ଧର୍ମଶାଳା : ଧର୍ମଶାଳା ତହସିଲ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ କୋଠିଡିହ ଗାଁ ନିକଟ ବ୍ରାହ୍ମଣୀ ନଦୀରୁ ହେଉଥିବା ବାଲି ଚୋରା ଚାଲାଣକୁ ମଙ୍ଗଳବାର ଦିନ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଛନ୍ତି। ଏକ ବାଲି ବୋଝେଇ ହାଇୱା ଓ ପୋକଲିନ୍ ମେସିନକୁ ଅଟକାଇ ଏହି ବେଆଇନ ବାଲିଘାଟକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ପ୍ରଶାସକ ଓ ରାଜନେତାଙ୍କ ସହଯୋଗରେ ଏଠାରୁ ବାଲିମାଫିଆ ବେଧଡ଼କ ବାଲି ଲୁଟ୍ କରୁଥିବା ବେଳେ ବିପୁଳ ରାଜସ୍ବ ହାନି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।
ପ୍ରକାଶ ଯେ, ରସୁଲପୁର ତହସିଲ ଅଧୀନ ଲଙ୍କାବାଲିସାହି ବାଲିଘାଟ ଲିଜ୍ ନେଇଥିବା ଲିଜ୍ଧାରୀ ଧର୍ମଶାଳା ତହସିଲ ଅଧୀନ କୋଠିଡିହ ନିକଟ ବ୍ରାହ୍ମଣୀ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରୁଛନ୍ତି। ଦୁଇଟି ପୋକଲିନ୍ ମେସିନ୍ ବାଲି ଉତ୍ତୋଳନ କରୁଥିବା ବେଳେ କେତେକ ହାଇୱାରେ ଏହାକୁ ପରିବହନ କରାଯାଉଛି। ଗୋଟିଏ ହାଇୱାରେ ବାଲି ବୋଝେଇ ହୋଇ ଗଲାପରେ ଅନ୍ୟ ଏକ ହାଇୱା ଘାଟରେ ପଶୁଛି। ସ୍ଥାନୀୟ ଅଂଚଳବାସୀଙ୍କୁ ଅନ୍ଧାରରେ ରଖି ଲିଜ୍ଧାରୀ ଅତି ଚତୁରତାର ସହ କେତେକ ହାଇୱାରେ ଦିନକୁ ଶତାଧିକ ଟ୍ରିପ୍ ବାଲି ଲୁଟି ନେଉଛନ୍ତି। ଲିଜ୍ ଅଞ୍ଚଳରୁ ବାଲି ଉଠାଇବା ପରିବର୍ତ୍ତେ କାହା ନିର୍ଦେଶରେ ବିନା ଆର୍ ଫର୍ମରେ ଏଠାରୁ ବେଆଇନ ବାଲି ଉତ୍ତୋଳନ ହେଉଛି ? ଲଘୁ ଖଣିଜ ସାମଗ୍ରୀ ଚୋରି ରୋକିବା ପାଇଁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର, ଆରଆଇଙ୍କୁ ନେଇ ଗଠନ ହୋଇଥିବା ସ୍ବତନ୍ତ୍ର ଟାକ୍ସଫୋର୍ସ କଣ କରୁଛି ବୋଲି ଆନ୍ଦୋଳନକାରୀ ପ୍ରଶ୍ନ ଉଠାଇଛନ୍ତି।
ସେହିପରି ଚାନ୍ଦପୁର ମୌଜାରେ ବାଲି ସୈରାତ୍ ଲିଜ୍ ନେଇଥିବା ଲିଜ୍ଧାରୀ ଏଠାରୁ ୩୦ ହଜାର ଘନମିଟରରୁ ଅଧିକ ବାଲି ଲୁଟି ନେଇଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ପରେ ଧର୍ମଶାଳା ତହସିଲ ପକ୍ଷରୁ ଗତ ଜୁନ୍ ମାସରେ ଏଠାରେ ଚଢ଼ଉ କରାଯାଇ ୭ଟି ବାଲି ବୋଝେଇ ହାଇୱା ଓ ୨ଟି ପୋକଲିନ୍ ମେସିନ୍ ଜବତ କରାଯାଇଥିଲା। ସଂପୃକ୍ତ ବାଲିମାଫିଆଙ୍କ ବିରୋଧରେ ୨କୋଟି ଟଙ୍କା ଜରିମାନା କରାଯାଇଥିଲା। ଏହି ଜରିମାନା ବର୍ତ୍ତମାନ ସୁଦ୍ଧା ଅନାଦେୟ ରହିଛି। ଏହା ସତ୍ତ୍ବେ ପୁଣି ଏଠାରୁ ୨୦ ହଜାର ଘନମିଟରରୁ ଅଧିକ ବାଲି ଲୁଟ୍ ହୋଇଯିବା ଘଟଣା ପ୍ରଶାସନର ସ୍ବଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ପୂର୍ବାହ୍ଣରେ ମଙ୍ଗଳପୁର ପଞ୍ଚାୟତର ନୂଆକୂଳ, ମଙ୍ଗଳପୁର ଓ କୋଠଡିହ ଗ୍ରାମବାସୀ ବେଆଇନ ବାଲିଘାଟକୁ ବିରୋଧ କରିବା ଓ ବାଲି ବୋଝେଇ ହାଇୱାକୁ ଅଟକାଇଥିବା ଖବର ପାଇ ବ୍ରହ୍ମବରଦା ଫାଣ୍ତି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏସଂପର୍କରେ ପୁଲିସ୍ ଉଭୟ ଧର୍ମଶାଳା ଓ ରସୁଲପୁର ତହସିଲଦାରଙ୍କୁ ଅବଗତ କରାଇଥିଲେ। ଉକ୍ତ ବିବାଦର ସମାଧାନ ପାଇଁ ଆସନ୍ତାକାଲି ଦୁଇ ତହସିଲଦାରଙ୍କ ଉପସ୍ଥିତିରେ ଏରିଆ ମାପଚୁପ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ।