ବରଗଡ଼: ବିଜେପୁର ବ୍ଲକ୍‌ ସମଲେଇପଦର ପଞ୍ଚାୟତ ଅନ୍ତର୍ଗତ ମନୋହରପାଲି ଗାଁରେ ନିର୍ମାଣାଧିନ ଘରୋଇ ଇଥାନଲ୍‌ ପ୍ଲାଣ୍ଟକୁ ତୀବ୍ର ବିରୋଧ ହୋଇଛି। ଗ୍ରାମବାସୀଙ୍କ ସଂପୂର୍ଣ୍ଣ ଅସହମତି ସତ୍ବେ ପ୍ଲାଣ୍ଟ ନିର୍ମାଣକୁ କିଏ ଅନୁମତି ଦେଲା, ତାକୁ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଦୀର୍ଘ ୨ବର୍ଷ ହେଲା ଉକ୍ତ ଗାଁରେ ଘରୋଇ ସଂସ୍ଥା ଏକ ଇଥାନଲ୍‌ ପ୍ଲାଣ୍ଟ ନିର୍ମାଣ କରୁଛି ୧୪ଏକର ୮୫ ଡିସିମିଲ୍‌ ଜମିରେ ପ୍ଲାଣ୍ଟ ଗଢ଼ି ଉଠୁଛି। ଇତିମଧ୍ୟରେ ପ୍ଲାଣ୍ଟର ୭୦ ପ୍ରତିଶତ କାମ ସରିବାକୁ ବସିଲାଣି। ମୂଳରୁ ହିଁ ସ୍ଥାନୀୟ ଲୋକେ ଏହି ପ୍ଲାଣ୍ଟକୁ ବିରୋଧ କରି ଆସୁଛନ୍ତି। କାରଣ ଗାଁରୁ ମାତ୍ର ଶହେ ମିଟର୍‌ ଏବଂ ସ୍କୁଲରୁ ପାଖାପାଖି ୩୦ ମିଟର୍‌ ଦୂରେ ପ୍ଲାଣ୍ଟ ନିର୍ମାଣ ଚାଲିଛି। ପ୍ଲାଣ୍ଟ ନିର୍ମାଣ ବେଳେ ଗ୍ରାମବାସୀଙ୍କୁ କିଛି ଅବଗତ କରାଯାଇନଥିଲା। ଜନଶୁଣାଣି କି ଆପତ୍ତି ଅଭିଯୋଗ କରିବାକୁ ସୁଯୋଗ ଦିଆଯାଇନଥିଲା। ଉକ୍ତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ  ପ୍ରଥମତଃ ଆଖପାଖ ଜମି ପ୍ରଦୂଷିତ ହେବ। ତାପମାତ୍ରା ବଢ଼ିବ ଏବଂ ଭାରି ଯାନ ଚଳାଚଳ ଦ୍ବାରା ଦୁର୍ଘଟଣା ଘଟିବା ବି ଆଶଂକା ରହିଛି। ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ ହେଁ ଏହାକୁ ଅଣଦେଖା କରାଯାଇଛି। ଫଳରେ ଲୋକେ ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ କରିଥିଲେ। ପରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏହିକ୍ରମରେ ଗ୍ରାମବାସୀମାନେ ଏ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

Advertisment

ଭଟଲି ବ୍ଲକ୍‌ ବାଉଲସିଂହାଠାରେ ନିର୍ମାଣାଧିନ ଇଥାନଲ୍‌ ପ୍ଲାଣ୍ଟ କାମ ଶେଷ ପର୍ଯ୍ୟାୟରେ ପହଂଚିଛି। ତେବେ ସ୍ଥାନୀୟ ନିଯୁକ୍ତିକୁ ନେଇ‌ ସେଠାରେ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି। ପ୍ଲାଣ୍ଟ କର୍ତୃପକ୍ଷ ବାହାର ରାଜ୍ୟରୁ ଏଠାରେ କର୍ମଚାରୀ ନିଯୁକ୍ତ କରି ସ୍ଥାନୀୟ ପିଲାଙ୍କୁ ହତୋତ୍ସାହିତ କରୁଛନ୍ତି। ବିଭିନ୍ନ ପଦବୀ‌ ପାଇଁ ଯୋଗ୍ୟ ପିଲା ଆବେଦନ କରୁଥିଲେ ହେଁ ତାକୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଲୋକେ ପ୍ଲାଣ୍ଟ ମୁଖ୍ୟ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ।