ବ୍ୟାସନଗର: ବ୍ୟାସନଗର ତହସିଲ୍ କାର୍ଯ୍ୟାଳୟ ପରିସରରେ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ଚଟାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ଆଇନଜୀବୀମାନେ ବିରୋଧ କରିଛନ୍ତି। ନିୟମ ଅନୁସାରେ ପ୍ରଥମେ ରାସ୍ତା ସମତୁଲ କରି ଉଭୟ ପାର୍ଶ୍ବରେ ଗାର୍ଡ ୱାଲ ନିର୍ମାଣ କରାଯିବ। ପରେ ବାଲି ପକାଇ କଂକ୍ରିଟ କରି ପୁଣି କିଛି ବାଲି ପକାଇ ସମତୁଲ କରାଯାଇ ପେଭର୍ସ ବ୍ଲକ ବିଛାଇବା କଥା। ଠିକାଦାର ସେପରି ନକରି କେବଳ ରାସ୍ତାରେ ବାଲି ପକାଇ ପେଭର୍ସ ବିଛାଉଥିଲେ। ବାଇକଟିଏ ଚାଲିଯିବା ମାତ୍ରେ ତାହା ଦବିଯାଉଥିବାରୁ ଆଇନଜୀବୀ ମନୀନ୍ଦ୍ର ଧଳ, ନବ କିଶୋର ସାହୁ, ବିନୋଦ ବିହାରୀ ବଳ, ଅରୁଣ ବୋଇତାଇ, ମିର୍ଜା ଅଲ୍ଲୀ ବେଗ, ମହେନ୍ଦ୍ର ସାହୁ, ଉମେଶ ଦାଶ, ରବୀନ୍ଦ୍ର କୁମାର ରାଉତ, ବେଣୁଧର ଖଣ୍ଡାଇ କାର୍ଯ୍ୟକୁ ବନ୍ଦ କରିବା ସହ ଦୃଢ଼ ବିରୋଧ କରିଥିଲେ।
ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ବିକ୍ରମ କୁମାର ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କାର୍ଯ୍ୟସ୍ଥଳରେ ପହଞ୍ଚି କାର୍ଯ୍ୟର ମାନ ଦେଖିବା ସହିତ ଯନ୍ତ୍ରୀ ନୀଳମାଧବ ନନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯନ୍ତ୍ରୀ ପହଞ୍ଚି କାର୍ଯ୍ୟବନ୍ଦ କରିବା ପାଇଁ ଠିକାଦାରଙ୍କୁ ନିର୍ଦେଶ ଦେଇଥିଲେ। ପୂର୍ବରୁ ହୋଇଥିବା ଏଷ୍ଟିମେଟ ପରିବର୍ତ୍ତନ କରି ନୂତନ ବ୍ୟୟ ଅଟକଳ କରାଯାଇଛି। କାର୍ଯ୍ୟାଳୟ ପରିସରରେ ପେଭର୍ସ ବ୍ଲକ ପଡ଼ିବା ସହିତ ପିଣ୍ଡି ନିର୍ମାଣ, ଡ୍ରେନ ମରାମତି କରାଯାଇ ସ୍ଲାବ ପକାଯିବ। ପୂର୍ବରୁ ଥିବା ପିଣ୍ଡି ମରାମତି କରାଯିବ। ଲୋକମାନେ ବସିବା ପାଇଁ ସିମେଣ୍ଟ ଚୌକି ପଡ଼ିବ ବୋଲି ଯନ୍ତ୍ରୀ ନୀଳମାଧବ ନନ୍ଦ ସୂଚନା ଦେଇଛନ୍ତି।