ବେଆଇନ ମାଟି ଚାଲାଣକୁ ବିରୋଧ: ଜେସିବି, ଟ୍ରାକ୍ଟର ଅଟକ ରଖିଲେ ଗ୍ରାମବାସୀ

ଦଶରଥପୁର : ଦଶରଥପୁର ବ୍ଲକ୍‌ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଟି ଚୋରା ଚାଲାଣ ବୃଦ୍ଧି ପାଇବା ଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନରାତି ଅହରହ ସରକାରୀ ଓ ଗୋଚର ଜମିରୁ ମାଫିଆମାନେ ମାଟି ଲୁଟ୍ କରୁଥିବା ବେଳେ ଗ୍ରାମ ରାସ୍ତା ଓ ମୁଖ୍ୟରାସ୍ତା ଗୁଡ଼ିକ ନଷ୍ଟ ହୋଇଗଲାଣି। ଅନ୍ୟପକ୍ଷରେ ଏହି ବେଆଇନ କାରବାର ଯୋଗୁଁ ସରକାର ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି। ଏହାକୁ ନେଇ ଆଜି ଦଶରଥପୁର ବ୍ଲକ୍‌ ଥାଲକୁଡ଼ି ପଞ୍ଚାୟତ କସବା ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି।

ଏହି ପଞ୍ଚାୟତରେ ମେଘା ଯୋଜନାରେ ନିର୍ମାଣାଧୀନ ପାଣିଟାଙ୍କି ପରିସରରୁ ଗତ ରାତିରେ ବେଆଇନ ଭାବେ ଶତାଧିକ ଟ୍ରିପ୍ ବାଲିମିଶା ମାଟି ଲୁଟ୍ କରାଯାଇ ବିକ୍ରି କରାଯାଉଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ଏଠାରୁ ଏକ ଜେସିବି ମେସିନ ଓ ୪ ଟି ଟ୍ରାକ୍ଟରକୁ ଅଟକ ରଖିଥିଲେ। ଏସଂପର୍କରେ ଗ୍ରାମବାସୀଙ୍କ ତରଫରୁ ଦଶରଥପୁର ତହସିଲଦାର ଓ ମଙ୍ଗଳପୁର ପୁଲିସକୁ ଅବଗତ କରାଯାଇଥିଲା। ହେଲେ ଦିନ ୧୧ଟା ଯାଏ କୌଣସି ସରକାରୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ଶେଷରେ ଗ୍ରାମବାସୀଙ୍କ ସହିତ ଆପୋସ ବୁଝାମଣା କରି ଉକ୍ତ ଜେସିବି ଓ ଟ୍ରାକ୍ଟରକୁ ମାଲିକମାନେ ମୁକୁଳାଇଥିଲେ।

ସମ୍ବନ୍ଧିତ ଖବର