କେନ୍ଦ୍ର ସରକାରଙ୍କ ଚାଷୀ ଦମନକୁ ବିରୋଧ, ରାଜଧାନୀରେ ଚାଷୀଙ୍କ ଚକାଜାମ୍‌

ସାମିଲ ହେଲେ ୩ ଚାଷୀ ସଙ୍ଗଠନ, ଶତାଧିକ ଗିରଫ

ଭୁବନେଶ୍ବର: ସର୍ବଭାରତୀୟ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆଜି ରାଜ୍ୟବ୍ୟାପୀ ତିନି ଘଣ୍ଟିଆ ଚକାଜାମ୍‌ କରିଛନ୍ତି ରାଜ୍ୟର ବିଭିନ୍ନ ଚାଷୀ ଓ ଶ୍ରମିକ ସଙ୍ଗଠନ। ଏହି ପରିପ୍ରେକ୍ଷୀରେ ରାଜଧାନୀରେ ୩ଟି ଚାଷୀ ସଂଗଠନ ରାସ୍ତାକୁ ଓହ୍ଲାଇଥିଲେ ଏବଂ କୃଷି ଆଇନ ପ୍ରତ୍ୟାହାର, କୃଷକ ଆନ୍ଦୋଳନ ଉପରେ କେନ୍ଦ୍ର ସରକାରଙ୍କ ଦମନକୁ ବିରୋଧ କରିଥିଲେ। ସର୍ବଭାରତୀୟ କୃଷକ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନରେ ସଂଯୁକ୍ତ କିଷାନ ମୋର୍ଚା ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ, ଏଆଇଟିୟୁସି, ବିକେଏମୟୁ ପକ୍ଷରୁ ରାଜମହଲ ଛକରେ ଏବଂ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ହଂସପାଳ ଛକରେ ରାସ୍ତା ଅବରୋଧ କରାଯାଇଥିଲା। ପରେ ଶତାଧିକ ଚାଷୀନେତା ଓ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରି ଛାଡ଼ି ଦେଇଥିଲା। ରାସ୍ତା ଅବରୋଧ ଯୋଗୁଁ ବିଭିନ୍ନ ସ୍ଥାନରେ ସମସ୍ତ ପ୍ରକାର ଯାନବାହାନର ଯାତାୟାତ ପ୍ରଭାବିତ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ପୁଲିସ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଥିଲା।

ଆନ୍ଦୋଳନରତ ସଙ୍ଗଠନ ପକ୍ଷରୁ କୁହାଯାଇଛି, କୃଷକମାନେ ଦେଶର ଅନ୍ନଦାତା, ଶତ୍ରୁ ନୁହନ୍ତି ଯେ ସେମାନଙ୍କ ଆନ୍ଦୋଳନ ଦମନ କରିବାକୁ ଯାଇ କଣ୍ଟା ପୋତି, କଂକ୍ରିଟ ତାରବାଡ଼ ଦିଆଯିବ। ବିଜୁଳି, ପାଣି କାଟିବା ଭଳି ଅମାନବୀୟ ଆଚରଣ ପ୍ରଦର୍ଶନ କରାଯିବ। ୭୪ ଦିନର ଆନ୍ଦୋଳନରେ ୧୯୪ ଆନ୍ଦୋଳନକାରୀ କୃଷକଙ୍କ ମୃତ୍ୟୁ ହେବା ଉଦ୍‌ବେଗଜନକ। ଏହି ଅବସରରେ ଦିଲ୍ଲୀର ଚାଷୀ ଆନ୍ଦୋଳନସ୍ଥଳରେ ପିଇବା ପାଣି, ବିଦ୍ୟୁତ, ଇଣ୍ଟରନେଟ ସଂଯୋଗକୁ କାର୍ଯ୍ୟକ୍ଷମ କରିବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ଦର ପ୍ରଦାନ ପାଇଁ ଏମଏସ ସ୍ବାମୀନାଥନ କମିସନ ରିପୋର୍ଟ ଲାଗୁ, ଓଡ଼ିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୫ ଟଙ୍କା ଲାଗୁ ନହେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଧାନ କ୍ବିଣ୍ଟାଲରେ ୧ ହଜାର ଟଙ୍କା ବୋନସ ପ୍ରଦାନ, ଚାଷୀଙ୍କଠାରୁ ଧାନ କିଣିବା ପାଇଁ ଧାନ ସଂଗ୍ରହକୁ ଜାରି ରଖିବା, ଭାଗଚାଷୀ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି କରାଯାଇଛି।

ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ସୁରେଶ ପାଣିଗ୍ରାହୀ, ଜଗନ୍ନାଥ ମିଶ୍ର, ଶଶୀଭୂଷଣ ସ୍ବାଇଁ, ଜ୍ୟୋତିରଞ୍ଜନ ମହାପାତ୍ର, ଅମିୟ ପଟନାୟକ, ମହେନ୍ଦ୍ର ପରିଡ଼ା, ସୁଦର୍ଶନ ପ୍ରଧାନ, ସୁଦର୍ଶନ ଦାସ, ପ୍ରମିଳା ବେହେରା, ସନ୍ତୋଷ ଦାସ, ଆଖିଳ ଭାରତ କୃଷକ ସଭାର କ୍ଷୀରୋଦ ସିଂହଦେଓ, ଏଆଇଟିୟୁସିର ରାମକୃଷ୍ଣ ପଣ୍ଡା, କିଶୋର ଜେନା, ନୃସିଂହ ବେହେରା, ଜୟନ୍ତ ଦାସ, ସିଟୁର ଜନାର୍ଦନ ପତି, ବିକେଏମର ସୁର ଜେନା, ଏଚ୍‌ଏମ୍‌ଏସ୍‌ର ସଂଯୁକ୍ତା ମହଲ, କୈଳାସ ପୁହାଣ, ବିକେଏମୟୁର ଶରତ ସ୍ବାଇଁ, ସର୍ବେଶ୍ବର ମାର୍ଥା, ଛେତମ୍ବର ଭୋଇ, ବାସନ୍ତୀ ରାଉତ, ରଞ୍ଜିତା ସାହୁ, ଜୟନ୍ତୀ ତ୍ରିପାଠୀ, ପ୍ରତିମା ବରାଳ, ପାର୍ବତୀ ଲାଗୁରି, ଲୋକନାଥ ଭୋଇ, ରାମଚନ୍ଦ୍ର ମୁର୍ମୁ, ଡାକ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ହଂସପାଳ ଛକ ନିକଟରେ ହୋଇଥିବା ଚକାଜାମ୍ ଆନ୍ଦୋଳନରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଉମାକାନ୍ତ, ଯୁବଛାତ୍ର ସଂଯୋଜକ ମନୱର ଅଲି, ନିରଞ୍ଜନ ପ୍ରଧାନ, ମଧୁମିତା ସାମଲ, ସୁବାସ ନାୟକ, ଅମିତ ଜେନା, ଅଭୟ ଭୋଳ, ଚିତ୍ତରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର