ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ କାଳୀପଲ୍ଲୀ ଗ୍ରାମ ନିକଟ ଟାଟା ଷ୍ଟିଲ୍ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍ଇଜେଡ୍) ଅଞ୍ଚଳରେ ଟାଟା ପକ୍ଷରୁ ‘ଦୀପକ ଫର୍ଟିଲାଇଜର୍ ପ୍ରକଳ୍ପ’ ନିର୍ମାଣକୁ ବିରୋଧ କରି ୨୦ ଗ୍ରାମରେ ପୁଞ୍ଜିଭୁତ ଅସନ୍ତୋଷ ପୁଣି ଉଗ୍ରରୂପ ନେଇଛି। ୫ଟି ପଞ୍ଚାୟତ ଅଧୀନରେ ୨୦ଟି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପ୍ରକଳ୍ପ ନିର୍ମାଣସ୍ଥଳରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରିସ୍ଥିତି ଉତ୍ତେଜନା ହେବାରୁ କମ୍ପାନି କର୍ତ୍ତୃପକ୍ଷ ବାଧ୍ୟହୋଇ ପ୍ରକଳ୍ପ କାମକୁ ସ୍ଥଗିତ ରଖିଥିବା ଜଣାପଡ଼ିଛି।
ସାର କାରଖାନାକୁ ବିରୋଧ କରି ଗତ ଜୁନ୍ ୧୧ ତାରିଖରୁ ଗ୍ରାମବାସୀ ଆନ୍ଦୋଳନ ଓ ଧାରଣା ଆରମ୍ଭ କରିଥିଲେ। ତିନିତିନି ଥର ତ୍ରିପାକ୍ଷିକ ବୈଠକ ବିଫଳ ହେବାପରେ କମ୍ପାନି କର୍ତ୍ତୃପକ୍ଷ କୋର୍ଟର ଆଶ୍ରୟ ନେଇଥିଲେ। ଜିଲ୍ଲା ପ୍ରଶାସନର ରିପୋର୍ଟ ଅନୁସାରେ ପରିବେଶ ମଞ୍ଜୁରୀ ପାଇବା ସହ କାରଖାନା କାମ ଆରମ୍ଭ କରିବାକୁ କମ୍ପାନିକୁ ସବୁଜ ସଂକେତ ମିଳିଥିଲା। ଫଳରେ, ଆଜି ପୁଣି ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ଗ୍ରାମବାସୀ ଘୋର ବିରୋଧ କରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ। ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ସମେତ ଗ୍ରାମବାସୀ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ପ୍ରକଳ୍ପ ନିର୍ମାଣସ୍ଥଳରେ ପହଞ୍ଚି କାମକୁ ବନ୍ଦ କରିଥିଲେ। ସେମାନଙ୍କ ଦାବିକୁ ଜିଲ୍ଲା ପ୍ରଶାସନ ଓ କମ୍ପାନି କର୍ତ୍ତୃପକ୍ଷ ବିଚାରରେ ନନେଇ ମନମୁଖି ନୀତି ଆପଣାଇ କାରଖାନା କାମ ଆରମ୍ଭ କରିବା ନିନ୍ଦନୀୟ ବୋଲି କହିଥିଲେ। ଆନ୍ଦୋଳନକାରୀ ଗ୍ରାମବାସୀ ଦାବି କରିଥିଲେ ଯେ ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ଯେଉଁ ପରିବେଶ ମଞ୍ଜୁରୀ ଦିଆଯାଇଛି ତାହାକୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରାଯାଉ। ପ୍ରକଳ୍ପ ପାଇଁ ପୁଣିଥରେ ଜନଶୁଣାଣି ସହ ସେମାନଙ୍କ ମତାମତ ନିଆଯାଉ ଏବଂ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉ। ସେହିପରି ଏଠାରେ ବିଷାକ୍ତ ଆମୋନିଆ ବିସ୍ଫୋରକ ପଦାର୍ଥ ପ୍ରସ୍ତୁତ ହେଲେ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଦେଖାଦେବ। ପରିବେଶ ଓ ସ୍ବାସ୍ଥ୍ୟକୁ କ୍ଷତି ନପହଞ୍ଚାଇବା ଭଳି ପ୍ରକଳ୍ପ ନିର୍ମାଣ ହେଉ।
ପୁଲିସ ଓ ପ୍ରାଶାସନିକ ଅଧିକାରୀମାନେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ୨୧ ତାରିଖରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମାଧାନ ପାଇଁ ଏକ ବୈଠକ ଡକାଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। ତେବେ, ଉକ୍ତ ଦିନରେ କୌଣସି ପର୍ବ ପଡ଼ୁଥିବାରୁ ବୈଠକକୁ ୨୬ ତାରିଖକୁ ଘୁଞ୍ଚାଇବାକୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି।