ଭୁବନେଶ୍ବର : ଆଜିଠାରୁ ସାମଗ୍ରୀ ଓ ସେବା ଟିକସ ସ୍ଲାବ୍‌ରେ ହୋଇଥିବା ବୃଦ୍ଧି ଲାଗୁ ହେବ। ଏହା ପ୍ରଭାବରେ ଖାଦ୍ୟ ସାମଗ୍ରୀ ସହ ବହୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ ସେବା ମହଙ୍ଗା ହେବ। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଓଡ଼ିଶା ବ୍ୟବସାୟୀ ମହାସଂଘ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ଜାହିର୍‌ କରିଛି। ଏହି ବର୍ଦ୍ଧିତ ଟିକସ ପ୍ରତ୍ୟାହାର କରିବା ପାଇଁ ସଂଘ ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି। ଆସନ୍ତା ୨୬ ତାରିଖରେ ଭୋପାଳରେ ସର୍ବଭାରତୀୟ ସ୍ତରରେ ହେବାକୁ ଥିବା ବ୍ୟବସାୟୀମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ବାବଦରେ ନିଷ୍ପତ୍ତି ନିଆଯିବ।

Advertisment

ସଂଘର ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି। କରୋନା ସମୟରେ ପ୍ରତ୍ୟେକଙ୍କର ରୋଜଗାର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଟିକସ ବୃଦ୍ଧିକୁ ଆଦୌ ବରଦାସ୍ତ କରାଯିବ ନାହିଁ। ତେଣୁ ଏହି ଟିକସ ବୃଦ୍ଧି ନିଷ୍ପତ୍ତିକୁ ବାତିଲ କରିବାକୁ ଦାବିପତ୍ରରେ ଅନୁରୋଧ କରାଯାଇଛି।

ଶ୍ରୀ ପଣ୍ଡା ଆହୁରି କହିଥିଲେ ଯେ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌କୁ ନିଷିଦ୍ଧ କରିବା ସହ କାର୍ଯ୍ୟାନୁ‌ଷ୍ଠାନ ଆରମ୍ଭ ହୋଇଛି। ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍‌ କରି ମୋଟା ଅଙ୍କର ଜରିମାନା କରାଯାଉଛି। ଲକ୍ଷ ଲକ୍ଷ ଟଙ୍କାର ପଲିଥିନ୍‌କୁ ବିଏମ୍‌ସି ଜବତ କରୁଛି। କିନ୍ତୁ ବଜାରରେ ଏପର୍ଯ୍ୟନ୍ତ ପଲିଥିନ୍‌ର କୌଣସି ବିକଳ୍ପ ଉପଲବ୍ଧ ନଥିବାରୁ ବ୍ୟବସାୟୀମାନେ କିପରି ବେପାର କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ବିକଳ୍ପ ନ ବାହାରିବା ପର୍ଯ୍ୟନ୍ତ ଚଢ଼ଉ ନ କରିବାକୁ ସଂଘ ଦାବି କରିଛି। ଅପରପକ୍ଷେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ(ଏଫ୍‌ଏସ୍‌ଏସ୍‌ଏଆଇ) ଦେଉଥିବା ପ୍ରମାଣପତ୍ର ଗୋଟିଏ ବର୍ଷର ଅବଧି ରହୁଛି। ଫଳରେ ବ୍ୟବସାୟୀଙ୍କୁ ପ୍ରତିବର୍ଷ ନୂଆ କରି ପ୍ରମାଣପତ୍ର ସଂଗ୍ରହ କରିବାକୁ ପଡ଼ୁଛି। ଯେଉଁଥିପାଇଁ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ଥର ବ୍ୟବସାୟୀଙ୍କୁ ପଞ୍ଜୀକରଣ କରି ପ୍ରତ୍ୟେକ ବର୍ଷ ଏଫ୍‌ଏସ୍‌ଏସ୍‌ଏଆଇ ପ୍ରମା‌ଣପତ୍ର ନବୀକରଣ କରିବାକୁ ସୁଯୋଗ ରହିଲେ, ଆଉ ସମସ୍ୟା ହେବ ନାହିଁ। ଏହି ସବୁ ଦାବି ପୂରଣ ନ ହେଲେ ସଂଘ କଠୋର ନିଷ୍ପତ୍ତି ନେବ ବୋଲି ଚେତାଇ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଗୌରଚନ୍ଦ୍ର ପଣ୍ଡା, ସିଏସ୍‌ ରବୀନ୍ଦ୍ରନାଥ, ଗିରୀଶ ପ୍ରସାଦ ରଥ ଓ ପ୍ରଦୀପ ଦେବତା ପ୍ରମୁଖ ଉପସ୍ଥିତ ଥିଲେ।