ଯୋରାବଗାରେ ଖଣି ସଂପ୍ରସାରଣକୁ ତୀବ୍ର ବିରୋଧ

ଉପଯୁକ୍ତ ଥଇଥାନର ଲିଖିତ ପ୍ରତିଶ୍ରୁତି ପରେ ପରିସ୍ଥିତି ସ୍ୱାଭାବିକ

ଇବ୍‌ଥର୍ମାଲ : ଝାରସୁଗୁଡ଼ା ଜିଲ୍ଲା ଯୋରାବଗାରେ ଖଣି ସଂପ୍ରସାରଣକୁ ସ୍ଥାନୀୟ ଅଧିବାସୀ ତୀବ୍ର ବିରୋଧ କରିଛନ୍ତି। ଏହାକୁ ନେଇ ଏଠାରେ ଉତ୍ତେଜନା ଦେଖାଦେଇଛି। ଦାବି ପୂରଣ ନହେବା ଯାଏ ଖଣି ଖନନ କରିଦିଆଯିବ ନାହିଁ। ଯଦି ପୁଲିସ ଲଗାଇ ଜୋରଜବରଦସ୍ତ କାମ କରାଯାଏ ତାହେଲେ ପରିଣାମ ଯାହା ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି। ଆହୁରି ମଧ୍ୟ ଏମ୍‌ସିଏଲ୍ ଉପରେ ବିଶ୍ବାସ ତୁଟି ଯାଇଛି। ବିସ୍ଥାପନ କରି ସମସ୍ତ କ୍ଷତିପୂରଣ ସହ ପୁନର୍ବାସ ସ୍ଥାନକୁ ସ୍ଥାନାନ୍ତର ନକରିବା ଯାଏ ଖଣି ଖନନ କିମ୍ବା ଖଣି ସଂପ୍ରସାରଣ କାମକୁ କରେଇ ଦେବୁନାହିଁ ବୋଲି ଗ୍ରାମବାସୀ ରୋକଠୋକ୍ ଶୁଣାଇଛନ୍ତି।

ଶନିବାର ସକାଳେ ଯୋରାବଗା ନିକଟରେ ଅଧିଗ୍ରହଣ କରାଯାଇଥିବା ୧୧୦ ଏକର ଜମି ଉପରେ ଖଣି ଖନନ ସକାଶେ ପୁଲିସ ଫୋର୍ସ ସହ ଝାରସୁଗୁଡ଼ା ଉପଜିଲ୍ଲାପାଳ ଶିବ ଟପ୍ପୋ, ଲଖନପୁର ତହସିଲଦାର ବିଶ୍ବକେଶନ ପାଣ୍ଡେ, ବ୍ରଜରାଜନଗର ଏସ୍‌ଡିପିଓ ଦିଲ୍ଲୀପ ଦାଶ, ବନହରପାଲି ଆଇଆଇସି ରଶ୍ମିତା ବେହେରା, ବେଲପାହାଡ଼ ଆଇଆଇସି ରଞ୍ଜନ ବିଶ୍ବାଳ, ଲଖନପୁର ଆଇଆଇସି ଦୁଃଖେନ୍ଦ୍ର ସାହୁ, ଲଖନପୁର କୋଇଲା କ୍ଷେତ୍ର ମହାପ୍ରବନ୍ଧକ ଏ. କେ. ସିଂହ, ବିଓ ସିଏମ୍‌ ପିଓ ସତ୍ୟଭୂଷଣ ବାରିକ ଓ ଅନ୍ୟାନ୍ୟ ଅଧିକାରୀ, ଠିକା କଂପାନି ଏସ୍‌ଆଇପିଏଲ୍ ସହ ଡୋଜର ଜେସିବି ଆଦି ନେଇ ପହଞ୍ଚି ଥିଲେ। ଖଣି ଖନନ ସକାଶେ ପୁଲିସ ଫୋର୍ସ, ପ୍ରଶାସନିକ ଅଧିକାରୀ ପହଞ୍ଚିଥିବା ଜାଣିବା ପରେ ଗ୍ରାମର ଶତାଧିକ ପୁରୁଷ, ମହିଳା ଓ ଯୁବଗୋଷ୍ଠୀ ଘଟଣାସ୍ଥଳକୁ ଆସି ପ୍ରବଳ ବିରୋଧ କରିଥିଲେ।

ଗ୍ରାମବାସୀଙ୍କ ଦାବି ହେଲା ଗାଁକୁ ଲାଗି କେବଳ ୧୧୦ ଏକର ଜମିରେ ଖଣି ଖନନ ହେଲେ ଆମେ ଗ୍ରାମବାସୀ ରହିବା ବଞ୍ଚିବା ଆମପାଇଁ ଅଭିଶାପ ଭଳି ହେବ। ପ୍ରଦୂଷଣ ସମେତ ବ୍ଲାଷ୍ଟିଂ ତଥା ସମସ୍ୟା ଲାଗି ରହିବ। ତେଣୁ ସମଗ୍ର ଗ୍ରାମକୁ ମଧ୍ୟ ଅଧିଗ୍ରହଣ କରାଯାଉ। ଲୋକଙ୍କୁ କ୍ଷତିପୂରଣ, ଚାକିରି ଦେବା ସହ ସୁଖବାସୀ (ଜମିହୀନ) ପ୍ରଜାର ମଧ୍ୟ କ୍ଷତିପୂରଣ ଦେଇ ସମସ୍ତଙ୍କୁ ପୁନର୍ବାସ ଓ ଥଇଥାନ କରାଯାଉ। ତା’ପରେ ଖଣି ଖନନ କରାଯାଉ। ବିରୋଧକୁ ଦେଖି ଗ୍ରାମବାସୀଙ୍କ ସହ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ, ଏମ୍‌ସିଏଲ ଅଧିକାରୀ ଆଲୋଚନା କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ଟପ୍ପୋ କହିଥିଲେ ଯେ ଯୋରାବଗା ଗ୍ରାମର ସମସ୍ୟା ଜିଲ୍ଲାପାଳ ଜାଣିଛନ୍ତି, ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସମସ୍ତ ସମସ୍ୟାର ସମାଧାନ କରିବାକୁ ବି ନିର୍ଦେଶ ଦେଇଛନ୍ତି। ତେଣୁ ଆପଣମାନେ ଆପଣଙ୍କ ହକରୁ ବଞ୍ଚିତ ହେବେ ନାହିଁ ଏଣୁ ସହଯୋଗ କରନ୍ତୁ ବୋଲି କହିଥିଲେ। ହେଲେ ଗ୍ରାମବାସୀ ଏମ୍‌ସିଏଲ୍ ସବୁଠି ଏପରି କରୁଛି ତେଣୁ ବିଶ୍ବାସ ନାହିଁ । ଯଦି ସେପରି ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ତା’ ହେଲେ ଏଠାରେ ଆମକୁ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ। ଆଗରୁ ଗ୍ରାମର କିଛି ଲୋକଙ୍କ ବିରୋଧରେ ୧୦୭ ଦଫା ଲଗେଇଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପରେ ଅପରାହ୍‌ଣ ୪ଟାରେ ଲଖନପୁର କୋଇଲାକ୍ଷେତ୍ର ମହାପ୍ରବନ୍ଧକ ଏ. କେ. ସିଂହ, ଉପଜିଲ୍ଲାପାଳ ଶ୍ରୀ ଟପ୍ପୋ ଓ ଏସଡିପିଓ ଶ୍ରୀ ଦାଶଙ୍କ ଦସ୍ତଖତ ଥିବା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତ ୧୦ ତାରିଖରେ ଅନୁଷ୍ଠିତ ବୈଠକର ସୂଚନା ସହ ପ୍ରତିଶ୍ରୁତି ପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ଡେଟ୍‌ଲାଇନ ଉପରେ ଆର୍‌ ଏଣ୍ଡ ଆର୍ ପଲିସି କାମ ଏମ୍‌ସିଏଲ୍ କର୍ତ୍ତୃପକ୍ଷ କରିବେ ବୋଲି ପ୍ରତିଶ୍ରୁତି ପାଇବା ପରେ ଖଣି ଖନନ କାମ ସନ୍ଧ୍ୟା ୫ ଟା ବେଳେ ଆରମ୍ଭ ହୋଇଥିବା ଉପଜିଲ୍ଲାପାଳ ଶ୍ରୀ ଟପ୍ପୋ କହିଛନ୍ତି। ଆଜି ଆଲୋଚନା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ପିଣ୍ଟୁ ସାହୁ, ସମିର ମିଶ୍ର, ଦୁଃଖବନ୍ଧୁ ପାନ, ଅନନ୍ତ ବିଶ୍ବାଳ, ପଦ୍ମିନୀ ମହାରଣା, ତୁଳସୀ ମହାରଣା, ଟିକେଶ୍ବରୀ ସାହୁ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର