ଢିଙ୍କିଆରେ ମେଧା ପାଟେକର୍‌ଙ୍କୁ ବିରୋଧ

ସମାଗୋଳ ସବ୍-ଜେଲ୍‌ରେ ଦେବେନ୍ଦ୍ର ସ୍ବାଇଁଙ୍କୁ ଭେଟିଲେ
‘ଦେଢ ଲକ୍ଷ ଗଛ କାଟି ସରକାର ପରିବେଶ ବିଗାଡ଼ିଛନ୍ତି’

ଜଗତସିଂହପୁର/କୁଜଙ୍ଗ : ଜଗତ୍‌ସିଂହପୁରର ଢିଙ୍କିଆ ଅଞ୍ଚଳରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ସମାଜସେବୀ ତଥା ନର୍ମଦା ବଂଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟେକର। ଗ୍ରାମବାସୀମାନେ ଶ୍ରୀମତୀ ପାଟେକରଙ୍କ ସହ ଆସିଥିବା ଅନ୍ୟ ନେତାମାନଙ୍କୁ ଗାଁରେ ପ୍ରବେଶ କରାଇ ଦେଇନାହାନ୍ତି। ଫଳରେ ଏହି ଟିମ୍ ଅଧା ରାସ୍ତାରୁ ଭୁବନେଶ୍ବରକୁ ଫେରିଯାଇଛନ୍ତି। ତେବେ, କୁଜଙ୍ଗସ୍ଥିତ ସମାଗୋଳ ଉପକାରାଗାରରେ ଥିବା ଜେଏସ୍‌ଡବ୍ଲୁ ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁଙ୍କୁ ସାକ୍ଷାତ କରିଛନ୍ତି। ଦେବେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ଢିଙ୍କିଆକୁ ଯିବାବେଳେ ହିଁ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିଥିଲେ।

ଶ୍ରୀମତୀ ପାଟେକର୍‌ଙ୍କ ସହିତ ସମାଜବାଦୀ ପାର୍ଟିର ଓଡ଼ିଶା ଶାଖା ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଚାଷୀ ନେତା ଲିଙ୍ଗରାଜ, ପ୍ରଫେସର ମନୋରଞ୍ଜନ ମହାନ୍ତି ପ୍ରମୁଖ ଜେଲ୍ ଭିତରେ ଦେବେନ୍ଦ୍ରଙ୍କୁ ଭେଟି ସେଠାରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ପରେ ସେ କହିଥିଲେ ଯେ, ପୋସ୍କୋ ପ୍ରକଳ୍ପ ହୋଇପାରିଲା ନାହିଁ। ମାତ୍ର, ରାଜ୍ୟ ସରକାର ସେଠାରୁ ପ୍ରାୟ ଦେଢ଼ ଲକ୍ଷ ଗଛ କାଟିଦେଲେ। ଫଳରେ ଏବେ ସେଠାକାର ପରିବେଶ ସମ୍ପୂର୍ଣ୍ଣ ଭାବେ ସନ୍ତୁଳନ ହରାଇ ବସିଛି। ଅନେକ ଲଢେଇ, ରକ୍ତପାତ ଓ ସଂଘର୍ଷ ପରେ ପୋସ୍କୋ ପ୍ରକଳ୍ପ ଫେରିଗଲା। ସେତେବେଳେ ଗ୍ରାମବାସୀ ଯେମିତି ପୋସ୍କୋ ପ୍ରକଳ୍ପକୁ ବିରୋଧ କରୁଥିଲେ ଏବେ ଜେଏସଡବ୍ଲ୍ୟୁକୁ ବିରୋଧ କରୁଛନ୍ତି।

ଆନ୍ଦୋଳନର ନେତୃତ୍ବ ନେଉଥିବା ଦେବେନ୍ଦ୍ରଙ୍କ ନାଁରେ ଏକାଧିକ ମିଛ ମାମଲା ରୁଜୁ କରି ତାଙ୍କୁ ଜେଲ୍‌ ମଧ୍ୟରେ ଅଟକ ରଖାଯାଇଛି। ରାଜ୍ୟ ସରକାର ତଥା ସ୍ଥାନୀୟ ପ୍ରଶାସନ ଜାଣିଶୁଣି ଲୋକମାନଙ୍କର ସ୍ବରକୁ ଦବାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀମତୀ ପାଟେକର୍‌ ଅଭିଯୋଗ କରିଥିଲେ।

ଜେଲ୍‌ରୁ ଶ୍ରୀମତୀ ପାଟେକର୍ ତାଙ୍କର ସହଯୋଗୀଙ୍କ ସହିତ ଢିଙ୍କିଆ ଅଭିମୁଖେ ବାହାରିଥିଲେ। ମାତ୍ର ଗାଁର ମୁଖ୍ୟ ପ୍ରବେଶ ପଥରେ ଜଗି ରହିଥିବା ଶତାଧିକ ଗ୍ରାମବାସୀ ସେମାନଙ୍କୁ ଗାଁ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ। ‘ ମେଧା ପାଟକର ଗୋ ବ୍ୟାକ୍’ ନାରାଦେଇ ସେମାନଙ୍କୁ ଅଟକାଇ ଥିଲେ। ଶ୍ରୀମତା ପାଟେକରଙ୍କ ସହ ଆସିଥିବା ଅନ୍ୟ ତିନି ଜଣ ଢିଙ୍କିଆ ଗ୍ରାମବାସୀଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ସେହି ସମୟରେ ସେଠାରେ ଗାଁର ଜଣେ ମୁରବିଙ୍କ ସହ ଅନ୍ୟ କିଛି ଯୁବକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଠେଲାପେଲା କରିଥିଲେ।

ଉଲ୍ଲେଖଯୋଗ୍ୟ, ଗ୍ରାମବାସୀମା‌ନେ କାହାରିକୁ ଢିଙ୍କିଆ ଭିତରକୁ ଛାଡ଼ୁନାହାନ୍ତି। ଗତମାସରେ ଢିଙ୍କିଆକୁ ଯିବାକୁ ଉଦ୍ୟମ କରିଥିବା ୧୩ରୁ ଅଧିକ ବିଭିନ୍ନ ରାଜନୈତିକ ଦଳ ନେତାଙ୍କୁ ଗ୍ରାମବାସୀ ଗାଁ ଭିତରକୁ ନ ଛାଡ଼ି ଫେରାଇ ଦେଇଥିଲେ । ଗାଁର ମୁରବି ନିର୍ଭୟ କୁମାର ସାମନ୍ତରାୟ, ଦେବଦତ୍ତ ସ୍ବାଇଁ, ଶରତ ସ୍ବାଇଁ, ଅକ୍ଷୟ ବେହେରା, ଅକ୍ଷୟ ଦାସ, ନୃସିଂହ ରାଉତ, ନିତ୍ୟାନନ୍ଦ ସ୍ବାଇଁ, ବିବେକ ସ୍ବାଇଁ, ଯୋଗୀ ମଲିକ, ଶିଶିର ମହାପାତ୍ର, ମଙ୍ଗୁଳୀ କାଣ୍ତି, ଗନ୍ଧର୍ବ ଦାସ, ସବେର୍ଶ୍ବର ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ଗ୍ରାମବାସୀ ଏହି ବିରୋଧ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର