ସ୍ଲରି ପାଇପ୍‌ଲାଇନ୍‌କୁ ବିରୋଧ; ଠିକାସଂସ୍ଥାର ପୋକ୍‌ଲେନ୍‌, କମ୍ପ୍ରେସର ମେସିନ୍‌ ଜାଳିଦେଲେ

ବାଂଶପାଳ :  ଏକ ଘରୋଇ ଷ୍ଟିଲ୍‌ପ୍ଲାଣ୍ଟ ପକ୍ଷରୁ ଲୁହାପଥର ପରିବହନ ପାଇଁ ସ୍ଲରି ପାଇପ୍‌ଲାଇନ୍‌ ବିଛା ଯାଉଥିଲା। ପାଇପ୍‌ଲାଇନ୍‌ କାମକୁ କେନ୍ଦୁଝର ଟ୍ରକ୍‌ ମାଲିକ ସଂଘ ଦୀର୍ଘଦିନ ଧରି ବିରୋଧ କରିଆସୁଥିଲା। ଶୁକ୍ରବାର ଦିନ ସଂଘର କର୍ମକର୍ତ୍ତା ଏବଂ କିଛି ଟ୍ରକ୍‌ ମାଲିକ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ କାଦକଳାଠାରେ ଚାଲିଥିବା ପାଇପ୍‌ଲାଇନ୍‌ କାମରେ ନିୟୋଜିତ ବହୁ ମେସିନ୍‌କୁ ପୋଡ଼ି ଦେବାସହ ଏକାଧିକ ଗାଡ଼ି ଭାଙ୍ଗି ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଏକ ଘରୋଇ ଷ୍ଟିଲ୍‌ପ୍ଲାଣ୍ଟର ଲୁହାପଥର ପରିବହନ ପାଇଁ ସ୍ଲରି ପାଇପ୍‌ଲାଇନ୍‌ ବିଛାଇବା କାମ ଏସାର କମ୍ପାନିକୁ ଠିକାରେ ଦିଆଯାଇଛି। ବାଂଶପାଳ ବ୍ଲକ୍‌ କାଦକଳାରେ ସ୍ଲରି ପାଇପ୍‌ଲାଇନ୍‌ ବିଛା କାମ ଚାଲୁ ରହିଛି। ଏହି କାମକୁ ଟ୍ରକ୍‌ ମାଲିକମାନେ ବିରୋଧ କରୁଛନ୍ତି। ପାଇପ୍‌ଲାଇନ୍‌ ଯୋଗେ ଲୁହାପଥର ପରିବହନ ହେଲେ ଟ୍ରକ୍‌ ବ୍ୟବସାୟ ପ୍ରଭାବିତ ହେବ। କମ୍ପାନି ସ୍ଲରି ପାଇପ୍‌ଲାଇନ୍‌ କାମ ବନ୍ଦ କରି ଟ୍ରକ୍‌ ଯୋଗେ ଲୁହାପଥର ପରିବହନ କରୁ ବୋଲି କିଛିଦିନ ତଳେ କାମ ଚାଲୁଥିବା ସ୍ଥାନରେ ଟ୍ରକ୍‌ ମାଲିକମାନେ ପହଞ୍ଚି ନାରାବାଜି କରିଥିଲେ। କିନ୍ତୁ କିଛି ସୁଫଳ ମିଳ ନଥିଲା। ପାଇପ୍‌ଲାଇନ୍‌ ବିଛାଉଥିବା ଠିକାସଂସ୍ଥା ପକ୍ଷରୁ ଆଜି କାମ ବନ୍ଦ ଥିବାବେଳେ କେନ୍ଦୁଝର ଜିଲ୍ଲା ଟ୍ରକ୍‌ ମାଲିକ ସଂଘର ୫୦ରୁ ୬୦ଜଣ କର୍ମକର୍ତ୍ତାଙ୍କ ସହ କିଛି ଟ୍ରକ୍‌ ମାଲିକ ସେଠାରେ ପହଞ୍ଚି ୩ଟି ପୋକ୍‌ଲେନ୍‌ ମେସିନକୁ ନିଆଁ ଲଗାଇ ଜାଳି ଦେଇଥିଲେ। ଗୋଟିଏ ଡିଜିସେଟ୍‌ ଓ କଂପ୍ରେସର ମେସିନ୍‌କୁ ଗ୍ୟାସ୍‌ ସିଲିଣ୍ଡର ଜରିଆରେ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ବହୁ ଗାଡ଼ି ମଧ୍ୟ ଭାଙ୍ଗିରୁଜି ଦେଇଥିବା ଜଣାପଡ଼ିଛି।

ଖବର ପାଇ ଘଟଣାସ୍ଥଳରେ କେନ୍ଦୁଝର ସଦର ଏସ୍‌ଡିପିଓ ପ୍ରକାଶ ଜେମ୍‌ସ ଟପୋ, ନୟାକୋଟ ଥାନା ଆଇଆଇସି ସ୍ୱର୍ଣ୍ଣମୟୀ ହେମ୍ବ୍ରମ ଓ ପୁଲିସ ଟିମ୍‌ ସହିତ ପହଞ୍ଚି ତଦନ୍ତ କରୁଛନ୍ତି। ଏହି ଘଟଣା ପରେ ପାଇପ୍‌ଲାଇନ୍‌ କାର୍ଯ୍ୟରେ ନିୟୋଜିତ ହୋଇଥିବା ଠିକାସଂସ୍ଥାର କର୍ମଚାରୀମାନେ ଭୟରେ କ୍ୟାମ୍ପ ଛାଡ଼ି ଅନ୍ୟତ୍ର ପଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର