ସୁନାବେଡ଼ା ଅଭୟାରଣ୍ୟରେ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପକୁ ବିରୋଧ

ଏକଜୁଟ ହେଲେ ୨ଟି ପଞ୍ଚାୟତର ଆଦିବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ହେବାକୁ ଥିବା ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପକୁ ବିରୋଧ କରି ଏକଜୁଟ ହୋଇଛନ୍ତି ୨ଟି ପଞ୍ଚାୟତର ଆଦିବାସୀ। ପ୍ରକଳ୍ପକୁ ବିରୋଧ କରି ସୋମବାର ଅଭୟାରଣ୍ୟରେ ଭିତରେ ଥିବା ୨ଟି ପଞ୍ଚାୟତର ଚକୋଟିଆ ଭୁଞ୍ଜିଆ ଓ ଆଦିବାସୀ ଏକଜୁଟ ହୋଇ ସୁନାବେଡ଼ା ପଞ୍ଚାୟତଠାରେ ଏକ ବୈଠକ କରିଥିବା ଜଣାପଡ଼ିଛି। ସରକାର ସୁନାବେଡ଼ା ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ କରିବା ପୂର୍ବରୁ ଆଦିବାସୀଙ୍କୁ କୌଣସି ଖବର ନଦେଇ ସେମାନଙ୍କ ମନଇଚ୍ଛା ପ୍ରକଳ୍ପ ପାଇଁ ନିଷ୍ପତ୍ତି ନେଇଛନ୍ତି। ସୁନାବେଡ଼ାକୁ ବ୍ୟାଘ୍ର ପ୍ରକଳ୍ପ କରିବା ପୂର୍ବରୁ କେନ୍ଦ୍ରରୁ ଏକ କମିଟି ଆସି ଏଠାରେ ବାଘ ଅଛନ୍ତି କି ନାହିଁ ତାହା ଅନୁଧ୍ୟାନ କରିବା କଥା। ବ୍ୟାଘ୍ର ପ୍ରକଳ୍ପ ପାଇଁ ସରକାର କୋର୍‌ ଜୋନ ଓ ବଫର୍‌ ଜୋନ କରିଛନ୍ତି।

ବଫର୍‌ ଜୋନ୍‌ରେ ଲୋକେ ରହି ପାରିବେ ଓ କୋର୍‌ ଜୋନରେ ରହୁଥିବା ଗ୍ରାମର ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସୁନାବେଡ଼ା ଅଭୟାରଣ୍ୟର କେଉ ଗାଁ କୋର୍‌ ଜୋନ୍‌ ଓ ବଫର୍‌ ଜୋ‌ନ କରାଯାଇଛି ଅଞ୍ଚଳବାସୀ ଜାଣିନାହାନ୍ତି। ସରକାର ବ୍ୟାଘ୍ର ପ୍ରକଳ୍ପ ନାଁରେ ସୁନାବେଡ଼ା ଆଦିବାସୀଙ୍କୁ ପୁନଃ ଥଇଥାନ କଲେ ଏହାକୁ ବିରୋଧ କରାଯିବ। ସରକାର ଆଦିବାସୀ ବୋଲି ଆମ ସହ ଖେଳ ଖେଳୁଛନ୍ତି ବୋଲି କହିଥିଲେ। ଯଦି ସରକାର ଆମର ଦାବି ଅନୁଯାୟୀ ଆମକୁ ଠିକ୍‌ ଭାବରେ ଥଇଥାନ ନକଲେ ମରିଯିବୁ ପଛେ ନିଜ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅଭୟାରଣ୍ୟର ସୁନାବେଡ଼ା ଓ ସୋସେଙ୍ଗ ୨ଟି ପଞ୍ଚାୟତର ଅଧିିବାସୀ ବିଭିନ୍ନ ଗ୍ରାମରେ ବୈଠକ କରି ପ୍ରକଳ୍ପକୁ ବିରୋଧ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ସୁନାବେଡ଼ା ସରପଞ୍ଚ ରଜନୀ ଜଗତ, ପର୍ଶୁରାମ ମାଝୀ, ବିଶ୍ରାମ ଛତିଆ, ଭୂଜବଲ ମାଝୀ, ବିଜୟ ଝାକର, ସୋସେଙ୍ଗ ସରପଞ୍ଚ ମେଘରାଜ ମାଝୀ, ମାନସିଂ ମାଝୀ, ସୋନୁ ମାଝୀ, ମଦନ ମାଝୀ, ସୁନାବେଡ଼ା ସମିତିସଭ୍ୟ ହେମଲ ରାଉତ, ମନିରାମ ମାଝୀ, ପରମାନନ୍ଦ ମାଝୀ, ବୀରକିଶୋର ଜଗତ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର