ଭୁବନେଶ୍ୱର : ଟାଟା ପାୱାର ସହ ସେସୁର ମିଶ୍ରଣ ବେଳେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ଅନେକ ସର୍ତ୍ତ ରଖିଥିଲେ। ଏକ ସ୍ବତନ୍ତ୍ର ଆଦେଶନାମା(୧୧/୨୦୨୦)ରେ ଉଲ୍ଲେଖ ସବୁ ସର୍ତ୍ତ ଅକ୍ଷୁଣ୍ଣ ରହିବା ପାଇଁ ଓଇଆର୍ସି ଆଦେଶ ଦେଇଥିଲେ। ଏହି ଆଦେଶନାମାରେ ପରିବର୍ତ୍ତନ ପାଇଁ ଏବେ ଟାଟା ପାୱାର ଓଇଆର୍ସିରେ ଆବେଦନ କରିଛି। ଏହି ଆବେଦନରେ ଥିବା ପ୍ରସଙ୍ଗ କର୍ମଚାରୀଙ୍କ ସହିତ ଉପଭୋକ୍ତାଙ୍କୁ ମଧ୍ୟ କ୍ଷତି ପହଞ୍ଚାଇବ ବୋଲି ଅଭିଯୋଗ କରିଛି ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚ। ଓଇଆର୍ସିଙ୍କ ପୂର୍ବ ଆଦେଶ(୧୧/୨୦୨୦)ରେ କୌଣସି ପରିବର୍ତ୍ତନ ନ ହେବା ପାଇଁ ମଞ୍ଚ ଦାବି କରିଛି। ତେଣୁ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ, ବିରୋଧୀ ଦଳ ନେତା, ଓଇଆରସି ଅଧ୍ୟକ୍ଷ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି।
ମଞ୍ଚର ଅଭିଯୋଗ ଅନୁସାରେ ସେସୁର କର୍ମଚାରୀମାନେ ଟିପିସିଓଡିଏଲ୍ ଅଧୀନକୁ ଯିବା ପରେ ସେମାନଙ୍କର ଚାକିରି ସୁରକ୍ଷିତ ରହିବ ବା ତାଙ୍କ ପାହ୍ୟାରେ କମ୍ ବେଶି ହେବ ନାହିଁ ବୋଲି ସର୍ତ୍ତ ରହିଥିଲା। ହେଲେ ଟାଟା ପାୱାର ତା’ର ରିଭ୍ୟୁ ପିଟିସନରେ ଏହାକୁ ପରିବର୍ତ୍ତନ କରିବାକୁ ଚାହିଛି। ପୂର୍ବରୁ ରହିଥିବା ସମ୍ପତ୍ତିଗୁଡ଼ିକୁ ଟିପିସିଓଡିଏଲ୍ ବନ୍ଧକ ରଖି ପୁଞ୍ଜି ବଢ଼ାଇବା ପାଇଁ ସମ୍ମତି ନଥିଲା। ଏବେ ଏହି ରିଭ୍ୟୁ ପିଟିସନ୍ରେ ଏହି ସ୍ବୀକୃତି ହାସଲ କରିବାକୁ ଚାହିଛି। ଗ୍ରାହକ ଓ ଠିକାଦାରଙ୍କ ୧୦୮୧ କୋଟି ଟଙ୍କା ସୁରକ୍ଷା ଜମାରୁ ୩୪୭ କୋଟି ଟଙ୍କା ବିନିଯୋଗ କରିବା ପାଇଁ କମ୍ପାନିକୁ ସ୍ବୀକୃତି ମିଳିଥିଲା। ରିଭ୍ୟୁ ପିଟିସନରେ କମ୍ପାନି ସମ୍ପୂର୍ଣ୍ଣ ଅର୍ଥକୁ ବିନିଯୋଗ କରିବାକୁ ଚାହିଛି। ସେହିଭଳି ଏଟି ଆଣ୍ଡ ସି କ୍ଷତି କ୍ଷେତ୍ରରେ କମ୍ପାନି ଖସିଯିବାକୁ ବସିଛି। କେତେକ ସେବା କ୍ଷେତ୍ରରେ ଯଥା, ସରକାରଙ୍କୁ ବିଦ୍ୟୁତ୍ ଡ୍ୟୁଟି ପ୍ରଦାନ, ଶେଷମାସର କର୍ମଚାରୀ ଦରମା ଓ ଠିକାଦାର ବିଲ୍, ଫ୍ରାଞ୍ଚାଇଜ୍ମାନଙ୍କ ଦେୟ ପ୍ରଦାନ ପ୍ରଭୃତି ଦାୟିତ୍ବ ନେବାକୁ କମ୍ପାନି ଏବେ ଚାହୁନାହିଁ। ଟିପିସିଏଲ୍ ଉଚ୍ଚ ଦରମାରେ ୮୦ ଜଣ ଶୀର୍ଷ ମାନ୍ୟତାପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି, ଏଥିରେ ନିଯୁକ୍ତି ନିୟମ ପାଳନ ହୋଇ ନାହିଁ କିମ୍ବା ଓଇଆର୍ସିର ସ୍ବୀକୃତି ନାହିଁ। କମ୍ପାନି ଦାୟିତ୍ବ ନେବାର ଦୁଇମାସ ମଧ୍ୟରେ ବିଦ୍ୟୁତ୍ ବ୍ୟାଘାତ ହାର ଦୁଇ ଗୁଣ ବଢ଼ିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, କମ୍ପାନି କେବଳ ଲାଭ କରିବାକୁ ଆସିଛି, ଉପଭୋକ୍ତା କିମ୍ବା କର୍ମଚାରୀଙ୍କର ସ୍ବାର୍ଥ ଦେଖୁନାହିଁ। ବଡ଼କଥା ହେଉଛି କମ୍ପାନି କର୍ପୋରେଟ୍ ଗ୍ୟାରେଣ୍ଟି ଦେବାପାଇଁ ଚାହୁନାହିଁ, ଯାହା ପୂର୍ବରୁ ରିଲାଏନ୍ସ ଏନର୍ଜି କରିଥିଲା ଏବଂ ସରକାରଙ୍କୁ କ୍ଷତିରେ ପକାଇ ଚାଲି ଯାଇଥିଲା। ଏଣୁ ଉପଭୋକ୍ତା ଓ କର୍ମଚାରୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଭେଷ୍ଟିଂ ଆଦେଶର ୩୪ ଓ ୬୧ କ୍ଲଜ୍ରେ ଟିପିସିଏଲ୍ ସପକ୍ଷରେ ଥିବା ଆଦେଶନାମାକୁ ବାତିଲ କରାଯିବା ସହ ଇକ୍ୟୁଟିର ୫୧ ପ୍ରତିଶତ ଅର୍ଥାତ୍ ୧୭୮.୫୦ କୋଟି ଟଙ୍କା ଫେରାଇବାକୁ ଗ୍ରିଡ୍କୋକୁ ଆଦେଶ ଦେବା ଓ ସେସୁକୁ ପୂର୍ବବତ୍ କାମ କରିବା ପାଇଁ ଅନୁମତି ଦେବାକୁ ଯତୀନ୍ଦ୍ର କୁମାର ରାୟଙ୍କ ସମେତ ସଂଘର କର୍ମକର୍ତ୍ତାମାନେ ଦାବି କରିଛନ୍ତି।