ଜାଲ୍ କାଗଜପତ୍ରରେ ଜମି ଅଧିଗ୍ରହଣକୁ ବିରୋଧ

ଜୀବନ ଦେବୁ, ଜମି ଦେବୁ ନାହିଁ, ଗ୍ରାମସଭାରେ ପ୍ରସ୍ତାବ ଖାରଜ ପରେ ବି ୧୧ (୧) ଅଧିସୂଚନା

ସୁନ୍ଦରଗଡ଼: ‘ମୁଁ ଜଣେ ଆଦିବାସୀ, ଜମି ମୋତେ ଉତ୍ତରାଧିକାରୀ ସୂତ୍ରରେ ମିଳିଛି। ମୋର ଓ ଭବିଷ୍ୟତ ବଂଶଜ ପାଇଁ ଏହା ଜୀବିକାର ଏକମାତ୍ର ଚିରନ୍ତନ ସ୍ରୋତ ଅଟେ। ଜମି ହିଁ ମୋ ଭାଷା, କଳା, ସଂସ୍କୃତି, ପରମ୍ପରା ଓ ଧର୍ମ ବିଶ୍ବାସର ଉତ୍ପତ୍ତିସ୍ଥଳୀ। ଜମି ବଦଳରେ ଖଣ୍ଡିଏ ଚାକିରି ଓ କିଛି ଟଙ୍କା ଠାରୁ ଏହା ବହୁ ମୂଲ୍ୟବାନ। ତେଣୁ ଜୀବନ ପଛେ ଯାଉ, ମୁଁ ଓସିଏଲ (ଡିସିବିଏଲ) କମ୍ପାନିକୁ ଇଞ୍ଚେ ବି ଜମି ଦେବି ନାହିଁ’। ମୁହଁରେ ଏହି ଦୃଢ଼ୋକ୍ତି ନେଇ ରାଜଗାଙ୍ଗପୁର ଓସିଏଲ ଲାଞ୍ଜିବେର୍ଣ୍ଣା ଖଣି ପାଇଁ ହେବାକୁ ଥିବା ଜମି ଅଧିଗ୍ରହଣ ବିରୋଧରେ  କୁକୁଡ଼ା, ରାଇବେର୍ଣ୍ଣା, ଝଗରପୁର ଗାଁ ଲୋକେ ମଙ୍ଗଳବାର ଜିଲ୍ଲାପାଳଙ୍କ ଅଫିସ ଆଗରେ ନିରବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରତିଟି ଆଦିବାସୀଙ୍କ ମୁହଁରେ ଥିଲା ଗୋଟିଏ ଉଚ୍ଚାରଣ, ‘ଜୀବନ ଦେବୁ ଜମି ଦେବୁ ନାହିଁ’।

ଏହା ପୂର୍ବରୁ କେଶରାମାଲ, ଲହଣ୍ଡା, ଅଲଣ୍ଡାର ଆଦିବାସୀ ଜିଲ୍ଲାପାଳଙ୍କୁ ଭେଟି ପ୍ରତିବାଦ ଜଣାଇଥିଲେ। ସେମାନଙ୍କ ଅଭିଯୋଗ ଥିଲା, କେଶରାମାଲ, ଅଲଣ୍ଡା, କୁକୁଡ଼ା ଓ ଝଗରପୁର ପଞ୍ଚାୟତର  ଗ୍ରାମସଭା ଜମି ଅଧିଗ୍ରହଣ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିବା ସତ୍ତ୍ବେ ପ୍ରଶାସନକୁ ହାତ କରି ଜାଲ ସମ୍ମତିପତ୍ର ବଳରେ ଓସିଏଲ ଜମି ଅଧିଗ୍ରହଣ ପାଇଁ ଆଗେଇ ଆସିଛି। ଲାଞ୍ଜିବେର୍ଣ୍ଣା ଚୂନପଥର ଖଣି ପାଇଁ କୁକୁଡ଼ା ପଞ୍ଚାୟତର କୁକୁଡ଼ା ମୌଜାରେ ପ୍ରଥମ ପର୍ଯ୍ୟାୟରେ ୨୭୩.୫୭ ଏକର, ଦ୍ବିତୀୟ ପର୍ଯ୍ୟାୟରେ  ୧୬୨.୯୬ ଏକର ଓ  ବିହାବନ୍ଧରେ ପ୍ରଥମ ପର୍ଯ୍ୟାୟରେ ୯.୨୨ ଏକର, ଦ୍ବିତୀୟ ପର୍ଯ୍ୟାୟରେ ୨୯.୭୯ ଏକର, ଅଲଣ୍ଡା ୧୬୪.୮୨ ଏକର, କେଶରାମାଲରେ ୨୯୩.୨୫ ଏକର, ରାଏବେର୍ଣ୍ଣା ମୌଜାରେ ୫୭.୮୦ ଏକର,  ଝଗରପୁରରେ ୮.୪୮ ଏକର, ଖଟଙ୍ଗରେ ୨୭.୫୧ ଏକର  ରୟତି ଜମି ସହ  ନଦୀ ତଟ, ଗୋଚର, ଅନାବାଦି,  ଦେବାସ୍ଥଳୀ, ମଶାଣି ପରି ୧୫୦ ଏକର ସରକାରୀ ଜମି  ଅଧିଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି।

ଏହିକ୍ରମରେ ଖଣି ପାଇଁ ଗତ ୨୦୨୦ ଜାନୁଆରି ୨୬ରେ ଖଟଙ୍ଗ, କୁକୁଡ଼ା ପଞ୍ଚାୟତର କୁକୁଡ଼ା, ବିହାବନ୍ଧ, କେଶରାମାଲର ରାଏବେର୍ଣ୍ଣା ଓ କେଶରାମାଲ,  ସମେତ ଅନ୍ୟ ପଞ୍ଚାହୟତଗୁଡ଼ିକରେ ଆହୁତ ଗ୍ରାମସଭାରେ  ଜମି ଅଧିଗ୍ରହଣ ପ୍ରସ୍ତାବକୁ ଖାରଜ କରି ଦିଆଯାଇଥିଲା।  କିନ୍ତୁ ଏହା ସତ୍ତ୍ବେ ଗତ ୨୧.୧୨.୨୦୨୧ ୪ଟି ଗ୍ରାମପଞ୍ଚାୟତ ଓ ୫ଟି ରାଜସ୍ବ ଗ୍ରାମ କୁକୁଡ଼ା, ଅଲଣ୍ଡା, କେଶରାମାଲ ଓ ରାଏବେର୍ଣ୍ଣା, ଝଗରପୁରକୁ ଜମି ଅଧିଗ୍ରହଣ ଆଇନ-୨୦୧୩ର ୧୧ (୧)ରେ ପ୍ରଶାସନ ଅଧିସୂଚନା ଜାରି କରିଛି।   ୬୦ ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ଆପତ୍ତି, ଅଭିଯୋଗ କରିବାକୁ ଏଥିରେ ସୂଚୀତ କରାଯାଇଛି। କିନ୍ତୁ ପଞ୍ଚମ ଅନୁସୂଚୀ ଓ ଜମି ଅଧିଗ୍ରହଣ ଆଇନ ଅନୁସାରେ, ୧୧ (୧)ରେ ଅଧିସୂଚନା ଜାରି କରିବା ପୂର୍ବରୁ ଗ୍ରାମପଞ୍ଚାୟତ ଫର୍ମ ଏମ୍ରେ ସହମତି ବା ଏନଓସି ଆବଶ୍ୟକ। କିନ୍ତୁ ଏଠାରେ ପଞ୍ଚାୟତ ଫର୍ମ ଏମ୍ରେ ସମ୍ମତି ନିଆଯାଇ ନଥିବା ବେଳେ ଗ୍ରାମସଭା ମଧ୍ୟ ଏହି ପ୍ରସ୍ତାବକୁ ପୂର୍ଣ୍ଣମତରେ ଖାରଜ କରି ଦେଇଥିବା ଆନ୍ଦୋଳନକାରୀ ପ୍ରକାଶ କରିଥିଲେ। ତେଣୁ ଜମି ଅଧିଗ୍ରହଣରୁ ପ୍ରଶାସନ ଓ ଓସିଏଲ ନିବୃତ୍ତ ରହିବାକୁ ସେମାନେ ଅନୁରୋଧ କରିଥିଲେ। ଅନ୍ୟଥା ବଡ଼ ଧରଣରର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର