ଯାଜପୁର/ଦାନଗଦୀ/ବ୍ୟାସନଗର,୨୩/୯ ):ଶିଳ୍ପାୟନ ପାଇଁ ଯଖପୁରାରେ ପୁଣି ଆରମ୍ଭ ହୋଇଛି ଜମି ଅଧିଗ୍ରହଣ। ଉପଯୁକ୍ତ କ୍ଷତିପୂରଣ ନଦେଇ ସରକାର ଭୂମିହୀନଙ୍କୁ ଦେଇଥିବା ଜମିକୁ ଛଡ଼ାଇ ନେବାକୁ ନୋଟିସ ହୋଇଛି। ଏହାର ପ୍ରତିବାଦରେ ଆଜି ଯଖପୁରା ମୌଜାର ୨୨ ପରିବାର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଥଇଥାନ ଓ କ୍ଷତିପୂରଣ ଦେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ୪୦ ବର୍ଷ ତଳେ ସରକାର ୨୨ ପରିବାରକୁ ଯଖପୁରା ମୌଜାରେ ୧୧୫ ଏକର ଜମି ପ୍ରଦାନ କରିଥିଲେ। ଏଥିସହ କୃଷି ଉପକରଣ ନିମନ୍ତେ ୧୨୫୦ ଟଙ୍କାଲେଖାଏଁ ସେମାନଙ୍କୁ ପ୍ରଦାନ କରାଯାଇଥିଲା। ଏବେ ସେହି ଜମିରେ କାରଖାନା ସ୍ଥାପନ ନିମନ୍ତେ ଅଧିଗ୍ରହଣ କରିବାକୁ ଲୋକମାନଙ୍କୁ ନୋଟିସ କରାଯାଇଛି।

Advertisment

ଏହାକୁ ବିରୋଧ କରି ସାମାଜିକ କର୍ମୀ ବିଶ୍ଵନାଥ ପାତ୍ରଙ୍କ ନେତୃତ୍ଵରେ ଯଖପୁରା ଗ୍ରାମ ଦଳିତ ସାହିର ଲୋକମାନେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସରକାର ଦେଇଥିବା ଜମିର ପଟ୍ଟା ପାଇଁ ୧୯୯୫ରୁ ସେମାନେ ଦାବି କରି ଆସୁଛନ୍ତି। ପଟ୍ଟା ପ୍ରଦାନ କରିବା ପରିବର୍ତ୍ତେ ଜମି ଅଧିଗ୍ରହଣ ପାଇଁ ନୋଟିସ ଦିଆଯାଇଛି। ଉପଯୁକ୍ତ ସହାୟତା ସହ ଥଇଥାନ କରାନଗଲେ ଆନ୍ଦୋଳନ ଜାରି ରହିବ ବୋଲି କାଳନ୍ଦୀ ମଲିକ, ପ୍ରମୋଦ ମଲିକ, ବିଦ୍ୟାଧର ମଲିକ, ବିଭୀଷଣ ମଲିକ, ଦମେଇ ମଲିକ, ଗଣେଶ ମଲିକ, ଶିବା ନନ୍ଦ ମଲିକ, ନୃସିଂହ ମଲିକ, ମାଧବ ମଲିକ, ନକୁଳ ମଲିକ, ଅଜୟ ମଲିକ, ବସନ୍ତ ମଲିକ, ମୂଷୀ ମଲିକ, ଭରତ ମଲିକ, ଶତ୍ରୁଘ୍ନ ମଲିକ, ଅକ୍ଷୟ ମଲିକ ଚେତାବନୀ ଦେଇଛନ୍ତି। ଉପଯୁକ୍ତ କ୍ଷତିପୂରଣ ସହିତ ଥଇଥାନ କରାଯିବ ବୋଲି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।