ମାଣ୍ତୁକା ପାହାଡ଼ରେ ବେଆଇନ ଖନନକୁ ବିରୋଧ

ଚଣ୍ତିଖୋଲ : ମାଣ୍ତୁକା ପାହାଡ଼ରେ ଲିଜ୍‌ ବାହାର ଜାଗାରୁ ବେଆଇନ ଖନନକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଲିଜ୍‌ ଜାଗାକୁ ଛାଡ଼ି ଗ୍ରାମବାସୀ ବ୍ୟବହାର କରୁଥିବା ସ୍ଥାନରେ ଆଜି ଲିଜ୍‌ଧାରୀ ଏକ ଜେସିବି ସହାୟତାରେ ଖନନ ଆରମ୍ଭ କରିଥିଲେ। ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ମିଳିତ ହୋଇ ଏହି ସ୍ଥାନରେ ଖନନ ହୋଇପାରିବ ନାହିଁ ବୋଲି ଜିଦ୍‌ ଧରିଥିଲେ। ଏହାଦ୍ବାରା ଜଙ୍ଗଲ ନଷ୍ଟ ହେବା ସହ ଗୃହପାଳିତ ପଶୁ ପ୍ରଭାବିତ ହେବେ। ତେଣୁ ଖୋଳାଇ ଦେବେ ନାହିଁ ବୋଲି କହିଥିଲେ।

ଖବର ପାଇ ତହସିଲ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। କେଉଁ ସ୍ଥାନରେ ଲିଜ୍ ଦିଆଯାଇଛି ବୋଲି ଗ୍ରାମବାସୀ ରାଜସ୍ବ କର୍ମଚାରୀଙ୍କୁ ପ୍ରଶ୍ନ କରିବା ସହ ଜାଗା ଚିହ୍ନଟ କରିବାକୁ ଦାବି କରିଥିଲେ। ରାଜସ୍ବ କର୍ମଚାରୀ ମାନେ ଲିଜ୍ ସ୍ଥାନ ଚିହ୍ନଟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସେମାନଙ୍କ ଆଗରେ ଜାଗା ଚିହ୍ନଟ କରିବାକୁ ଗ୍ରାମବାସୀ ଜିଦ୍‌ ଧରିଥିଲେ। ଆସନ୍ତା ସୋମବାର ତହସିଲ ପକ୍ଷରୁ ଜାଗା ନିରୂପଣ କରାଯିବ ବୋଲି କହିବା ପରେ ପରିସ୍ଥିତି ସ୍ବାଭାବିକ‌ ହୋଇଥିଲା। ଅବଶ୍ୟ ପ୍ରତିବାଦ ପରେ ଲିଜ୍‌ଧାରୀ ସେଠାରୁ ମେସିନ ହଟାଇ ନେଇଛନ୍ତି। ଅପରପକ୍ଷରେ ଲିଜଧାରି ଏହି ସ୍ଥାନରେ ରାସ୍ତା ନିର୍ମାଣ କରାଯାଉଥିବା ସଫେଇ ଦେଇଛନ୍ତି।

ଲିଜ୍‌ ଦେବା ସମୟରେ ସର୍ତ୍ତ ମୁତାବକ ଜାଗାର ଚୌହଦୀରେ ସବୁ ସିମେଣ୍ଟ ଖୁଣ୍ଟ ପୋତାଯାଇ ସୀମା ନିର୍ଦ୍ଧାରଣ କରାଯିବା ସହ ସେହି ସ୍ଥାନରେ ଏକ ଫଳକ ଲଗାଯିବା ପରେ ଖନନ ପାଇଁ ଅନୁମତି ଦିଆଯିବା କଥା। ମାତ୍ର ତହସିଲ କର୍ତ୍ତୃପକ୍ଷ ଏସବୁକୁ ଅଣଦେଖା କରି କିପରି ଖନନ ଅନୁମତି ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ ଦର୍ପଣ ତହସିଲ ତରଫରୁ ମାଣ୍ତୁକା ପାହାଡ଼ର ଖାତା ନଂ ୧୩୪୯ ପ୍ଲଟ୍ ନଂ ୩୬୧୧ ରେ ପର୍ବତ କିସମ ଜମିରୁ ୧୨ ଏକର ସ୍ଥାନକୁ ଲିଜ୍‌ ଦିଆଯାଇଛି। ହର ପ୍ରସାଦ ସେନାପତି ପା‌ଞ୍ଚବର୍ଷ ପାଇଁ ଏହି ଖାଦାନ ଲିଜ୍ ନେଇଛନ୍ତି।

ସମ୍ବନ୍ଧିତ ଖବର