ ଲଢେଇ

ସମ୍ବଲପୁର : ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ପ୍ରହସନ ପାଲଟିଛି ଏବଂ ଧାନ ସଂଗ୍ରହ ବ୍ୟବସ୍ଥା ଭୁବନେଶ୍ବର କେନ୍ଦ୍ରୀକ ହେଲାଣି ବୋଲି ଅଭିଯୋଗ କରିଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ। ତେଣୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନାର କୌଣସି ଲାଭ ନାହିଁ ଏବଂ ଧାନ ସଂଗ୍ରହରେ କୌଣସି ସମସ୍ୟା ହେଲେ ଚାଷୀମାନେ ସିଧାସଳଖ ରାସ୍ତାକୁ ଓହ୍ଲାଇବେ ବୋଲି ସଙ୍ଗଠନର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ କେନ୍ଦ୍ର ସରକାରଙ୍କ କୃଷି ନୀତି ଏବଂ ରାଜ୍ୟ ସରକାରଙ୍କ ଖାଦ୍ୟ ନୀତି ବିରୋଧରେ ୧୨ ତାରିଖରେ ଚାଷୀମାନେ କଳା ବ୍ୟାଜ୍‌ ପରିଧାନ କରିବେ ବୋଲି ଘୋଷଣା କରାଯାଇଛି।

www.thehindu.com

ସୂଚନାଯୋଗ୍ୟ ୧୨ ତାରିଖରୁ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ହେବ। ଏହି ପରିପ୍ରେକ୍ଷୀରେ ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନର ବୈଠକ ବସିଥିଲା। ବୈଠକରେ ସମସ୍ତ ବ୍ଲକର ଚାଷୀ ପ୍ରତିନିଧି ସାମିଲ ହୋଇଥିଲେ। ବୈଠକରେ ରାଜ୍ୟ ସରକାରଙ୍କ ତ୍ରୁଟି ପୂର୍ଣ୍ଣ ଖାଦ୍ୟ ନୀତିକୁ ତୀବ୍ର ବିରୋଧ କରାଯାଇ ଥିଲା। ଏକର ହିସାବରେ ଜଳସେଚିତ ଜମିରୁ ୧୯ କ୍ବିଣ୍ଟାଲ ଏବଂ ଅଣଜଳସେଚିତ ଜମିରରୁ ୧୩ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ସରକାର ନିଷ୍ପତ୍ତି ନେଇଥିବ‌ାରୁ ଏଥିଯୋଗୁଁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବ। ତେଣୁ ଏକର ପିଛା ଏହି ଧାନ ସଂଗ୍ରହ ନୀତିକୁ ଗ୍ରହଣ କରାଯିବ ନାହିଁ। ଏହା ବିରୋଧରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଘୋଷଣା କରାଯାଇଛି।

Picfair

ସଂଗଠନ ପକ୍ଷରୁ କୁହାଯାଇଛି ଯେ ଗତବର୍ଷ ଧାନ ସଂଗ୍ରହ ସମୟରେ ପ୍ରଶାସନିକ ନିଷ୍ପତ୍ତି ଅନୁସାରେ ଜିଲ୍ଲାର କେତେକ ମିଲ୍‌ ବାହାର ଜିଲ୍ଲାରୁ ବି ଧାନ ସଂଗ୍ରହ କରୁଥିଲେ। ଏଥିଯୋଗୁଁ ସମ୍ବଲପୁର ଜିଲ୍ଲା ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ତେଣୁ ଚଳିତ ବର୍ଷ ସଙ୍ଗଠନ କୌଣସି ନରମ ଆଭିମୁଖ୍ୟ ଗ୍ରହଣ କରିବ ନାହିଁ। ଧାନ ସଂଗ୍ରହ ଚାଲୁଥିବାବେଳେ ଜିଲ୍ଲାର ଯେଉଁଠି ମଧ୍ୟ ବାହାର ଜିଲ୍ଲାର ଧାନ ଗାଡ଼ି ଦେଖାଯିବ କିମ୍ବା ବାହାର ଜିଲ୍ଲାରୁ ଧାନ ସଂଗ୍ରହ ହେଉଥିବା ଜଣାପଡ଼ିବ ଚାଷୀ ଏହାକୁ ଜବତ କରିବ। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏସ୍‌ଏଚ୍‌ଜିଗୁଡ଼ିକୁ ବିନା ଭିତ୍ତିଭୂମିରେ ଧାନ ସଂଗ୍ରହରେ ସାମିଲ କରାଯାଉଛି। ସେମାନେ ପୁଣି ମଣ୍ଡିରେ ଧାନ ସଂଗ୍ରହ ନକରି ଘରେ ଥାଇ ସଂଗ୍ରହ କରୁଛନ୍ତି। ସରକାର ଏସ୍‌ଏଚ୍‌ଜି ମହିଳାଙ୍କ କାନ୍ଧରେ ବନ୍ଧୁକ ରଖି ବଡ଼ ଧରଣର ଦୁର୍ନୀତିର ମସୁଧା କରୁଥିବା ଅଭ‌ିଯୋଗ ହେଉଛି। ବିଗତ ବର୍ଷରେ ଯେଉଁଭଳି ଭାବରେ କୁଚିଣ୍ଡାରେ ୩୯ କୋଟି ଟଙ୍କାର ଧାନ କିଣା ଦୁର୍ନୀତି ହୋଇଥିଲା, ଏହାକୁ ପୁନରାବୃତ୍ତି କରିବାକୁ ମସୁଧା କରାଯାଉଛି। ଚାଷୀମାନେ ପେକ୍ସରେ ଧାନ ବିକ୍ରି ପାଇଁ ପଂଜୀକରଣ କରିଥିଲେ। ମାତ୍ର ଅନେକ ପେକ୍ସ ଏହି ଚାଷୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଏସ୍‌ଏଚ୍‌ଜିଙ୍କୁ ପ୍ରଦାନ କରିଛନ୍ତି। ଚାଷୀଙ୍କ ବିନା ଅନୁମତିରେ ସେମାନଙ୍କୁ ଏସ୍‌ଏଚ୍‌ଜି ଜରିଆରେ ଧାନ ବିକ୍ରି ପାଇଁ ବାଧ୍ୟ କରାଗଲେ କେହି ଗ୍ରହଣ କରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ୬ ଦିନ ଧାନ ସଂଗ୍ରହ ହୋଇଥାଏ। ଏକମାତ୍ର ସମ୍ବଲପୁରରେ ସପ୍ତାହରେ ଗୋଟିଏ କି ଦୁଇ ଦିନ ସଂଗ୍ରହ କରାଯାଉଛି। ଏଥିସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ପ୍ରତିବର୍ଷ କୁଚିଣ୍ଡା ଏବଂ ରେଢାଖୋଲ ଉପଖଣ୍ଡରେ ଧାନ ବିକ୍ରିରେ ଅଚଳାବସ୍ଥା ସୃଷ୍ଟି ହୁଏ। ମିଲଗୁଡ଼ିକ ସମ୍ବଲପୁର ଉପଖଣ୍ଡରେ ଧାନ ସଂଗ୍ରହ କରି ନିଅନ୍ତି କିନ୍ତୁ ରେଢାଖୋଲ, କୁଚିଣ୍ଡାକୁ ଯାଆନ୍ତି ନାହିଁ। ଏଥିଯୋଗୁଁ ଖୋଲା ଆକାଶ ତଳେ ସେମାନଙ୍କ ଧାନ ପଡ଼ି ରହେ। ଚଳିତ ବର୍ଷ ରେଢାଖୋଲ ଏବଂ କୁଚିଣ୍ଡାରେ ଯେଉଁ ମିଲଗୁଡ଼ିକ ଧାନ ସଂଗ୍ରହ କରିବ ସେହି ସମ୍ବଲପୁରରେ ଧାନ ସଂଗ୍ରହ କରିବ। ଏହି ଦୁଇ ଉପଖଣ୍ଡରେ ଧାନ ସଂଗ୍ରହର ଅଚଳାବସ୍ଥାକୁ ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର